ମୟୂରଭଞ୍ଜ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ପିକ୍ଅପ୍ ଭ୍ୟାନ୍ ରାସ୍ତା କଡ଼ରେ ଥିବା ଏକ ଦୋକାନ ଭିତରକୁ ପଶିଯିବାରୁ ଜଣେ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏହି ଘଟଣା ବାହାଲଦା ଥାନା ଅଧୀନ ବାନାଡୁଙ୍ଗୁରି ଅଞ୍ଚଳରେ ଘଟିଛି।
ସୂଚନା ଅନୁଯାୟୀ, ସାମଗ୍ରୀ ବୋଝେଇ ଏକ ପିକ୍ଅପ୍ ଭ୍ୟାନ୍ ରାଇରଙ୍ଗପୁରରୁ ଜାମସେଦପୁର ଅଭିମୁଖେ ଯାଉଥିଲା। ତେବେ ବାନାଡୁଙ୍ଗୁରି ନିକଟରେ ହଠାତ୍ ଚାଳକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ ଭ୍ୟାନ୍ଟି ସିଧାସଳଖ ରାସ୍ତା କଡ଼ରେ ଥିବା ଏକ ଦୋକାନ ଭିତରକୁ ପଶିଯାଇଥିଲା।
ଦୁର୍ଘଟଣାର ଆଘାତ ଏତେ ଜୋରଦାର ଥିଲା ଯେ ଦୋକାନର କାନ୍ଥ, ଦରଜା ଏବଂ ଭିତରେ ଥିବା ଆସବାବପତ୍ର ଭାଙ୍ଗି ଚୁରମାର ହୋଇଯାଇଥିଲା। ସେତେବେଳେ ଦୋକାନ ଭିତରେ ଥିବା ଜଣେ ମହିଳା ଗୁରୁତର ଭାବେ ଆହତ ହୋଇ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ।
ଘଟଣା ପରେ ଗାଡ଼ି ଚାଳକ ଭୟଭୀତ ହୋଇ ଗାଡ଼ି ଛାଡ଼ି ଫେରାର ହୋଇଯାଇଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ଏହାସହ ପୋଲିସ ଫେରାର ଚାଳକଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ କରାଯାଉଛି।