ଭୁବନେଶ୍ୱର: ଖରାଦିନେ ପାଣିର ମଜା ନେବାକୁ ଲୋକଙ୍କୁ ଆକୃଷ୍ଟ କରୁଥିବା ୱଣ୍ଡେର୍ଲା ୱାଟର୍ ପାର୍କ ପାଇଁ ଅଡ଼ୁଆ ବଢ଼ିଛି । ଜଙ୍ଗଲ ଜମି ଦଖଲ କରିବା ଅଭିଯୋଗ ଜାତୀୟ ସବୁଜ ପ୍ରାଧୀକରଣ ବା ଏନଜିଟି ନୋଟିସ୍ ଜାରି କରିଛି । ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ସମେତ ୧୨ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି ।
ଭୁବନେଶ୍ୱରଠାରୁ ୨୫ କିଲୋମିଟର୍ ଦୂରରେ କୁମ୍ଭାରବସ୍ତା ଗ୍ରାମ ନିକଟରେ ୱଣ୍ଡେର୍ଲା ୱାଟର୍ ପାର୍କ ନିର୍ମାଣ ହୋଇଛି । ତେବେ ଏହି ପାର୍କ ଜଙ୍ଗଲ ଜମି ଉପରେ ତିଆରି ହୋଇଥିବା ଅଭିଯୋଗ ହୋଇଛି । ପ୍ରାୟ ୧ ଏକର ୮୬୦ ଡିସିମିଲ୍ ଜଙ୍ଗଲ ଜମି ଜବରଦଖଲ ହୋଇଛି । ଜଙ୍ଗଲ ଜମି କେବଳ ବନ ବିଭାଗ ଦ୍ୱାରା ବ୍ୟବହାର ହୋଇପାରିବ । ଅନ୍ୟ ବ୍ୟବହାର ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅନୁମତି ଆବଶ୍ୟକ । କିନ୍ତୁ ୱଣ୍ଡେର୍ଲା ପାର୍କ ଏପରି କିଛି ଅନୁମତି ନେଇ ନ ଥିବା ଏନଜିଟିରେ ଅଭିଯୋଗ ହୋଇଛି ।
ଏ ନେଇ ଏନଜିଟି ମୁଖ୍ୟ ଶାସନ ସଚିବ, ଖୋର୍ଦ୍ଧା ଜିଲ୍ଲାପାଳ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଉଭୟ ରାଜ୍ୟ ଏବଂ କେନ୍ଦ୍ରୀୟ ବନ ବିଭାଗ ମୁଖ୍ୟଙ୍କୁ ନୋଟିସ୍ ଜାରି କରିଛନ୍ତି । ଅଭିଯୋଗ ସତ୍ୟାସତ୍ୟ ପାଇଁ ଏକ ମିଳିତ ତଦନ୍ତ କମିଟି ଗଠନ କରି ତଦନ୍ତ କରିବାକୁ ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୬ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ଏନଜିଟି ନୋଟିସ କରିଛନ୍ତି ।