ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଆର୍ମି ହସ୍ପିଟାଲ୍ରେ ନୂତନ 3T MRI ମେସିନର ଉଦ୍ଘାଟନ କରିଛନ୍ତି। ଏହାଦ୍ୱାରା ଯବାନ ଏବଂ ସେମାନଙ୍କ ପରିବାରକୁ ଶୀଘ୍ର ଓ ସଠିକ୍ ଯାଞ୍ଚ ସୁବିଧା ମିଳିପାରିବ। ସେ ଅଙ୍ଗଦାନକୁ ମାନବିକତାର ସବୁଠାରୁ ବଡ଼ ସେବା ବୋଲି ଅଭିହିତ କରି ସୈନିକ ଏବଂ ସାଧାରଣ ନାଗରିକମାନଙ୍କୁ ଅଙ୍ଗଦାନ କରିବା ପାଇଁ ମଧ୍ୟ ଅପିଲ୍ କରିଛନ୍ତି।
ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ନୂଆଦିଲ୍ଲୀର ଆର୍ମି ହସ୍ପିଟାଲ୍ (R&R) ଠାରେ ନୂତନ 3T MRI ମେସିନର ଉଦ୍ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ DGAFMS ସର୍ଜନ ୱାଇସ୍ ଆଡମିରାଲ ଆରତୀ ସରିନ୍ ଏବଂ ସେନାର ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏହି ନୂତନ MRI ମେସିନ୍ ଆଧୁନିକ ଜ୍ଞାନକୌଶଳରେ ସମୃଦ୍ଧ। ଏହାଦ୍ୱାରା ମସ୍ତିଷ୍କ, ହୃଦୟ, କର୍କଟ (କ୍ୟାନ୍ସର), ହାଡ଼ ଏବଂ ଗମ୍ଭୀର ଆଘାତ ଜନିତ ରୋଗଗୁଡ଼ିକର ଯାଞ୍ଚ ପୂର୍ବ ଅପେକ୍ଷା ଅଧିକ ଦ୍ରୁତ ଏବଂ ସଠିକ୍ ଭାବରେ ହୋଇପାରିବ। ଏହାସହ ରୋଗୀମାନଙ୍କୁ ଅଧିକ ଆରାମଦାୟକ ସୁବିଧା ମିଳିବ। ସେନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ନୂତନ ସୁବିଧା ଦ୍ୱାରା ଯବାନ ଏବଂ ସେମାନଙ୍କ ପରିବାରକୁ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦିଆଯାଇପାରିବ।
କାର୍ଯ୍ୟକ୍ରମ ପରେ ସେନା ମୁଖ୍ୟ ଅଙ୍ଗଦାନ କରିଥିବା ପରିବାର ଏବଂ ଲିଭର୍ ଟ୍ରାନ୍ସପ୍ଲାଣ୍ଟ ଡୋନର (ଯକୃତ ଦାନ କରିଥିବା ବ୍ୟକ୍ତି) ମାନଙ୍କୁ ସମ୍ମାନିତ କରିଥିଲେ। ସେ କହିଥିଲେ ଯେ ଅଙ୍ଗଦାନ ମାନବିକତାର ସବୁଠାରୁ ବଡ଼ ସେବା ଅଟେ। ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ସୈନିକ, ପୂର୍ବତନ ସୈନିକ ଏବଂ ସାଧାରଣ ଜନତାଙ୍କୁ ଅଙ୍ଗଦାନ ପାଇଁ ଆଗକୁ ଆସିବାକୁ ଅନୁରୋଧ କରିଛନ୍ତି। ଏହି ଅବସରରେ ପ୍ରସିଦ୍ଧ ଲିଭର୍ ଟ୍ରାନ୍ସପ୍ଲାଣ୍ଟ ସର୍ଜନ ଡାକ୍ତର ସୁଭାଷ ଗୁପ୍ତାଙ୍କୁ ସେନାର ଅଙ୍ଗ ପ୍ରତ୍ୟାରୋପଣ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଅବଦାନ ପାଇଁ ‘ଚିଫ୍ ଅଫ୍ ଆର୍ମି ଷ୍ଟାଫ୍ କମେଣ୍ଡେସନ୍’ ପ୍ରଦାନ କରାଯାଇଛି।
ଡାକ୍ତର ସୁଭାଷ ଗୁପ୍ତାଙ୍କୁ କରାଗଲା ସମ୍ମାନିତ
ଏହି ଅବସରରେ ଜଣାଶୁଣା ହେପାଟୋ-ବିଲିୟାରୀ ଏବଂ ଲିଭର୍ ଟ୍ରାନ୍ସପ୍ଲାଣ୍ଟ ସର୍ଜନ ଡାକ୍ତର ସୁଭାଷ ଗୁପ୍ତାଙ୍କୁ ସେନାର ଚିକିତ୍ସା ବ୍ୟବସ୍ଥାରେ ଚାଲିଥିବା ଅଙ୍ଗ ପ୍ରତ୍ୟାରୋପଣ (ଅର୍ଗାନ ଟ୍ରାନ୍ସପ୍ଲାଣ୍ଟ) କାର୍ଯ୍ୟକ୍ରମକୁ ସଫଳ କରିବାରେ ତାଙ୍କର ଅବଦାନ ପାଇଁ COAS କମେଣ୍ଡେସନ୍ କାର୍ଡରେ ସମ୍ମାନିତ କରାଯାଇଛି।
ଆର୍ମି ଚିଫ୍ ସଶସ୍ତ୍ର ବାହିନୀ ଅଙ୍ଗ ପୁନରୁଦ୍ଧାର ଏବଂ ପ୍ରତ୍ୟାରୋପଣ ପ୍ରାଧିକରଣ (AORTA) ର ପ୍ରୟାସକୁ ପ୍ରଶଂସା କରିଛନ୍ତି। ଏହା ଯବାନମାନଙ୍କ ମଧ୍ୟରେ ଅଙ୍ଗଦାନ ପ୍ରତି ସଚେତନତା ବୃଦ୍ଧି କରିବା ଏବଂ ପ୍ରତ୍ୟାରୋପଣ ସହ ଜଡ଼ିତ ସ୍ୱାସ୍ଥ୍ୟ ସେବାକୁ ମଜବୁତ କରିବା ଦିଗରେ କାର୍ଯ୍ୟ କରିଛି। ‘ସେବା ପରମୋ ଧର୍ମ’ର ଆଦର୍ଶକୁ ଉଲ୍ଲେଖ କରି ଜେନେରାଲ ଦ୍ୱିବେଦୀ ସେନା କର୍ମଚାରୀ, ପୂର୍ବତନ ସୈନିକ ଏବଂ ନାଗରିକମାନଙ୍କୁ ଅଙ୍ଗଦାନର ସଂକଳ୍ପ ନେବାକୁ ଏବଂ ଜୀବନ ରକ୍ଷାକାରୀ ସ୍ୱାସ୍ଥ୍ୟ ସେବା ସହ ଜଡ଼ିତ ପଦକ୍ଷେପଗୁଡ଼ିକୁ ସମର୍ଥନ କରିବା ପାଇଁ ଉତ୍ସାହିତ କରିଛନ୍ତି।