ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଚେୟାରମ୍ୟାନ ତଥା ମ୍ୟାନେଜିଂ ଡିରେକ୍ଟର ମୁକେଶ ଅମ୍ବାନୀ ଖୁବ୍ଶୀଘ୍ର ଜିଓର ଆଇପିଓକୁ ନେଇ ବଡ଼ ଘୋଷଣା କରିପାରନ୍ତି। ୧୯ ଜୁନ୍ରେ ହେବାକୁ ଥିବା କମ୍ପାନୀର ବାର୍ଷିକ ସାଧାରଣ ସଭା (AGM) ରେ ଜିଓ ଆଇପିଓ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ସେୟାର କରାଯାଇପାରେ। କମ୍ପାନୀ ଷ୍ଟକ୍ ଏକ୍ସଚେଞ୍ଚ ଫାଇଲିଂରେ ଜଣାଇଛି ଯେ, ଏହି ଏଜିଏମ୍ ୧୯ ଜୁନ୍ ଅପରାହ୍ନ ୨ଟାରେ ଭିଡିଓ କନଫରେନ୍ସିଂ ଏବଂ ଅନ୍ୟାନ୍ୟ ଅଡିଓ-ଭିଜୁଆଲ୍ ମାଧ୍ୟମରେ ଆୟୋଜିତ ହେବ। ଏଜିଏମ୍ରେ ଭୋଟ୍ ଦେବା ପାଇଁ ଯୋଗ୍ୟ ସେୟାରଧାରକମାନଙ୍କ କଟ୍-ଅଫ୍ ଡେଟ୍ (Cut-off date) ୧୨ ଜୁନ୍ ସ୍ଥିର କରାଯାଇଛି।
ଜିଓ ଆଇପିଓ (Jio IPO) କୁ ନେଇ ଏପର୍ଯ୍ୟନ୍ତ ମିଳିଥିବା ସୂଚନା:
ଭାରତର ସବୁଠାରୁ ବଡ଼ ଟେଲିକମ୍ କମ୍ପାନୀ ଜିଓ ପ୍ଲାଟଫର୍ମସ ଦୀର୍ଘ ସମୟ ହେବ ଏକ ବଡ଼ ଆଇପିଓ ପାଇଁ ପ୍ରସ୍ତୁତି କରୁଛି। ରିପୋର୍ଟ ଅନୁଯାୟୀ, ଏହି ଆଇପିଓ ମାଧ୍ୟମରେ ପ୍ରାୟ ୪ ଅରବ ଡଲାର ଅର୍ଥାତ୍ ପ୍ରାୟ ୩୩ ହଜାର କୋଟି ଟଙ୍କା ସଂଗ୍ରହ କରାଯାଇପାରେ। ମେ ମାସରେ ଆସିଥିବା ଏକ ରିପୋର୍ଟରେ କୁହାଯାଇଥିଲା ଯେ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଜିଓର ଲିଷ୍ଟିଂ ଗଠନରେ ପରିବର୍ତ୍ତନ କରୁଛି। ପୂର୍ବରୁ କମ୍ପାନୀ 'ଅଫର ଫର ସେଲ୍' (OFS) ମାଧ୍ୟମରେ ଆଇପିଓ ଆଣିବାକୁ ପ୍ରସ୍ତୁତ ହେଉଥିଲା, କିନ୍ତୁ ଏବେ ଏହାକୁ ସମ୍ପୂର୍ଣ୍ଣ ଭାବେ ଏକ 'ଫ୍ରେସ୍ ଇସ୍ୟୁ' (Fresh Issue) କରାଯାଇପାରେ।
କୁହାଯାଉଛି ଯେ, ବର୍ତ୍ତମାନର ନିବେଶକମାନେ ଆଇପିଓର ପ୍ରାଇସ୍ (ମୂଲ୍ୟ) ଅଧିକ ରଖିବାକୁ ଚାହୁଁଛନ୍ତି, କିନ୍ତୁ କମ୍ପାନୀର ମତରେ ମୂଲ୍ୟ ବହୁତ ଅଧିକ ରଖିଲେ ଲିଷ୍ଟିଂ ଦିନ ଖୁଚୁରା ନିବେଶକ (Retail Investors) ମାନେ କ୍ଷତି ସହିପାରନ୍ତି। ରିପୋର୍ଟ ଅନୁଯାୟୀ, ମୁକେଶ ଅମ୍ବାନୀଙ୍କ ପ୍ରାଥମିକତା ଆରମ୍ଭରୁ ହିଁ ଛୋଟ ନିବେଶକମାନଙ୍କ ସ୍ୱାର୍ଥ ରକ୍ଷା କରିବା ରହିଆସିଛି। ଯଦି ଆଇପିଓ ଫ୍ରେସ୍ ଇସ୍ୟୁ ଆକାରରେ ଆସେ, ତେବେ ସେଥିରୁ ମିଳିବାକୁ ଥିବା ଅର୍ଥ ସିଧାସଳଖ କମ୍ପାନୀ ପାଖକୁ ଯିବ। ଏହି ଅର୍ଥରୁ ପ୍ରାୟ ୨୫ ହଜାର କୋଟି ଟଙ୍କା କରଜ ସୁଝିବାରେ ବ୍ୟବହାର କରାଯାଇପାରେ ଏବଂ ବାକି ଅର୍ଥ କମ୍ପାନୀର ଅନ୍ୟାନ୍ୟ ଆବଶ୍ୟକତାରେ ଲଗାଯିବ।
ଜିଓର ବ୍ୟବସାୟ କ୍ରମାଗତ ଭାବେ ମଜଭୁତ:
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଆର୍ଥିକ ବର୍ଷ ୨୦୨୬ର ବାର୍ଷିକ ରିପୋର୍ଟ ଅନୁଯାୟୀ, ଜିଓ ପ୍ଲାଟଫର୍ମସ ଭାରତର ଡିଜିଟାଲ୍ ଇକୋସିଷ୍ଟମରେ ନିଜର ପତିଆରାକୁ ଆହୁରି ମଜଭୁତ କରିଛି। କମ୍ପାନୀ କହିଛି ଯେ, ୫ଜି (5G) ର ବହୁଳ ବ୍ୟବହାର, ଏଆରପିୟୁ (ARPU) ବୃଦ୍ଧି ଏବଂ ବ୍ରଡବ୍ୟାଣ୍ଡ ସେବାର ଚାହିଦା ବଢ଼ିବା ଯୋଗୁଁ ବ୍ୟବସାୟରେ ବହୁତ ଉନ୍ନତି ହୋଇଛି।
କମ୍ପାନୀ ଅନୁସାରେ, ଜିଓ ଏବେ କେବଳ ଏକ ଟେଲିକମ୍ କମ୍ପାନୀ ହୋଇ ରହିନାହିଁ, ବରଂ ଏକ ଗ୍ଲୋବାଲ୍ ଟେକ୍ନୋଲୋଜି ଲିଡର୍ ବନିବା ଦିଗରେ ଆଗକୁ ବଢ଼ୁଛି। କମ୍ପାନୀ କନେକ୍ଟିଭିଟି, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI), କ୍ଲାଉଡ୍ ଏବଂ ଡିଜିଟାଲ୍ ସେବାର ସମ୍ପ୍ରସାରଣ ଉପରେ ଅଧିକ ଫୋକସ୍ କରୁଛି।
ମାର୍ଚ୍ଚ ତ୍ରୈମାସିକରେ ଶାନଦାର ପ୍ରଦର୍ଶନ:
ଆର୍ଥିକ ବର୍ଷ ୨୦୨୬ (FY26) ର ଚତୁର୍ଥ ତ୍ରୈମାସିକରେ ଜିଓ ପ୍ଲାଟଫର୍ମସର ଅପରେଟିଂ ଆୟ ୧୩% ବଢ଼ି ୪୪,୯୨୮ କୋଟି ଟଙ୍କାରେ ପହଞ୍ଚିଛି। ସେହିପରି କମ୍ପାନୀର ଲାଭ ମଧ୍ୟ ୧୩% ବୃଦ୍ଧି ପାଇ ୭,୯୩୫ କୋଟି ଟଙ୍କା ହୋଇଛି। ଜିଓର ARPU (ପ୍ରତି ଗ୍ରାହକ ହାରାହାରି ଆୟ) ବୃଦ୍ଧି ପାଇ ୨୧୪ ଟଙ୍କା ହୋଇଛି। ଏହାସହ ପ୍ରତି ବ୍ୟକ୍ତି ଡାଟା ବ୍ୟବହାର ମାସିକ ୪୨.୩ GB ରହିଛି ଏବଂ ସମୁଦାୟ ଡାଟା ଟ୍ରାଫିକରେ ବାର୍ଷିକ ଆଧାରରେ ପ୍ରାୟ ୩୫% ବୃଦ୍ଧି ରେକର୍ଡ କରାଯାଇଛି।