ବରଗଡ଼: କାଳବୈଶାଖୀରେ ବରଗଡ଼ରେ ଲକ୍ଷାଧିକ ଟଙ୍କାରେ ନିର୍ମିତ ଧନୁଯାତ୍ରା ଗେଟ୍ ଭାଙ୍ଗିବା ପରେ ରାଜନୀତି ତୀବ୍ର ହୋଇଛି । ଗେଟ୍ ନିର୍ମାଣରେ ବଡ଼ ଧରଣର ଦୁର୍ନୀତିର ଗନ୍ଧ ବାରିଛନ୍ତି ସ୍ଥାନୀୟ ସାଂସଦ ପ୍ରଦୀପ ପୁରୋହିତ । ତେଣୁ ଏହାର ଭିଜିଲାନ୍ସ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଆଇନ, ଅବକାରୀ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଚିଠି ଲେଖିଛନ୍ତି ସାଂସଦ ପୁରୋହିତ ।
ବରଗଡ଼ ପୂର୍ତ୍ତ ବିଭାଗ ଡିଭିଜନ ଅଧୀନରେ ନିର୍ମିତ ଧନୁଯାତ୍ରା ଗେଟ୍ କାଳ ବୈଶାଖୀରେ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିଲା । ଏହା ଦ୍ୱାରା ଦୁଇ ଜଣ ସାଧାରଣ ବ୍ୟକ୍ତି ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ଯାହାକୁ ନେଇ ଚିଠିରେ କ୍ଷୋଭ ପ୍ରକାଶ କରିଛନ୍ତି ସାଂସଦ । ନିର୍ମାଣରେ ଦୁର୍ନୀତି, ନିମ୍ନମାନର କାମ ଏବଂ ଅଫଲାଇନ୍ ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗରେ ସେ ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି । ଗତ ଧନୁଯାତ୍ରା ମହୋତ୍ସବ ସମୟରେ ଥାନା ଛକଠାରେ ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମିତ ଧନୁଯାତ୍ରା ହଠାତ ଭୁଶୁଡ଼ି ପଡ଼ିଥିଲା । ନୂଆ ନିର୍ମାଣ ହୋଇଥିବା ଗେଟ୍ ଏଭଳି ଭାଙ୍ଗିଯିବା ସରକାରୀ ପାଣ୍ଠିର ଅପବ୍ୟବହାର, ନିମ୍ନମାନର ସାମଗ୍ରୀ ବ୍ୟବହାର ଏବଂ ଚରମ ଅବହେଳାକୁ ଦର୍ଶାଉଛି ବୋଲି କହିଛନ୍ତି ବରଗଡ ସାଂସଦ ।
ସେ ଆହୁରି କହିଛନ୍ତି ଯେ ଧନୁଯାତ୍ରା ବିଶ୍ୱର ସବୁଠାରୁ ବଡ଼ ମୁକ୍ତାକାଶ ରଙ୍ଗମଞ୍ଚ ଭାବେ ଜଣାଶୁଣା। ଏଭଳି ଘଟଣା ଜନସାଧାରଣଙ୍କ ସୁରକ୍ଷାକୁ ବିପଦରେ ପକାଇବା ସହ ରାଜ୍ୟ ସରକାରଙ୍କ ଭାବମୂର୍ତ୍ତି କ୍ଷୁର୍ଣ୍ଣ କରୁଛି । ବର୍ତ୍ତମାନର ବିଜେପି ସରକାର ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ପାଇଁ ପ୍ରତିଶ୍ରୁତିବଦ୍ଧ। ତେଣୁ ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ଏଭଳି ଆର୍ଥିକ ଅନିୟମିତତା ହୋଇଥିବା ସନ୍ଦେହ କରାଯାଉଛି । ତେଣୁ ଘଟଣାରେ ଭିଜିଲାନ୍ସ ତଦନ୍ତ କରାଯାଉ ବୋଲି ସାଂସଦ ପ୍ରଦୀପ ପୁରୋହିତ କହିଛନ୍ତି।