ମୁମ୍ବାଇ: କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଭାରତୀୟ କ୍ରିକେଟର ମହାକୁମ୍ଭ କୁହାଯାଉଥିବା ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ର ସମୟ ସୂଚୀରେ ଆଗାମୀ ଦିନରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଦୀର୍ଘ ବର୍ଷ ଧରି ମାର୍ଚ୍ଚରୁ ମେ’ ମାସ ମଧ୍ୟରେ ଖେଳାଯାଉଥିବା ଏହି ଧନୀ ଲିଗ୍ର ୱିଣ୍ଡୋ (Window) ବଦଳାଇବାକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଯୋଜନା କରୁଛି। ଆଇପିଏଲ୍ ଚେୟାରମ୍ୟାନ୍ ଅରୁଣ ଧୁମଲ ଏହି ସଂକେତ ଦେଇଛନ୍ତି। ଏହାସହ ଆଗକୁ ମ୍ୟାଚ୍ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାକୁ ଯାଉଛି।
ସେପ୍ଟେମ୍ବର-ଅକ୍ଟୋବରକୁ ଘୁଞ୍ଚିପାରେ ଆଇପିଏଲ୍
ଏକ ସାକ୍ଷାତକାରରେ ଅରୁଣ ଧୁମଲ କହିଛନ୍ତି ଯେ, ଆଇପିଏଲ୍ର ସମୟ ବଦଳାଇବା ନେଇ ବ୍ରଡକାଷ୍ଟରମାନଙ୍କ ସହ ଆଲୋଚନା କରାଯିବ। ଟୁର୍ଣ୍ଣାମେଣ୍ଟକୁ ସେପ୍ଟେମ୍ବର-ଅକ୍ଟୋବର ମାସକୁ ସ୍ଥାନାନ୍ତର କରିବା ପାଇଁ ଏକ ବଡ଼ ପ୍ରସ୍ତାବ ରହିଛି। ବିଜ୍ଞାପନଦାତା (Advertisers) ମାନଙ୍କ ଦୃଷ୍ଟିକୋଣରୁ ଏହି ସମୟଟି ସବୁଠାରୁ ଭଲ, କାରଣ ଏହା ଦୀପାବଳି ପାର୍ବଣ ସମୟ ହୋଇଥିବାରୁ ବ୍ୟବସାୟିକ ଭାବେ ଏହା ଅଧିକ ଲାଭଦାୟକ ସାବ୍ୟସ୍ତ ହେବ।
ପ୍ରଚଣ୍ଡ ଗରମ ସାଜିଛି ବାଧକ
ମେ’ ମାସରେ ହେଉଥିବା ପ୍ରବଳ ଗ୍ରୀଷ୍ମପ୍ରବାହକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଆଇପିଏଲ ଚେୟାରମ୍ୟାନ୍। ସେ କହିଛନ୍ତି, "ଖରା ଦିନେ ପାଣିପାଗ ଏକ ବଡ଼ ସମସ୍ୟା ସାଜିଛି। ତେଣୁ ଆମେ ଫେବୃଆରୀରୁ ଏପ୍ରିଲ୍ କିମ୍ବା ବର୍ଷ ଶେଷ ଆଡ଼କୁ ଏକ ନୂଆ ୱିଣ୍ଡୋ ଖୋଜୁଛନ୍ତି। ଆମେ ସେଇଆ କରିବୁ ଯାହା କ୍ରିକେଟ ପାଇଁ ସବୁଠାରୁ ଭଲ ହେବ। କାରଣ ଆଇପିଏଲ୍ କେବଳ ବିସିସିଆଇ ନୁହେଁ, ବରଂ ବିଶ୍ୱର ଅନ୍ୟ କ୍ରିକେଟ ବୋର୍ଡ ଉପରେ ମଧ୍ୟ ପ୍ରଭାବ ପକାଇଥାଏ।"
୭୪ ନୁହେଁ, ଏବେ ଖେଳାଯିବ ୯୪ଟି ମ୍ୟାଚ୍ !
ଆଇପିଏଲ୍ର ବ୍ୟାପ୍ତିକୁ ଆହୁରି ବଢ଼ାଇବାକୁ ବିସିସିଆଇ ଲକ୍ଷ୍ୟ ରଖିଛି। ବର୍ତ୍ତମାନ ପ୍ରତ୍ୟେକ ଦଳ ନିଜ ମାଟିରେ (Home) ୭ଟି ଏବଂ ବାହାରେ (Away) ୭ଟି ମ୍ୟାଚ୍ ଖେଳୁଛନ୍ତି। କିନ୍ତୁ ଆଗକୁ ସମସ୍ତ ୧୦ଟି ଯାକ ଦଳ ପାଇଁ ୯ଟି ହୋମ୍ ମ୍ୟାଚ୍ ଏବଂ ୯ଟି ଆୱେ ମ୍ୟାଚ୍ କରିବାକୁ ଯୋଜନା ଚାଲିଛି। ଦ୍ୱିପାକ୍ଷିକ ସିରିଜ୍ ଯୋଗୁଁ ଏହା ସମ୍ଭବ ହୋଇପାରୁ ନଥିଲା। ଯଦି ଆଇପିଏଲ୍ ପାଇଁ ଆଉ ଦୁଇ ସପ୍ତାହର ଅଧିକ ସମୟ ମିଳେ, ତେବେ ମ୍ୟାଚ୍ ସଂଖ୍ୟା ୭୪ ରୁ ବୃଦ୍ଧି କରାଯାଇ ୯୪ କରାଯିବ। ଅର୍ଥାତ୍ ଆଗାମୀ ଦିନରେ କ୍ରିକେଟ ପ୍ରେମୀଙ୍କୁ ଆଇପିଏଲ୍ର ଡବଲ୍ ମଜା ମିଳିବାକୁ ଯାଉଛି।