ପିପିଲି: ପୁରୀ ଜିଲ୍ଲା ପିପିଲିରେ ଗୋଚର ଓ ଶ୍ମଶାନ ଜମିକୁ ନେଇ ବଡ଼ ଧରଣର ଜାଲିଆତି ଅଭିଯୋଗ । ଗ୍ରାମବାସୀଙ୍କ ପାଇଁ ସଂରକ୍ଷିତ ଏକର ଏକର ସରକାରୀ ଜମି ଏବେ ପ୍ରଭାବଶାଳୀ ଓ ବିଲଡରଙ୍କ କବଜାରେ ଥିବା ଅଭିଯୋଗ ହୋଇଛି । କାଗଜ କଲମରେ ଗୋଚର ଓ ଶ୍ମଶାନ ରହିଥିବାବେଳେ ବାସ୍ତବରେ ଚାଲିଛି ଜବରଦଖଲ ଓ ଅଟାଳିକା ନିର୍ମାଣ । ତହସିଲ କାର୍ଯ୍ୟାଳୟରେ କେହି ନ ଶୁଣିବା ପରେ ଭୁବନେଶ୍ୱର ଭିଜିଲାନ୍ସ ଏସପିଙ୍କ ନିକଟରେ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ପିପିଲି ତହସିଲ ଅନ୍ତର୍ଗତ ମାଟିଆପଡା ମୌଜାରେ ଥିବା କିଛି ମୂଲ୍ୟବାନ ସରକାରୀ ଜମିକୁ ନେଇ ଏବେ ଜୋର ଧରିଛି ବିବାଦ । ଅଭିଯୋଗ ଅନୁସାରେ ପ୍ଲଟ ନମ୍ବର ୩୦୩, ୩୦୪, ୩୩୧ ଓ ୩୩୨ ଗ୍ରାମବାସୀଙ୍କ ପାଇଁ ସଂରକ୍ଷିତ ଗୋଚର ଓ ଶ୍ମଶାନ ଜମି। ପ୍ଲଟ ନଂ ୩୦୩ ରେ ୨୮ ଡିସିମିଲି ଶ୍ମଶାନ ଜମି ଥିବା ବେଳେ ପ୍ଲଟ ନଂ ୩୦୪ରେ ରହିଛି ୧ ଏକର ୪ ଡିସିମିଲି ଗୋଚର ଜମି । ସେହିପରି ୩୩୧ ପ୍ଲଟରେ ୧ ଏକର ୨୫ ଡିସିମିଲି ଗୋଚର ଓ ୩୩୨ ପ୍ଲଟରେ ୬୦ ଡିସିମିଲି ଶ୍ମଶାନ ଜମି ରହିଛି। ଅର୍ଥାତ୍ ସମୁଦାୟ ୩ ଏକର ୧୭ ଡିସିମିଲି ସରକାରୀ ଜମି ଗ୍ରାମବାସୀଙ୍କ ସାଧାରଣ ସ୍ୱାର୍ଥ ପାଇଁ ସଂରକ୍ଷିତ ଥିଲା।
ଏହି ସମସ୍ତ ଜମି ଏବେ କେବଳ ରେକର୍ଡରେ ରହିଛି। ବାସ୍ତବରେ ଅଧିକାଂଶ ଜମି ଜବରଦଖଲ ହୋଇସାରିଲାଣି । ବିଲଡରମାନେ କବଜା କରିଛନ୍ତି ତ ଆଉ କେଉଁଠି ପ୍ରଭାବଶାଳୀ ବ୍ୟକ୍ତି ଗୋଚର ଓ ଶ୍ମଶାନ ଜମିକୁ ମାଡ଼ି ବସି ଅଟାଳିକା ନିର୍ମାଣ କରୁଛନ୍ତି । ଯାହାର ପ୍ରଭାବ ସିଧାସଳଖ ପ୍ରଭାବ ସ୍ଥାନୀୟ ଗୋପାଳକଙ୍କ ଉପରେ ପଡ଼ିଛି । ଗୋଚର ଜମି ଅଭାବରୁ ଗୋ ପାଳନରେ ନାନା ସମସ୍ୟା ଦେଖାଦେଇଛି । କେବଳ ସେତିକି ନୁହେଁ ଶ୍ମଶାନ ଜମି ମଧ୍ୟ ଜବରଦଖଲରେ ରହିଥିବାରୁ ସ୍ଥାନୀୟ ଲୋକେ ଶବ ସତ୍କାର ପାଇଁ ମଧ୍ୟ ଅସୁବିଧା ଭୋଗୁଥିବା ଅଭିଯୋଗ କରିଛନ୍ତି।
ଦୀର୍ଘ ପାଞ୍ଚ ହେବ ପ୍ରଶାସନିକ ଅଧିକାରୀଙ୍କୁ ଅଭିଯୋଗ କରିଆସୁଛନ୍ତି । କିନ୍ତୁ କୌଣସି ସୁଫଳ ମିଳୁନାହିଁ । ଏଥିରେ ପ୍ରଭାବଶାଳୀ ବ୍ୟକ୍ତି ଏବଂ କିଛି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଭୂମିକା ଥିବା ସନ୍ଦେହ କରାଯାଉଛି।
ତେଣୁ ସମଗ୍ର ଘଟଣାର ଭିଜିଲାନ୍ସ ତଦନ୍ତ କରାଯାଇ ଜଡିତ ଅଧିକାରୀ ଓ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି ଗ୍ରାମବାସୀ ।