ଦେବଗଡ଼: ଚାରି ଦିନ ଧରି ଅନ୍ଧାରରେ ରହିବା ପରେ ଶେଷରେ ଫୁଟିପଡ଼ିଲା ଲୋକଙ୍କ ଅସନ୍ତୋଷ। ବିଦ୍ୟୁତ ସରବରାହ ବନ୍ଦ ହେବାରୁ ଅତିଷ୍ଠ ହୋଇପଡ଼ିଥିବା ଗ୍ରାମବାସୀ ମରାମତି କାମ ପାଇଁ ଆସିଥିବା ବିଦ୍ୟୁତ ବିଭାଗର ତିନିଜଣ କର୍ମଚାରୀଙ୍କୁ ଖୁଣ୍ଟରେ ବାନ୍ଧି ଦେଇଥିଲେ। ଦେବଗଡ଼ ଜିଲ୍ଲା ତିଲେଇବଣୀ ବ୍ଲକ ଅନ୍ତର୍ଗତ ଦୁଧିଆନାଳୀ ଗ୍ରାମରେ ଘଟିଥିବା ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ଗତ ସୋମବାର କାଳବୈଶାଖୀର ପ୍ରଭାବରେ ତିଲେଇବଣୀ ବ୍ଲକର ଢୋଲପଡ଼ା, ଦୁଧିଆନାଳୀ, ତାଳକୁଣ୍ଡି ସମେତ ଅନେକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ବହୁ ବିଦ୍ୟୁତ ଖୁଣ୍ଟ ଏବଂ ତାର କ୍ଷତିଗ୍ରସ୍ତ ହେବାରୁ ସଂପୃକ୍ତ ଅଞ୍ଚଳରେ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବ୍ୟାହତ ହୋଇଯାଇଥିଲା। ତେବେ ଚାରି ଦିନ ବିତିଯାଇଥିଲେ ମଧ୍ୟ ସ୍ଥିତିରେ ସୁଧାର ନ ଆସିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଚାଲିଥିଲା।
ଗୁରୁବାର ବିଦ୍ୟୁତ ବିଭାଗର ତିନିଜଣ କର୍ମଚାରୀ ଲାଇନ୍ ମରାମତି ପାଇଁ ଗାଁକୁ ପହଞ୍ଚିଥିଲେ। କିନ୍ତୁ ସେମାନଙ୍କୁ ଦେଖି ଉତ୍ୟକ୍ତ ଗ୍ରାମବାସୀ ଘେରାଉ କରିବା ସହ ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଦେଇଥିଲେ। ଗ୍ରାମବାସୀଙ୍କ ଦାବି ଥିଲା ଯେ, କେବଳ କର୍ମଚାରୀ ନୁହେଁ, ବିଭାଗର ଉଚ୍ଚପଦସ୍ଥ ଅଧିକାରୀମାନେ ଘଟଣାସ୍ଥଳକୁ ଆସି ସମସ୍ୟାର ସମାଧାନ କରନ୍ତୁ।
ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ବିଦ୍ୟୁତ ନଥିବାରୁ ମୋଟର ଚାଲିପାରିନଥିଲା। ଫଳରେ ପନିପରିବା ଓ ଅନ୍ୟାନ୍ୟ ଫସଲକୁ ପାଣି ଦିଆଯାଇନଥିବାରୁ ବ୍ୟାପକ କ୍ଷତି ହୋଇଛି। ଏହାସହ ତୀବ୍ର ଗ୍ରୀଷ୍ମପ୍ରବାହ ମଧ୍ୟରେ ବିଦ୍ୟୁତ ଅଭାବ ଲୋକଙ୍କ ଦୈନନ୍ଦିନ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଥିଲା।
ଘଟଣା ସମ୍ପର୍କରେ ଖବର ପାଇ କଂସର ଫାଣ୍ଡି ପୁଲିସ ଏବଂ ବିଦ୍ୟୁତ ବିଭାଗର ଅଧିକାରୀମାନେ ଗାଁରେ ପହଞ୍ଚିଥିଲେ। ପରେ ଆଲୋଚନା ଓ ଆଶ୍ୱାସନା ପରେ ଗ୍ରାମବାସୀ କର୍ମଚାରୀମାନଙ୍କୁ ମୁକ୍ତ କରିଥିଲେ। ତେବେ ଏହି ଘଟଣା ପୁଣିଥରେ ଗ୍ରାମାଞ୍ଚଳରେ ବିଦ୍ୟୁତ ସେବାର ଦୁର୍ବଳ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଛି।