କେରଳର ରାଜନୀତିରେ ବଡ଼ ହଳଚଳ। କେରଳମର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ଓ ତାଙ୍କ ଝିଅଙ୍କ ଠିକଣାରେ ରେଡ କରିଥିବା ଇଡି ଟିମ ଉପରେ ହୋଇଛି ଆକ୍ରମଣ। ରେଡ୍ ସରିବା ପରେ ଫେରୁଥିବା ଇଡି ଟିମ୍ ଉପରେ ଶତାଧିକ ସିପିଆଇ(ଏମ) କର୍ମୀଙ୍କ ପକ୍ଷରୁ ପଥରମାଡ଼ ହୋଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ଥିରୁଅନନ୍ତପୁରମରେ ଥିବା ବିଜୟନଙ୍କ ବାସଭବନ ସମେତ ମୋଟ ୧୦ଟି ସ୍ଥାନରେ ଇଡି ଏକକାଳୀନ ଚଢ଼ାଉ କରିଥିଲା। ଲାଞ୍ଚ କାରବାର ସମ୍ପର୍କିତ ତଦନ୍ତର ଅଂଶ ଭାବେ ହୋଇଥିବା ଏହି ରେଡ୍ ପରେ ବାହାରୁଥିବା ଅଧିକାରୀଙ୍କ ଗାଡ଼ିକୁ ବିକ୍ଷୋଭକାରୀମାନେ ଅଟକାଇଥିଲେ। ଏହାପରେ ଆରମ୍ଭ ହୋଇଥିଲା ଜୋରଦାର ନାରାବାଜି ଓ ପଥରମାଡ଼।
ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ବିକ୍ଷୋଭକାରୀମାନେ ଇଡି ଟିମ୍ ଯାଉଥିବା କାର ଉପରେ ଇଟା ଓ ପଥର ଫିଙ୍ଗୁଛନ୍ତି। ଏଥିରେ ଗାଡ଼ିର ଆଗ ଓ ପଛ କାଚ ଭାଙ୍ଗିଯାଇଥିବା ବେଳେ ଜଣେ ଡ୍ରାଇଭର ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଘଟଣାସ୍ଥଳରେ ରାଜ୍ୟ ପୁଲିସ ଓ ସିଆରପିଏଫ ଯବାନ ମୁତୟନ ଥିଲେ ମଧ୍ୟ ଉତ୍ତେଜିତ ଭିଡ଼କୁ ତୁରନ୍ତ ନିୟନ୍ତ୍ରଣ କରିବା ସମ୍ଭବ ହୋଇନଥିଲା। ଇଡି ଟିମ୍ରେ ୪ ଜଣ ଅଧିକାରୀ ଓ ୮ ଜଣ ସିଆରପିଏଫ ଯବାନ ଥିବା ସୂଚନା ମିଳିଛି।
ଏହି ଘଟଣା ପରେ କେରଳରେ ରାଜନୈତିକ ତାତି ବଢ଼ିଯାଇଛି। ଏକପଟେ ବିରୋଧୀ ଦଳମାନେ କେନ୍ଦ୍ରୀୟ ଏଜେନ୍ସି ଉପରେ ଆକ୍ରମଣକୁ ଗଣତନ୍ତ୍ର ପାଇଁ ବିପଦଜନକ ବୋଲି କହୁଥିବା ବେଳେ, ଅନ୍ୟପଟେ ସିପିଆଇ(ଏମ) ପକ୍ଷରୁ ରେଡ୍ର ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ ଉଠାଯାଉଛି।