ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଆଜି ବି କ୍ରମାଗତ ଭାବେ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କ ଜୀବନକୁ ନେଇ ଅନେକ ପ୍ରକାରର ପ୍ରଶ୍ନ ଉଠିଥାଏ। ତାଙ୍କ ବିଷୟରେ କୁହାଯାଏ ଯେ ଦେଶର ରାଜନୀତିରେ ବଂଶବାଦର ଆରମ୍ଭ ନେହେରୁ ପରିବାରରୁ ହିଁ ହୋଇଥିଲା। କଣ ତାଙ୍କ ପୋଷାକ ସଫା ହେବା ପାଇଁ ପ୍ୟାରିସ୍ ପଠାଯାଉଥିଲା? ତାଙ୍କ ନାଁ ସହିତ 'ପଣ୍ଡିତ' ଶବ୍ଦ କେଉଁଠାରୁ ଆସିଲା? ଏଡୱିନାଙ୍କ ସହ ତାଙ୍କର ସମ୍ପର୍କ କେମିତି ଥିଲା? ଏସବୁ ପ୍ରଶ୍ନ ଉପରେ ଇତିହାସକାର ପୁଷ୍ପେଶ ପନ୍ତ ନିଜ ଶୈଳୀରେ ଉତ୍ତର ରଖିଛନ୍ତି। ସେ କହିଛନ୍ତି ଯେ, ନେହେରୁ ନିଜ ଜୀବନରେ ଅନେକ କିଛି ନିଜ ଦମରେ ହାସଲ କରିଥିଲେ ଏବଂ ପିତାଙ୍କ ଯୋଗୁଁ ତାଙ୍କୁ କୌଣସି ବିଶେଷ ସୁବିଧା ମିଳିନଥିଲା।
ପଣ୍ଡିତ ଜବାହରଲାଲ ନେହେରୁ କେତେ ମାତ୍ରାରେ 'ପଣ୍ଡିତ' ଥିଲେ, ସେ ବିଷୟରେ ବିଶିଷ୍ଟ ଇତିହାସକାର ପୁଷ୍ପେଶ ପନ୍ତ କହିଛନ୍ତି, "ମୁଁ ତାଙ୍କୁ ପଣ୍ଡିତ ତ ଆଦୌ ଭାବେନାହିଁ। ମୁଁ ମୋ ପିଲାଦିନରୁ ତାଙ୍କ ପାଇଁ 'ଚାଚା ନେହେରୁ' ଶବ୍ଦ ହିଁ ଶୁଣି ଆସିଛି। ପିଲାମାନେ ତାଙ୍କୁ ଚାଚା ନେହେରୁ ବୋଲି ଡାକୁଥିଲେ। ପରେ ବୁଝିଲି ଯେ ସେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ମଧ୍ୟ ଥିଲେ। ତାଙ୍କର ବଡ଼ ବଡ଼ ଫଟୋ ଦେଖିବାକୁ ମିଳୁଥିଲା, କେତେବେଳେ ଗାନ୍ଧୀଙ୍କ ସହ ତ କେତେବେଳେ ପଟେଲଙ୍କ ସହ। ସେତେବେଳେ ଜଣାପଡ଼ିଲା ଯେ ସେ ଜଣେ ବଡ଼ ସ୍ୱାଧୀନତା ସଂଗ୍ରାମୀ ଥିଲେ। କିନ୍ତୁ ମୋର ଯେଉଁ ବ୍ୟକ୍ତିଗତ ପରିଚୟ ତାଙ୍କ ପ୍ରତି ରହିଛି, ତାହା ଚାଚା ନେହେରୁଙ୍କର ହିଁ ଅଟେ।"
‘ପଣ୍ଡିତ ଶବ୍ଦ ତାଙ୍କ ଉପରେ ଲଦି ଦିଆଯାଇଛି’
'ପଣ୍ଡିତ' ଶବ୍ଦ କେଉଁଠୁ ଆସିଲା, ସେ ବିଷୟରେ ପନ୍ତ କହିଛନ୍ତି, "ପଣ୍ଡିତ ଶବ୍ଦର ୨ଟି ଅର୍ଥ ଥାଏ। ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଗୋବିନ୍ଦ ବଲ୍ଲଭ ପନ୍ତଙ୍କୁ ମଧ୍ୟ ପଣ୍ଡିତ କୁହାଯାଉଥିଲା, ମହାମନା ମଦନ ମୋହନ ମାଲବ୍ୟଙ୍କୁ ମଧ୍ୟ ପଣ୍ଡିତ କୁହାଯାଉଥିଲା ଏବଂ ଅନ୍ୟ ଯେଉଁମାନେ ତିଲକ ଧାରଣ କରନ୍ତି ସେମାନେ ମଧ୍ୟ ପଣ୍ଡିତ। ମୋ ମତରେ ଯିଏ ପଢ଼ାଲେଖା ଜାଣିଥାଏ ଏବଂ ବିଦ୍ୱାନ ହୋଇଥାଏ, ସେ ମଧ୍ୟ ପଣ୍ଡିତ। ନେହେରୁଙ୍କୁ ବିଦ୍ୱାନ ମାନୁଥିବା ଲୋକ ଅନେକ ଥିଲେ। କିନ୍ତୁ ତାଙ୍କୁ 'ପଣ୍ଡିତ ନେହେରୁ' କହି ସମ୍ବୋଧନ କରୁଥିବା ଲୋକ ଖୁବ୍ କମ୍ ଥିଲେ। ଏହାସହ ତାଙ୍କ ସମସାମୟିକ ସମସ୍ତ ନେତା ତାଙ୍କୁ କେବଳ 'ଜବାହର' ବୋଲି ଡାକୁଥିଲେ। ସୁଭାଷ ଚନ୍ଦ୍ର ବୋଷ, କୃପାଳିନୀ ଏବଂ ସରୋଜିନୀ ନାଇଡୁ ପ୍ରମୁଖ ସମସ୍ତେ ତାଙ୍କୁ ଜବାହର କହୁଥିଲେ।" ସେ କହିଛନ୍ତି ଯେ ମୋ ମତରେ ପଣ୍ଡିତ ଶବ୍ଦଟି ତାଙ୍କ ଉପରେ ଲଦି ଦିଆଯାଇଛି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି କେହି ଆଧୁନିକ ଭାରତର ନିର୍ମାଣ କରିଛନ୍ତି, ସେ ହେଉଛନ୍ତି ପଣ୍ଡିତ ନେହେରୁ। ନେହେରୁଙ୍କ ପୁସ୍ତକ 'ଡିସକଭରୀ ଅଫ୍ ଇଣ୍ଡିଆ' ର ଉଲ୍ଲେଖ କରି ପନ୍ତ କହିଛନ୍ତି ଯେ, ନେହେରୁ ଭାରତର ସନ୍ଧାନ କରୁନଥିଲେ, ବରଂ ସେ ନିଜ ପାଇଁ ଏକ ସ୍ଥାନ ଖୋଜୁଥିଲେ ଯେ ମୁଁ କେଉଁଠି ଫିଟ୍ ହେଉଛି ଏବଂ ମୋର ଭୂମିକା କଣ ହୋଇପାରେ। ଭାରତ ମାତାଙ୍କ ସନ୍ଧାନ ବିଷୟରେ ସେ କହିଛନ୍ତି ଯେ, ସବୁଆଡ଼େ 'ଭାରତ ମାତା କୀ ଜୟ' ନାରା ଲାଗୁଥିଲା। ମୁଁ ଭାବୁଥିଲି ଯେ ଏହି ଭାରତ ମାତା କିଏ, ଯାହାଙ୍କ ପାଇଁ ନାରା ଲାଗୁଛି? ତେଣୁ ସେ ଜଣେ ଜାଠ୍ (କୃଷକ) ର ଉଲ୍ଲେଖ କରିଥିଲେ, ଯିଏ ଜଣେ ଚାଷୀ ଥିଲେ। ଅନେକ ପିଢ଼ି ଧରି ସେମାନେ ଚାଷ କରିଆସୁଥିଲେ ଏବଂ ଏହା ହିଁ ଭାରତ ମାତାଙ୍କ ମାଟି। ସେ ସବୁବେଳେ ଭାରତ ମାତାଙ୍କୁ ହିଁ ଖୋଜୁଥିଲେ।
ନେହେରୁଙ୍କ ଠାରୁ ଆରମ୍ଭ ହୋଇଥିଲା ବଂଶବାଦ!
ରାଜନୀତିରେ ନେହେରୁଙ୍କ ପ୍ରବେଶ ଏବଂ ବଂଶବାଦର ଆରମ୍ଭ ସହ ଜଡ଼ିତ ପ୍ରଶ୍ନ ଉପରେ ପନ୍ତ କହିଛନ୍ତି, "ଆରମ୍ଭରୁ ହିଁ ପାରାସୁଟ୍ ଜରିଆରେ ରାଜନୀତିରେ ପ୍ରବେଶ ହୋଇଆସୁଛି। ଯେଉଁ ପର୍ଯ୍ୟନ୍ତ ନେହେରୁଙ୍କ କଥା, ସେ ଯେତେବେଳେ ବିଦେଶରୁ ଭାରତ ଫେରିଲେ, ସେ ପ୍ରଥମେ ଆନି ବେସାନ୍ତଙ୍କ ସହ ଜଡ଼ିତ ହେଲେ। ପିତା ମୋତିଲାଲ ନେହେରୁ କଂଗ୍ରେସରେ ଥିଲେ, କିନ୍ତୁ ସେ ସେଠାରେ ଖୁବ୍ ଶାନ୍ତ ଥିଲେ। କିନ୍ତୁ ନେହେରୁ କଂଗ୍ରେସକୁ ଆସିଲେ ଏବଂ ଧୀରେ ଧୀରେ ଗାନ୍ଧୀଙ୍କ ନିକଟତର ହେଲେ। ମୋତିଲାଲ ସ୍ୱାଧୀନତା ସଂଗ୍ରାମରେ ଗାନ୍ଧୀଙ୍କ ଯୋଗୁଁ ଜଡ଼ିତ ହୋଇଥିଲେ। ପିତା ତାଙ୍କୁ ଯୋଡ଼ିନଥିଲେ, ବରଂ ମୁଁ କହିବି ଯେ ପୁଅ ହିଁ ପିତାଙ୍କୁ ରାଜନୀତି ସହ ଯୋଡ଼ିଥିଲା। ଜବାହରଲାଲ, ଗାନ୍ଧୀଙ୍କ ଦ୍ୱାରା ଖୁବ୍ ପ୍ରଭାବିତ ଥିଲେ।"
"ରାଜନୀତିରେ ପାରାସୁଟ୍ ଏଣ୍ଟ୍ରି ତ ପିତା ମୋତିଲାଲ ନେହେରୁଙ୍କର ତାଙ୍କ ପୁଅ ଯୋଗୁଁ ହୋଇଥିଲା। ମୋତିଲାଲ ଗାନ୍ଧୀଙ୍କ ଦ୍ୱାରା ପ୍ରଭାବିତ ହେଲେ ଏବଂ ଧୀରେ ଧୀରେ ସେ ଗାନ୍ଧୀଙ୍କ ନିକଟତର ହେଲେ। ମୋଟାମୋଟି ଭାବେ କୁହାଯାଇପାରେ ଯେ ନେହେରୁଙ୍କୁ ସବୁକିଛି ଉତ୍ତରାଧିକାରୀ ସୂତ୍ରରେ ମିଳିନଥିଲା। ଅଧିକାଂଶ ଜିନିଷ ସେ ନିଜ ଦମରେ ହାସଲ କରିଥିଲେ।"
କଣ ନେହେରୁଙ୍କ ପୂର୍ବପୁରୁଷମାନେ ମୁସଲମାନ ଥିଲେ!
କଣ ନେହେରୁଙ୍କ ପୂର୍ବପୁରୁଷମାନେ ମୁସଲମାନ ଥିଲେ, ଏହା ଉପରେ ପନ୍ତ କହିଛନ୍ତି, "ନେହେରୁଙ୍କ ପରିବାରର ଯଦି ୭ ପିଢ଼ିର ଖୋଜଖବର ନିଆଯାଏ, ତେବେ କେଉଁଠି ବି ଏହାର ଉଲ୍ଲେଖ ମିଳେନାହିଁ ଯେ ତାଙ୍କ ପୂର୍ବପୁରୁଷମାନେ ମୁସଲମାନ ଥିଲେ। ଯଦି ଆପଣ ତାଙ୍କ ପରିବାରର ପୂର୍ବପୁରୁଷଙ୍କ ବିଷୟରେ ପଢ଼ିବେ, ତେବେ ତାଙ୍କର ଜଣେ ପ୍ରସିଦ୍ଧ ପୂର୍ବପୁରୁଷଙ୍କ ବିଷୟରେ ସୂଚନା ମିଳେ। ତାଙ୍କର ଜଣେ ପୂର୍ବପୁରୁଷ ଗଙ୍ଗାଧର କୌଲ୍ ଦିଲ୍ଲୀରେ ସହର କୋତୱାଲ୍ ଥିଲେ।" ସେ ଆଗକୁ କହିଛନ୍ତି ଯେ ଜମ୍ମୁ-କାଶ୍ମୀରର ତ୍ରାଲ୍ ଅଞ୍ଚଳରେ 'ନୂର' ନାମକ ଯେଉଁ ସ୍ଥାନ ରହିଛି, ସେଠାରୁ ହିଁ 'ନେହେରୁ' ନାମ ମିଳିଥିଲା। ତାଙ୍କ ପୂର୍ବପୁରୁଷମାନେ ମୁସଲମାନ ନଥିଲେ।
କଣ ନେହେରୁଙ୍କ ପୋଷାକ ପ୍ୟାରିସ୍ରେ ସଫା ହେବାକୁ ଯାଉଥିଲା?
ଏହି ପ୍ରଶ୍ନ ଉପରେ ପନ୍ତ କହିଛନ୍ତି, "ଏହା ଏକ ବହୁତ ବଡ଼ ମୂର୍ଖାମୀ କଥା। ନେହେରୁ ନିଜେ ନିଜ ଆତ୍ମଜୀବନୀରେ ଏହାର ବର୍ଣ୍ଣନା କରିଛନ୍ତି ଯେ, ଆଲାହାବାଦ ସହରରେ ଏକ ଲଣ୍ଡ୍ରି (ଲୁଗା ସଫା ଦୋକାନ) ଥିଲା, ଯାହାର ନାମ ଥିଲା 'ପ୍ୟାରିସ୍ ଲଣ୍ଡ୍ରି'। ତେଣୁ ସ୍ୱାଭାବିକ ଭାବେ ତାହା ଏକ ବହୁତ ବଡ଼ ଲଣ୍ଡ୍ରି ହୋଇଥିବ। ନେହେରୁ ଧନୀ ଥିଲେ, ତେଣୁ ନିଶ୍ଚିତ ଭାବେ ତାଙ୍କ ପୋଷାକ ସଫା ହେବା ପାଇଁ ସେଠାକୁ ଯାଉଥିଲା।"
ସେ ଆହୁରି କହିଛନ୍ତି, "ଯେଉଁ ସମୟର ଏହି କଥା, ସେତେବେଳେ ଉଡ଼ାଜାହାଜ ତ ଥିଲା କିନ୍ତୁ ଖୁବ୍ କମ୍ ଥିଲା ଏବଂ ସାମୁଦ୍ରିକ ଜାହାଜ ଚାଲୁଥିଲା। ଏବଂ ଏହାର ଗୋଟିଏ ପଟୁ ଯିବା ପାଇଁ ୩-୪ ସପ୍ତାହ ସମୟ ଲାଗୁଥିଲା, ପୁଣି ଫେରିବା ପାଇଁ ଆଉ ୩-୪ ସପ୍ତାହ ଲାଗୁଥିଲା। ସେତେବେଳ ପର୍ଯ୍ୟନ୍ତ କଣ କୌଣସି ମଣିଷ ବିନା ପୋଷାକରେ ରହୁଥିବ? ହଁ, ଏହା ହୋଇପାରେ ଯେ ସେ କେବେ ବିଦେଶ ଯାତ୍ରାରେ ଯାଇଥିବେ ଏବଂ ଯାତ୍ରା ସମୟରେ ଆବଶ୍ୟକ ପଡ଼ିବାରୁ ପ୍ୟାରିସ୍ରେ ୨-୪ ଥର ପୋଷାକ ସଫା କରାଇଥିବେ।"
ଏଡୱିନାଙ୍କ ସହ ନେହେରୁଙ୍କ ସମ୍ପର୍କ କେମିତି ଥିଲା?
ଏଡୱିନା ମାଉଣ୍ଟବ୍ୟାଟେନଙ୍କ ସହ ନେହେରୁଙ୍କ ସମ୍ପର୍କ ଉପରେ ପୁଷ୍ପେଶ ପନ୍ତ କହିଛନ୍ତି, "ଏହି ସମ୍ପର୍କ ବିଷୟରେ କିଛି ବି ଲୁଚାଯାଇ ନାହିଁ। ମୁଁ ତ କହିବି ଯେ 'ପ୍ୟାରକୁ ପ୍ୟାର ହିଁ ରହିବାକୁ ଦିଅ, କୌଣସି ନାଁ ଦିଅନାହିଁ'। କେବଳ ମୁଁ ଏହାକୁ ଭଲପାଇବା କହୁନାହିଁ, ଏଡୱିନାଙ୍କ ଝିଅ ପାମେଲା ମାଉଣ୍ଟବ୍ୟାଟେନ ମଧ୍ୟ ଏହାକୁ ପ୍ରେମ ବୋଲି କହିଛନ୍ତି। ସେ ଲେଖିଥିଲେ, 'ମୋ ମା’ଙ୍କର ପଣ୍ଡିତ ନେହେରୁଙ୍କ ସହ ପ୍ରେମ ସମ୍ପର୍କ ଥିଲା। ତାଙ୍କ ପାଇଁ ଏହି ପ୍ରେମ ସମ୍ପର୍କ ଖୁବ୍ ଭଲ ଥିଲା।' ତାଙ୍କ ଜୀବନକାଳ ମଧ୍ୟରେ ଅନେକ ମହିଳା ବନ୍ଧୁଙ୍କ ନାଁ ଚର୍ଚ୍ଚାକୁ ଆସିଛି। ତାଙ୍କ ସହ ଭଲ ସମ୍ପର୍କ ଥିଲା। ପ୍ରେମର ସମ୍ପର୍କ ଦୁଇଜଣ ବ୍ୟକ୍ତିଙ୍କ ମଧ୍ୟରେ ହୋଇଥାଏ, ଏହି ସମ୍ପର୍କ ସେମାନଙ୍କ ମଧ୍ୟରେ କେମିତି ଥିଲା, ତାହା ସେମାନଙ୍କର ନିଜସ୍ୱ ବ୍ୟାପାର।"