ବେଙ୍ଗାଲୁରୁ: କର୍ଣ୍ଣାଟକରେ କ୍ଷମତା ସଂଘର୍ଷର ଅନ୍ତ ଘଟିଛି । ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ନିଜ ପଦରୁ ଗୁରୁବାର ଇସ୍ତଫା ଦେଇଛନ୍ତି । ବର୍ତ୍ତମାନ କର୍ଣ୍ଣାଟକ ରାଜ୍ୟପାଳ ଅନୁପସ୍ଥିତ ଥିବାରୁ ସେ ଲୋକଭବନରେ ପହଁଚି ଇସ୍ତଫା ଦେଇଛନ୍ତି । ସାଢ଼େ ସାତ ବର୍ଷ ମୁଖ୍ୟମନ୍ତ୍ରୀ ରହିବା ପରେ ସିଦ୍ଦରମୈୟା ନିଜ ପଦ ଛାଡ଼ିଛନ୍ତି ।
ଆଜି ସକାଳେ ସିଦ୍ଦରମୈୟା ନିଜ ବାସଭବନରେ ସମସ୍ତ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଡାକି ସକାଳ ଜଳଖିଆ ବୈଠକ କରିଥିଲେ । ଉପ ମୁଖ୍ୟମନ୍ତ୍ରୀ ଡି କେ ଶିବକୁମାର ବେଙ୍ଗାଲୁରୁରେ ପହଁଚିବା ପରେ ବିମାନବନ୍ଦରରୁ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଁଚିଥିଲେ । ଶିବକୁମାର ସିଦ୍ଧରମୈୟା ପାଦ ଛୁଇଁ ଆଶୀର୍ବାଦ ନେବା ସହିତ ଆଲିଙ୍ଗନ କରିଥିଲେ । ଏହା ପରେ ସିଦ୍ଦରମୈୟା ନିଜର ଇସ୍ତଫା ଦେବା ନିଷ୍ପତ୍ତି ଘୋଷଣା କରିଥିଲେ । ଏହି ସମୟରେ ସେ ବହୁତ ଭାବୁକ ହୋଇଯାଇଥିବା କୁହାଯାଉଛି । ଅନ୍ୟ ମନ୍ତ୍ରୀଗଣ ମଧ୍ୟ ଭାବୁକ ହୋଇଯାଇଥିଲେ । ଇସ୍ତଫା ଦେବା ପୂର୍ବରୁ ସେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବରେ ଡି.କେ. ଶିବକୁମାରଙ୍କ ନାମ ପ୍ରସ୍ତାବ ଆଗତ କରିଥିଲେ ।
ସିଦ୍ଦରମୈୟା କର୍ଣ୍ଣାଟକର ୧୬ତମ ମୁଖ୍ୟମନ୍ତ୍ରୀ ଥିଲେ । ୨୦୧୩ ରୁ ୨୦୧୮ ମସିହା ପର୍ଯ୍ୟନ୍ତ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହା ପରେ ୨୦ ମେ, ୨୦୨୩ରେ ପୁନର୍ବାର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହା ସହିତ ସେ ଦୁଇ ଦୁଇ ଥର ବିରୋଧୀ ଦଳ ନେତା ଭୂମିକା ମଧ୍ୟ ତୁଲାଇଥିଲେ । ୨୦୦୯ ରୁ ୨୦୧୩ ମସିହା ଏବଂ ୨୦୧୯ରୁ ୨୦୨୩ ମସିହା ପର୍ଯ୍ୟନ୍ତ ସେ ବିରୋଧୀ ଦଳ ନେତା ଥିଲେ ।
ସମର୍ଥକଙ୍କ ବିକ୍ଷୋଭ ପ୍ରଦର୍ଶନ
କର୍ଣ୍ଣାଟକରେ କ୍ଷମତା ପରିବର୍ତ୍ତନ ପରେ ବଡ଼ ରାଜନୈତିକ ଉତ୍ତେଜନା ଦେଖା ଦେଇଛି । ସିଦ୍ଦରମୈୟାଙ୍କ ସମର୍ଥକମାନେ ରାଜରାସ୍ତାକୁ ଓହ୍ଲାଇ ଆସି ନାରାବାଜି କରିବା ସହିତ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ସ୍ଲୋଗାନ୍ ଦେଇଛନ୍ତି । ଏହା ସହିତ ରାହୁଲ ଗାନ୍ଧୀଙ୍କ ଫଟୋରେ ନିଆଁ ଲଗାଇ ଦେଇଛନ୍ତି ।
ବର୍ଷିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ
ପୂର୍ବତନ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମଇ କହିଛନ୍ତି ଯେ ସିଦ୍ଦରମୈୟା ସାଢ଼େ ସାତ ବର୍ଷ (ପ୍ରାୟ ଆଠ ବର୍ଷ) ପୂରଣ କରିବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଓହରି ଯାଉଛନ୍ତି। ସରକାରଙ୍କ କାର୍ଯ୍ୟକାଳର ପ୍ରଥମ ଦିନରୁ ହିଁ ସିଦ୍ଦରମୈୟା ଏବଂ ଡି.କେ. ଶିବକୁମାରଙ୍କ ପାଇଁ କାର୍ଯ୍ୟକାଳ ଅଂଶୀଦାର କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ତାରିଖ ସ୍ଥିର କରାଯାଇଥିଲା । ଆରମ୍ଭରୁ ଡି.କେ. ଶିବକୁମାର ସ୍ପଷ୍ଟ କରିଥିଲେ ଯେ ସରକାରଙ୍କ କାର୍ଯ୍ୟକାଳର ଅଧା ପୂରଣ ହେବା ପରେ ସେ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଶିବକୁମାର ପ୍ରତ୍ୟେକ ସୁଯୋଗରେ ସିଦ୍ଦରମୈୟାଙ୍କୁ କୋଣଠେସା କରିବାକୁ ଚେଷ୍ଟା କରୁଥିଲେ। ସିଦ୍ଦରମୈୟାଙ୍କୁ କେବେବି ଶାନ୍ତିପୂର୍ଣ୍ଣ ଭାବରେ ଶାସନ କରିବାର ସୁଯୋଗ ମିଳିନଥିଲା। ଆର୍ଥିକ କୁପରିଚାଳନା ଏବଂ ଆଭ୍ୟନ୍ତରୀଣ ବିବାଦ ଯୋଗୁଁ, ଶାସନ ଅସ୍ତିତ୍ୱହୀନ ରହିଲା ଏବଂ ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ପ୍ରମାଣିତ ହେଲା। ବିକାଶ କୌଣସି ସ୍ଥାନରେ ଦେଖାଗଲା ନାହିଁ। ସରକାରଙ୍କ ଋଣ ଚାରିଗୁଣ ବୃଦ୍ଧି ପାଇଛି। କଂଗ୍ରେସ ଦଳର କୁଶାସନ ଏବଂ ଶିବକୁମାର ଏବଂ ସିଦ୍ଦରମୈୟାଙ୍କ ମଧ୍ୟରେ ଚାଲିଥିବା କ୍ଷମତା ସଂଘର୍ଷର ପରିଣାମସ୍ୱରୂପ, କର୍ଣ୍ଣାଟକ ପ୍ରାୟ ୨୦ ବର୍ଷ ପଛକୁ ଠେଲି ଦିଆଯାଇଛି।
ଆସନ୍ତାକାଲି ବିଧାୟକ ଦଳ ବୈଠକ
ସିଦ୍ଦରମୈୟାଙ୍କ ଇସ୍ତଫା ପୂର୍ବରୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପାଇଁ ଶିବକୁମାରଙ୍କ ନାମ ପ୍ରସ୍ତାବରେ ଆଗତ କରାଯାଇଛି । କେବଳ ବିଧାୟକ ଦଳ ମୋହରକୁ ଅପେକ୍ଷା ରହିଛି । ଆସନ୍ତାକାଲି ସନ୍ଧ୍ୟା ୫ଟାରେ କଂଗ୍ରେସ ବିଧାୟକ ଦଳ ବୈଠକ ବସିବ । ଉକ୍ତ ବୈଠକରେ ଶିବକୁମାରଙ୍କ ନାମରେ ଆନୁଷ୍ଠାନିକ ମୋହର ଲାଗିବ ।