ନୂଆଦିଲ୍ଲୀ: ଆଇପିଏଲ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍ ପୂର୍ବରୁ ଆସିଛି ବଡ ଖବର । ବିଶ୍ୱର ସବୁଠୁ ଲୋକପ୍ରିୟ କ୍ରିକେଟ୍ ଲିଗ୍ ନିଜର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିବା ସମୟରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ଦଳରୁ ଆସିଛି ବଡ ଖବର । ଋଷଭ ପନ୍ତ ଲକ୍ଷ୍ନୌର ଅଧିନାୟକ ପଦ ଛାଡିଛନ୍ତି । ଶୁକ୍ରବାର ଫ୍ରାଞ୍ଚାଇଜ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଏହାର ସୂଚନା ଦେଇଛି । ପ୍ରେସ ରିଲିଜରେ ଉଲ୍ଲେଖ ରହିଛି ଯେ, ପନ୍ତ ନିଜେ ଅଧିନାୟକ ପଦରୁ ହଟିବାକୁ ନିଷ୍ପତ୍ତି ନେଇଛନ୍ତି ।
ଲକ୍ଷ୍ନୌ ଜରିଆରେ ଜାରି ରିଲିଜରେ କୁହାଯାଇଛି ଯେ, ଲକ୍ଷ୍ନୌ ସୁପର ଜାଏଣ୍ଟସ ଆନୁଷ୍ଠାନିକ ଘୋଷଣା କରୁଛି ଯେ, ଋଷଭ ପନ୍ତ ନିଜେ ଫ୍ରାଞ୍ଚାଇଜକୁ ଅଧିନାୟକ ପଦରୁ ମୁକ୍ତ କରିବାକୁ ଅନୁରୋଧ କରିଛନ୍ତି ଏବଂ ଫ୍ରାଞ୍ଚାଇଜ ତାଙ୍କ ଅନୁରୋଧକୁ ସ୍ୱୀକାର କରିଛି ।
ଟିମ୍ ନିର୍ଦ୍ଦେଶକ କଣ କହିଲେ ?
ପନ୍ତ ଅଧିନାୟକ ପଦ ଛାଡିବା ନେଇ ଲଖନଉର ନିର୍ଦ୍ଦେଶକ ଟମ୍ ମୁଡିଙ୍କୁ କହିଛନ୍ତି ଯେ, ଋଷଭ ପନ୍ତ ନିଜର ଅନୁରୋଧ ସହିତ ଫ୍ରାଞ୍ଚାଇଜ ନିକଟକୁ ଆସିଥିଲେ ଏବଂ ଆମେ ସମ୍ମାନର ସହ ତାଙ୍କ ଅନୁରୋଧକୁ ସ୍ୱୀକାର କରିଛୁ । ଏମିତି ନିଷ୍ପତ୍ତି କେବେ ସହଜ ହୋଇ ନ ଥାଏ । ପନ୍ତ ଆମ ପାଇଁ ଅଧିନାୟକ ଭାବେ ଯାହା ବି କିଛି କରିଛନ୍ତି ସେଥିପାଇଁ ଆମେ ତାଙ୍କ ପ୍ରତି କୃତଜ୍ଞ।
ଟିମ୍ ସହ ରହିବେ ପନ୍ତ
ତେବେ ଅଧିନାୟକ ପଦ ଛାଡିଥିଲେ ମଧ୍ୟ ପନ୍ତ ଦଳ ସହ ରହିବେ । ସେ ଖେଳାଳି ଭାବେ ଦଳରେ ନିଜର ଖେଳ ଜାରି ରଖିବେ । ତେବେ ପନ୍ତ ଦଳ ସହିତ ରହିବେ କି ନାହିଁ ତାହା ପରବର୍ତ୍ତୀ ସିଜିନ ପାଁ ଜାରି ହେବାକୁ ଥିବା ରିଟେନ ଓ ରିଲିଜ ଖେଳାଳିଙ୍କ ତାଲିକା ପରେ ଜଣା ପଡିବ ।
ଚଳିତ ସିଜନରେ ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ର ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହିଥିଲା। ଦଳ ଚଳିତ ସିଜନର ପ୍ଲେ-ଅଫ୍ ଦୌଡ଼ରୁ ସବୁଠାରୁ ପ୍ରଥମେ ବାଦ୍ ପଡ଼ିଥିବା ଦଳଗୁଡ଼ିକ ମଧ୍ୟରୁ ଅନ୍ୟତମ। ଲିଗ୍ ପର୍ଯ୍ୟାୟର ୧୪ଟି ମ୍ୟାଚ୍ରୁ ଲକ୍ଷ୍ନୌ ମାତ୍ର ୪ଟିରେ ବିଜୟ ହାସଲ କରିଥିବା ବେଳେ ବାକି ୧୦ଟି ମ୍ୟାଚ୍ରେ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ମୋଟ ୮ ପଏଣ୍ଟ ସହ ଦଳ ପଏଣ୍ଟ ଟେବୁଲର ସବୁଠାରୁ ଶେଷ ଅର୍ଥାତ୍ ୧୦ମ ସ୍ଥାନରେ ରହି ନିଜର ଅଭିଯାନ ଶେଷ କରିଛି, ଯାହା ଆଇପିଏଲ୍ ଇତିହାସରେ ଲକ୍ଷ୍ନୌର ସବୁଠାରୁ ଖରାପ ପ୍ରଦର୍ଶନ।