ଭୁବନେଶ୍ୱର: ଓଡ଼ିଶାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ନେଇ ରାଜନୈତିକ ତାତି ବଢ଼ିଥିବାବେଳେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କଡ଼ା ମତ ପ୍ରକାଶ କରିଛନ୍ତି। ସେ ସ୍ପଷ୍ଟ କରି କହିଛନ୍ତି ଯେ, ରାଜ୍ୟରେ ଅବୈଧ ଭାବେ ରହୁଥିବା ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ବାହାର କରିବା ପାଇଁ ସରକାର ଦୃଢ଼ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସିଧାସଳଖ ନିର୍ଦ୍ଦେଶରେ ସମ୍ପୃକ୍ତ ବିଭାଗଗୁଡ଼ିକ କାର୍ଯ୍ୟ କରୁଥିବା ସେ କହିଛନ୍ତି।
ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଗତବର୍ଷ କିଛି ବାଂଲା ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇଥିଲା ଏବଂ ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା। ଆଗାମୀ ଦିନରେ ଏଭଳି ଅବୈଧ ଅନୁପ୍ରବେଶକୁ କୌଣସି ପ୍ରକାର ସହନ କରାଯିବ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି। “ଅନୁପ୍ରବେଶକାରୀଙ୍କୁ ଆଗକୁ ନିସ୍ତାର ନାହିଁ,” ବୋଲି କହି ସେ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।
ତେବେ ଏହି ପ୍ରସଙ୍ଗରେ ବିରୋଧୀ ବିଜେଡି ଭିନ୍ନ ମତ ରଖିଛି। ଦଳର କହିବା ଅନୁସାରେ, ବାଙ୍ଗଲାଦେଶୀ ଅନୁପ୍ରବେଶକାରୀ ଓଡ଼ିଶା ପାଇଁ ବଡ଼ ସମସ୍ୟା ନୁହେଁ। ଏହାକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ମତଭେଦ ଜୋରଦାର ହୋଇଥିବାବେଳେ ଆଗାମୀ ଦିନରେ ଏହି ପ୍ରସଙ୍ଗ ରାଜ୍ୟ ରାଜନୀତିରେ ଆହୁରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହେବା ସମ୍ଭାବନା ରହିଛି।