କେନ୍ଦୁଝର: ମା’ ତାରିଣୀଙ୍କ ଦର୍ଶନ କରିବା ପାଇଁ ଘରୁ ବାହାରିଥିଲେ। ମନରେ ଥିଲା ଭକ୍ତି, ଆଶା ଓ ଶ୍ରଦ୍ଧା। କିନ୍ତୁ ଭାଗ୍ୟରେ ଲେଖା ଥିଲା ଅନ୍ୟ କିଛି। ଘଟଗାଁ ଅଭିମୁଖେ ଯାଉଥିବା ଏକ କାର ଭୟଙ୍କର ଦୁର୍ଘଟଣାର ଶିକାର ହୋଇ କୁଶେଇ ନଦୀରେ ଖସିପଡ଼ିବାରୁ ଦୁଇ ଜଣ ଯୁବକଙ୍କ ଜୀବନ ଚାଲିଯାଇଛି। ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇ ଜୀବନ ସହ ସଂଘର୍ଷ କରୁଛନ୍ତି।
ଏହି ମର୍ମନ୍ତୁଦ ଘଟଣା କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଅଧୀନ ରାଶୋଳ ପଞ୍ଚାୟତ ଅନ୍ତର୍ଗତ କୁଶେଇ ନଦୀ ପୋଲ ଉପରେ ଘଟିଛି। ସୂଚନା ଅନୁସାରେ ଢେଙ୍କାନାଳ ଟାଉନର ୪ ଜଣ ଯୁବକ ଆଜି ସକାଳେ ଘଟଗାଁସ୍ଥିତ ପ୍ରସିଦ୍ଧ ମା’ ତାରିଣୀ ପୀଠକୁ ଦର୍ଶନ ପାଇଁ ଏକ କାରରେ ବାହାରିଥିଲେ।
ଯାତ୍ରା ସୁରୁଖୁରୁରେ ଚାଲିଥିବା ବେଳେ କୁଶେଇ ନଦୀ ପୋଲ ନିକଟରେ ହଠାତ୍ ଚାଳକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ କାରଟି ପୋଲରୁ ସିଧାସଳଖ ନଦୀ ମଧ୍ୟକୁ ଖସିପଡ଼ିଥିଲା। ଦୁର୍ଘଟଣାର ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ ଏବଂ ତୁରନ୍ତ ପୁଲିସକୁ ସୂଚନା ଦେଇଥିଲେ।
ଦୈତାରୀ ପୁଲିସ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ କାର ଭିତରେ ଫସିଥିବା ୪ ଜଣଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ମା’ ତାରିଣୀଙ୍କ ଦର୍ଶନ ପାଇଁ ଆରମ୍ଭ ହୋଇଥିବା ଏହି ଯାତ୍ରା ଶେଷରେ ଏକ ଅକାଳ ବିପର୍ଯ୍ୟୟରେ ପରିଣତ ହୋଇଛି। ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ପୁଲିସ ମାମଲା ରୁଜୁ କରି ଦୁର୍ଘଟଣାର ପ୍ରକୃତ କାରଣ ନେଇ ତଦନ୍ତ ଜାରି ରଖିଛି।