ଶିମିଳିପାଳ ବାଘ ସଂରକ୍ଷଣ ପ୍ରକଳ୍ପରେ ବନ୍ୟଜନ୍ତୁ ଶିକାର ଓ ଚୋରା କାରବାର ବିରୋଧରେ ବନ ବିଭାଗକୁ ଏକ ବଡ଼ ସଫଳତା ମିଳିଛି। ବନ୍ୟଜନ୍ତୁଙ୍କ ଅବୈଧ ଅଙ୍ଗପ୍ରତ୍ୟଙ୍ଗ ରଖିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଦାସମତ ମୁର୍ମୁ (୪୩), ଶଙ୍କର ମୁର୍ମୁ (୫୬) ଏବଂ ପାଣ୍ଡୁ ସୋରେନ (୩୮)। ସେମାନେ ସମସ୍ତେ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅଞ୍ଚଳର ଜାମୁଡ଼ିହା ଓ ହାତିଗୋଡ଼ା ଗ୍ରାମର ବାସିନ୍ଦା।
ଗୁପ୍ତ ସୂଚନା ଆଧାରରେ ସିମିଳିପାଳ ବନ କର୍ତ୍ତୃପକ୍ଷ ସେମାନଙ୍କ ଘର ଓ ପରିସରରେ ଚଢ଼ାଉ କରିଥିଲେ। ଏହି ଚଢ଼ାଉ ବେଳେ ୧୧ ଖଣ୍ଡ ହାତୀ ହାଡ଼, ୭ଟି ଧନୁ, ୭ଟି ତୀର, ଗୋଟିଏ କୁରାଢ଼ି, ଗୋଟିଏ କୋଦାଳ, ଗୋଟିଏ ପ୍ଲାଷ୍ଟିକ ବ୍ୟାଗ ଏବଂ ପକ୍ଷୀ ଶିକାର ପାଇଁ ବ୍ୟବହୃତ ୮ ବଣ୍ଡଲ ଫାଶ ଜବତ କରାଯାଇଥିଲା।
ଜବତ ସାମଗ୍ରୀ ଦେଖି ଏହା ଏକ ସଂଗଠିତ ବନ୍ୟଜନ୍ତୁ ଶିକାର ଚକ୍ର ସହ ଜଡିତ ଥିବା ସନ୍ଦେହ କରାଯାଉଛି। ବନ ବିଭାଗ ଅଭିଯୁକ୍ତମାନଙ୍କ ବିରୋଧରେ ବନ୍ୟଜନ୍ତୁ ସୁରକ୍ଷା ଆଇନ-୧୯୭୨ର ବିଭିନ୍ନ ଧାରାରେ ମାମଲା ରୁଜୁ କରିଛି।
ପରେ ତିନି ଅଭିଯୁକ୍ତଙ୍କୁ ମୟୂରଭଞ୍ଜ CJMଙ୍କ ଅଦାଲତରେ ହାଜର କରାଯାଇଥିଲା। ଅଦାଲତ ସେମାନଙ୍କୁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ଘଟଣା ପରେ ଶିମିଳିପାଳ ଅଞ୍ଚଳରେ ବନ୍ୟଜନ୍ତୁ ଚୋରା ଶିକାର ବିରୋଧରେ ନଜରଦାରିକୁ ଆହୁରି କଡ଼ାକଡ଼ି କରାଯାଇଛି।