ଭୁବନେଶ୍ୱର: ରାଜ୍ୟରେ ଭିଭିଆଇପି (VVIP)ଙ୍କ ଗସ୍ତ ସମ୍ପର୍କିତ ସମ୍ବେଦନଶୀଳ ସୂଚନା ସୋସିଆଲ ମିଡିଆରେ ଲିକ୍ ହେବା ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ଓଡ଼ିଶା ସରକାର। ଏନେଇ ଗୃହ ବିଭାଗ ପକ୍ଷରୁ ସମସ୍ତ ପ୍ରଶାସନିକ ଓ ପୁଲିସ ଅଧିକାରୀଙ୍କ ପାଇଁ କଡ଼ା ସତର୍କତା ଜାରି କରାଯାଇଛି।ଗୃହ ବିଭାଗର ଅତିରିକ୍ତ ସଚିବ ଭବେଶ କୁମାର ନାୟକଙ୍କ ସ୍ୱାକ୍ଷରିତ ଚିଠିରେ ଡିଜିପି, ଆଇଜି (ଗୁପ୍ତଚର), ସମସ୍ତ ଜିଲ୍ଲାପାଳ ଓ ଏସ୍ପିମାନଙ୍କୁ ବିଶେଷ ନିର୍ଦ୍ଦେଶ ଦିଆଯାଇଛି। ଭିଭିଆଇପିଙ୍କ ଗସ୍ତ ସମୟସୂଚୀ, ସୁରକ୍ଷା ବ୍ୟବସ୍ଥା, ଯାତାୟାତ ରୁଟ୍ ଓ ଅନ୍ୟାନ୍ୟ ଅପରେସନାଲ୍ ସୂଚନାକୁ ଅତ୍ୟନ୍ତ ଗୋପନୀୟ ଭାବେ ପରିଚାଳନା କରିବାକୁ କୁହାଯାଇଛି।
ସରକାରଙ୍କ ନଜରକୁ ଆସିଛି ଯେ, କେତେକ କ୍ଷେତ୍ରରେ ଭିଭିଆଇପିଙ୍କ ଗସ୍ତ ସମ୍ବନ୍ଧୀୟ ସୂଚନା ସୋସିଆଲ ମିଡିଆ ଓ ଅନ୍ୟ ଡିଜିଟାଲ୍ ମାଧ୍ୟମରେ ସାର୍ବଜନୀନ ହୋଇଯାଉଛି। ଏହା ସୁରକ୍ଷା ଦୃଷ୍ଟିରୁ ଗୁରୁତର ବିଷୟ ହୋଇଥିବାରୁ ତୁରନ୍ତ ପଦକ୍ଷେପ ନିଆଯାଇଛି।
ଗୃହ ବିଭାଗ ସ୍ପଷ୍ଟ କରିଛି ଯେ, ଅନୁମତି ବିନା କୌଣସି ଅଧିକାରୀ କିମ୍ବା କର୍ମଚାରୀ ଯଦି ଭିଭିଆଇପି ଗସ୍ତ ସମ୍ପର୍କିତ ସୂଚନା ସେୟାର କରନ୍ତି କିମ୍ବା ଲିକ୍ କରନ୍ତି, ତେବେ ସେମାନଙ୍କ ବିରୋଧରେ କଠୋର ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେବ।
ଏହା ସହିତ ସମସ୍ତ ବିଭାଗକୁ ଆଭ୍ୟନ୍ତରୀଣ ନିରୀକ୍ଷଣ ବ୍ୟବସ୍ଥା ଅଧିକ ସୁଦୃଢ଼ କରିବାକୁ ଏବଂ ସମ୍ବେଦନଶୀଳ ତଥ୍ୟର ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦେବାକୁ କୁହାଯାଇଛି।
ଭିଭିଆଇପିଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସରକାର ଏହି ପଦକ୍ଷେପ ନେଇଥିବା ବେଳେ, ଆଗାମୀ ଦିନରେ ଏପରି ଘଟଣା ରୋକିବା ପାଇଁ ପ୍ରଶାସନ ଅଧିକ ସତର୍କ ରହିବ ବୋଲି ସୂଚନା ମିଳିଛି। ଏବେ ଭିଭିଆଇପି ଗସ୍ତ ସମ୍ପର୍କିତ ସୂଚନା ସେୟାର କରିବା ପୂର୍ବରୁ ପ୍ରତ୍ୟେକ ଅଧିକାରୀଙ୍କୁ ଅଧିକ ସାବଧାନ ରହିବାକୁ ପଡ଼ିବ।