ଭୁବନେଶ୍ୱର- ଲୋକସଭା ପରେ ରାଜ୍ୟସଭାରେ ବିଜୁ ଜନତା ଦଳର ସଂଖ୍ୟା ଗରିଷ୍ଠତା କମି କମି ଯାଉଛି । ଦେଶରେ ଅନେକ ଆଞ୍ଚଳିକ ଦଳ ଜନ୍ମ ନେଇଛନ୍ତି ଆଉ ମରିଛନ୍ତି । ଆଉ କିଛି ଦିନ ପରେ ବିଜୁ ଜନତା ଦଳ ସ୍ୱାଭାବିକ ସମାପ୍ତି ଆଡ଼କୁ ଗତି କରିବ । ରାଜ୍ୟସଭାରୁ ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।
ଗତକାଲି ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ରାଜ୍ୟସଭାରେ ଗୋଟିଏ ଆସନ ଖାଲି ହୋଇଛି । ଯାହାର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି । ତେବେ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ବିଜେପି ପୁଣି ଆଉ ଏକ ଆସନ ହାତେଇବା ଏକ ପ୍ରକାର ସୁନିଶ୍ଚିତ । ଏହା ଉପରେ ରାଜସ୍ୱ ମନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଲୋକସଭାରେ ଆମେ ସଂଖ୍ୟା ଗରିଷ୍ଠତା ପାଇଛୁ । କିନ୍ତୁ ରାଜ୍ୟସଭାରେ ସଂଖ୍ୟା ଗରିଷ୍ଠତା ନ ଥିବାରୁ ଅନେକ ପ୍ରସ୍ତାବ ପାରିତ କରିବାକୁ ଅସୁବିଧାର ସମ୍ମୁଖୀନ ହେଉଥିଲୁ । କିନ୍ତୁ ଧିରେ ଧିରେ ରାଜ୍ୟସଭାରେ ବିଜେପିର ସଂଖ୍ୟା ଗରିଷ୍ଠତା ବଢ଼ୁଛି ।
କ୍ଷମତା ହେଉଛି ଫେବିକଲ୍ ଅଠା ପରି । କ୍ଷମତା ଗଲା ପରେ ବିନା ଫେବିକଲରେ ପାର୍ଟିକୁ ବଞ୍ଚାଇ ରଖିବା ସମ୍ଭବପର ନୁହେଁ । ସମୟ କହିବ ବିଜୁ ଜନତା ଦଳ ଯେଉଁଭଳି ଭାବେ ଚାଲିଛି ସ୍ୱାଭାବିକ ସମାପ୍ତି ଆଡ଼କୁ ଗତି କରୁଛି ।
ଦେବାଶିଷ ପୁଣି ଥରେ ରାଜ୍ୟସଭାକୁ ଯିବା ନେଇ ସୁରେଶ ପୂଜାର ବଡ଼ ସଙ୍କେତ ଦେଇଛନ୍ତି । ସୁଜିତ କୁମାର ଏବଂ ମମତା ମହନ୍ତ ମଧ୍ୟ ବିଜେଡ଼ିରୁ ଇସ୍ତଫା ଦେଇ ଆସିବା ପରେ ରାଜ୍ୟସଭାକୁ ଯାଇଛନ୍ତି । ଯେଉଁମାନେ ଇସ୍ତଫା ଦେଇଛନ୍ତି ଦଳ ନିଶ୍ଚିତ ତାଙ୍କ ବିଷୟରେ ବିଚାର କରିବ । କିନ୍ତୁ କେନ୍ଦ୍ରର ସଂସଦୀୟ ବୋର୍ଡ ଏହି ନିଷ୍ପତ୍ତି ନେବେ ବୋଲି ସୁରେଶ କହିଛନ୍ତି ।