ମୁଲ୍ଲାନପୁର: ଆଇପିଏଲ୍ ୨୦୨୬ (IPL 2026) ର ହାଇଭୋଲ୍ଟେଜ୍ ଏଲିମିନେଟର ମ୍ୟାଚ୍ରେ ଦେଖିବାକୁ ମିଳିଛି ୧୫ ବର୍ଷର ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କ ବିଧ୍ୱଂସୀ ବ୍ୟାଟିଂ। ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍ରେ ଚୌକା-ଛକା ବର୍ଷା କରିଛନ୍ତି। କିନ୍ତୁ ଏହି ଚମତ୍କାର ଇନିଂସ ଭିତରେ ବୈଭବ ଏକ ବଡ଼ ରେକର୍ଡ ଭାଙ୍ଗିବାରୁ ବର୍ତ୍ତିଗଲେ। ସେ ମାତ୍ର ୩ ରନ ପାଇଁ ଆଇପିଏଲ୍ ଇତିହାସର ସବୁଠାରୁ ଦ୍ରୁତତମ ଶତକ କରିବାରୁ ବଞ୍ଚିତ ହୋଇଛନ୍ତି।
ମାତ୍ର ୨୯ ବଲରେ ୯୭ ରନ୍, ଭାଗ୍ୟ ଦେଲାନି ସାଥ୍
ହାଇଦ୍ରାବାଦ ବିପକ୍ଷରେ ବୈଭବ ମାତ୍ର ୨୯ଟି ବଲ୍ ଖେଳି ୯୭ ରନର ଏକ ମାରାଥନ ଇନିଂସ ଖେଳିଛନ୍ତି। ଯଦି ସେ ଆଉ ୩ ରନ କରି ଶତକ ପୂରଣ କରିଥାନ୍ତେ, ତେବେ କ୍ରିସ୍ ଗେଲଙ୍କ ୧୩ ବର୍ଷର ପୁରୁଣା ମହାରେକର୍ଡ ଭାଙ୍ଗିଥାନ୍ତେ। ଗେଲ୍ ୨୦୧୩ରେ ପୁଣେ ବିପକ୍ଷରେ ୩୦ ବଲରେ ଶତକ ମାରିଥିଲେ। ବୈଭବ ୨୮ ବଲରୁ ୯୭ ରନରେ ପହଞ୍ଚି ସାରିଥିଲେ, କିନ୍ତୁ ୨୯ତମ ବଲରେ ପ୍ରଫୁଲ୍ଲ ହିଙ୍ଗେଙ୍କ ଏକ ସର୍ଟ ବଲକୁ ବଡ଼ ସଟ୍ ଖେଳିବାକୁ ଯାଇ ଥାର୍ଡ ମ୍ୟାନ୍ ଏରିଆରେ ସ୍ମରଣ ରବିଚନ୍ଦ୍ରନଙ୍କୁ ଏକ ସହଜ କ୍ୟାଚ୍ ଦେଇଥିଲେ। ଆଉ ଏହା ସହ ଭାଙ୍ଗିଯାଇଥିଲା ଦ୍ରୁତତମ ଶତକର ସ୍ଵପ୍ନ।
ପ୍ୟାଟ୍ କମିନ୍ସଙ୍କ ଓଭରରୁ ଆରମ୍ଭ ହୋଇଥିଲା ପ୍ରହାର
କ୍ରିଜକୁ ଆସୁ ଆସୁ ବୈଭବ ଆକ୍ରମଣାତ୍ମକ ରୂପ ଧାରଣ କରିଥିଲେ। ସେ ହାଇଦ୍ରାବାଦ ଅଧିନାୟକ ପ୍ୟାଟ୍ କମିନ୍ସଙ୍କ ଓଭରରୁ ପ୍ରଥମ ଛକା ମାରିଥିଲେ ଏବଂ ତାଙ୍କର ଦ୍ୱିତୀୟ ଓଭରରେ କ୍ରମାଗତ ୩ଟି ବିଶାଳ ଛକା ମାରିଥିଲେ। ଏହାପରେ ସାକିବ ହୁସେନଙ୍କ ଓଭରରେ ମଧ୍ୟ ୩ଟି ଛକା ମାରି ମାତ୍ର ୧୬ ବଲ୍ରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ପରେ ପ୍ରଫୁଲ୍ଲ ହିଙ୍ଗେଙ୍କ ଓଭରରେ ମଧ୍ୟ ସେ ୩ଟି ଛକା ମାରିଥିଲେ, କିନ୍ତୁ ସେହି ଓଭରର ଶେଷ ବଲ୍ରେ ସେ ଆଉଟ୍ ହୋଇଯାଇଥିଲେ।
ବୈଭବ ରଚିଲେ ରେକର୍ଡର ପାହାଡ଼:ଶତକ ହାସଲ କରିନପାରିଲେ ମଧ୍ୟ ଏହି ୧୫ ବର୍ଷର ବ୍ୟାଟର ଆଜି ଅନେକ ବଡ଼ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି।
ଶୁଭମନ ଗିଲ୍ଙ୍କ ରେକର୍ଡ ଚୂରମାର: ଆଇପିଏଲ୍ ପ୍ଲେ-ଅଫ୍ ମ୍ୟାଚ୍ରେ ସର୍ବାଧିକ ୧୨ଟି ଛକା ମାରି ସେ ଗିଲ୍ଙ୍କ ରେକର୍ଡ ଭାଙ୍ଗିଛନ୍ତି। ଗିଲ୍ ୨୦୨୩ରେ ମୁମ୍ବାଇ ବିପକ୍ଷରେ ୧୦ଟି ଛକା ମାରିଥିଲେ।
କ୍ରିସ୍ ଗେଲ୍ଙ୍କ ସମକକ୍ଷ: ଗୋଟିଏ ଆଇପିଏଲ୍ ଇନିଂସରେ ୨ ଥର ୧୨ଟି ଛକା ମାରିବାରେ ସେ ପ୍ରଥମ ଭାରତୀୟ ହୋଇଛନ୍ତି। ଏଥିସହ ଆଇପିଏଲ୍ କ୍ୟାରିୟରରେ ୪ର୍ଥ ଥର ପାଇଁ ଗୋଟିଏ ମ୍ୟାଚ୍ରେ ୧୦ରୁ ଅଧିକ ଛକା ମାରି ସେ କ୍ରିସ୍ ଗେଲ୍ଙ୍କ ସହ ସମାନ ସ୍ତରକୁ ଆସିଛନ୍ତି।
ଅନକ୍ୟାପ୍ଡ ଖେଳାଳି ଭାବେ ରେକର୍ଡ: ଆଇପିଏଲ୍ର ଗୋଟିଏ ସିଜିନ୍ରେ ସବୁଠାରୁ ଅଧିକ ରନ ସଂଗ୍ରହ କରିଥିବା ଅନକ୍ୟାପ୍ଡ (Uncapped) ଖେଳାଳି ବନିଯାଇଛନ୍ତି ବୈଭବ।
ଅରେଞ୍ଜ କ୍ୟାପ୍ ଏବଂ ସର୍ବାଧିକ ଛକା: ଚଳିତ ସିଜିନ୍ରେ ସେ ଏପର୍ଯ୍ୟନ୍ତ ୬୮୦ ରନ କରି ଅରେଞ୍ଜ କ୍ୟାପ୍ ନିଜ ନାମରେ କରିଛନ୍ତି। ଏହା ସହିତ ସେ ଚଳିତ ସିଜିନ୍ରେ ୬୫ଟି ଛକା ମାରି ସାରିଲେଣି, ଯାହା ଗୋଟିଏ ସିଜିନ୍ରେ ସର୍ବାଧିକ (୨୦୧୨ରେ କ୍ରିସ୍ ଗେଲ୍ ୫୯ଟି ଛକା ମାରିଥିଲେ)।