ରାୟଗଡ଼ା: ଲୋକେ ଚନ୍ଦ୍ରପୃଷ୍ଠରେ ପହଁଚି ଯାଉଛନ୍ତି । ହେଲେ ଏଠି ଆମ୍ବୁଲାନ୍ସ ପହଁଚି ପାରୁନି । ୨୦୨୬ରେ ମଧ୍ୟ ଗାଁକୁ ନାହିଁ ରାସ୍ତା । ଦୁର୍ଗମ ଓ ଉପାନ୍ତ ଅଞ୍ଚଳରେ ସରକାରୀ ଯୋଜନା ସାତ ସପନ । ଏବେବି ଗର୍ଭବତୀଙ୍କ ସାହାରା କାନ୍ଧ ଓ ଭାରା । ରାସ୍ତା ନ ଥିବାରୁ କେତେବେଳେ ଭାରା, ଖଟିଆ, ଟୋକେଇ ତ ଆଉ କେତେବେଳେ ଟ୍ରାକ୍ଟରରେ ବୁହା ହେଉଛନ୍ତି ଗର୍ଭବତୀ । ଆଜି ଯନନୀ ଯନ୍ତ୍ରଣାର ଏକ ବିକଳ ଦୃଶ୍ୟ ରାୟଗଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି । ରାସ୍ତା ନ ଥିବାରୁ ଖାଲ, ଖମା, ନାଳ ଦେଇ ଖଟିଆରେ ଡାକ୍ତରଖାନା ଯାଇଛନ୍ତି ଜଣେ ଗର୍ଭବତୀ ।
ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ କୋଡିପାରି ପଞ୍ଚାୟତ ଅଡଜାଲ ଗ୍ରାମର ଜମାଧାର ମାଝୀଙ୍କ ସ୍ତ୍ରୀ ଫଗୁନଦେଇ ମାଝୀ ଗର୍ଭବତୀ ଥିଲେ । ଗର୍ଭ ଯନ୍ତ୍ରଣା ହେବାରୁ ପରିବାର ସାହି ପଡ଼ିଶାରେ ଭାଳେଣି ପଡ଼ିଥିଲା । ଖୋଜା ପଡ଼ିଥିଲା ଖଟିଆ । ଗାଁକୁ ରାସ୍ତା ନ ଥିବାରୁ ଜଙ୍ଗଲ ଭିତର ଦେଇ ନାଳ ପାରି ହୋଇ ବିପଦ ସଙ୍କୁଳ ଅବସ୍ଥାରେ ଫଗୁନକୁ ଗାଁ ଲୋକେ ଖଟିଆରେ ବୋହି ବୋହି ନେଇଥିଲେ । ଖଟିଆରେ ବୋହି ପ୍ରାୟ ୩ କିଲୋମିଟର ଦୂର ପାହାଡିଆ ପଥୁରିଆ ରାସ୍ତାରେ ନଦୀ ପାର କରି ଦୁଡିଘାଟ ଛକ ନିକଟକୁ ଆଣିଥିଲେ । ସେଠାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଗର୍ଭବତୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା କିପରି ରହିଛି ତାହା ଜଣାପଡ଼ି ନାହିଁ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ମଙ୍ଗଳବାର ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ ବ୍ଲକ୍ ଅନ୍ତର୍ଗତ କୌଶଲପଡ଼ା ଗାଁରୁ ମଧ୍ୟ ସମାନ ଖବର ଆସିଥିଲା । ସୀମା ଧରୁଆ ନାମରେ ଜଣେ ମହିଳାଙ୍କ ଗର୍ଭ ଯନ୍ତ୍ରଣା ହୋଇଥିଲା । କିନ୍ତୁ ଗାଁକୁ ଯିବା ପାଇଁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା। ଫଳରେ ସ୍ୱାମୀ ରୋହିତ ଧରୁଆ ଓ ଜଣେ ପଡ଼ୋଶୀ ମିଶି ସୀମାଙ୍କୁ କାନ୍ଧରେ ବୋହି ଦୁଇ କିଲୋମିଟର ଦୂର ପର୍ଯ୍ୟନ୍ତ ନେଇଥିଲେ। ମୁଖ୍ୟ ରାସ୍ତାରେ ପହଞ୍ଚିବା ପରେ ଆମ୍ବୁଲାନ୍ସରେ ଖପ୍ରାଖୋଲ ହସ୍ପିଟାଲକୁ ନିଆଯାଇଥିଲା। ପ୍ରସବ ପରେ ନବଜାତ ଶିଶୁଟିର ମୃତ୍ୟୁ ହୋଇଥିଲା । ସୀମାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଜଟିଳ ହେବାରୁ ତାଙ୍କୁ ପାଟଣାଗଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଆଉ ଏକ ଶିଶୁପୁତ୍ର ଜନ୍ମ ହୋଇଥିଲେ ମଧ୍ୟ ସେ ମଧ୍ୟ କିଛି ଘଣ୍ଟା ପରେ ଆଖି ବୁଜିଦେଇଥିଲା ।