ପଟ୍ଟାମୁଣ୍ଡାଇ: ମହଙ୍ଗା ପଡ଼ିଛି ମହିଳା ଆଇଆଇସିଙ୍କ ଦବଙ୍ଗଗିରି । ଅଭିଯୋଗ କରିବାକୁ ଆସିଥିବା ମା ଏବଂ ପୁଅକୁ ମାଡ଼ ମାରିବା ଘଟଣାରେ କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ ସାମୁଦ୍ରିକ ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆଇଆଇସିଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ ।
ଅଭିଯୋଗ ନେଇ ତାଳଚୁଆ ସାମୁଦ୍ରିକ ଥାନାକୁ ଆସିଥିବା ମା’ ଓ ପୁଅକୁ ଆଇଆଇସି ସନ୍ଧ୍ୟାରାଣୀ ଜେନା ନିସ୍ତୁକ ମାଡ଼ ମାରିବା ସହିତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଥିଲା । ପୀଡ଼ିତା ଅନ୍ନପୂର୍ଣ୍ଣା ମଣ୍ଡଳ (୫୮) ଓ ତାଙ୍କ ପୁଅ ଅନନ୍ତ କୁମାର ମଣ୍ଡଳ ପଟ୍ଟାମୁଣ୍ଡାଇ ଏସଡିପିଓ ସୁକାନ୍ତ କୁମାର ପାତ୍ରଙ୍କୁ ଭେଟି ଅଭିଯୋଗ କରିଥିଲେ । ଏହା ପରେ ସମ୍ପୃକ୍ତ ଆଇଆଇସିଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନିଲମ୍ବିତ କରାଯାଇଛି । ଏହି ନିଲମ୍ବନ ଆଦେଶ ତତ୍କାଳ ସ୍ୱରୂପ ଲାଗୁ ହୋଇଛି ।
ପ୍ରକାଶ ଥାଉକି, ଗତ ୨୫ ତାରିଖରେ ତାଳଚୁଆ ବାଘମାରୀ ପଞ୍ଚାୟତ ଗିରିଆପାହୀ ଗାଁର ପବନ କୁମାର ମଣ୍ଡଳଙ୍କ ପତ୍ନୀ ଅନ୍ନପୂର୍ଣ୍ଣା ମଣ୍ଡଳ ଓ ତାଙ୍କ ପୁଅ ଅନନ୍ତ କୁମାର ମଣ୍ଡଳ ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ । ସ୍ୱାମୀ ପବନ ମଣ୍ଡଳ ହଇରାଣ ହରକତ କରୁଥିବା ନେଇ ସେ ଅନ୍ନପୂର୍ଣ୍ଣା ପୁଅ ସହିତ ଥାନାକୁ ଯାଇଥିବାବେଳେ ଓଲଟା ନ୍ୟାୟ ପାଇବା ବଦଳରେ ପୋଲିସ ବର୍ବରତାର ଶୀକାର ହୋଇଥିଲେ । ଥାନା ଅଧିକାରିଣୀ ସନ୍ଧ୍ୟାରାଣୀ ଜେନା ଏତଲା ରଖିବା ବଦଳରେ ସେମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଅନ୍ନପୂର୍ଣ୍ଣାଙ୍କୁ ଚୁଟି ଘୋଷାଡ଼ି ଅର୍ଦ୍ଧଲଗ୍ନ କରି ମାଡ଼ ମାରିଥିଲେ। ରାତି ପ୍ରାୟ ୧୨ଟା ଯାଏ ଥାନାରେ ଦିଆଯାଇଥିଲା ଥାର୍ଡ ଡିଗ୍ରୀ । ଖାଲି ସେତିକି ନୁହେଁ ଅନନ୍ତଙ୍କୁ ଥାନାରେ ଥିବା ପାଇଖାନା ଭିତରେ ଆଇଆଇସି ମାଡାମ୍ ଓ ଅନ୍ୟ ଜଣେ କନଷ୍ଟେବଳ ନିସ୍ତୁକ ମାଡ଼ ମାରିଥିବା କହିଥିଲେ । ଏହି କଥା କାହାକୁ ନ କହିବାକୁ ଧମକ ଦେଇଥିଲେ ।
ଏ ନେଇ ଅନ୍ନପୂର୍ଣ୍ଣା ଏବଂ ଅନନ୍ତ ପଟ୍ଟାମୁଣ୍ଡାଇ ଏସଡିପିଓଙ୍କ ନିକଟରେ ଫେରାଦ ଦେଇଥିଲେ।