ଚଣ୍ଡୀଗଡ଼: ଆଇପିଏଲ୍ ୨୦୨୬ ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆଜି କ୍ୱାଲିଫାୟର୍-୨ ମହାମୁକାବିଲାରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଗୁଜରାଟ ଟାଇଟନ୍ସ (GT) ଏବଂ ରାଜସ୍ଥାନ ରୟାଲ୍ସ (RR)। ଏହି ମ୍ୟାଚ୍ରେ ଯେଉଁ ଟିମ୍ ବିଜୟୀ ହେବ, ସେ ଚଳିତ ସିଜନର ଦ୍ୱିତୀୟ ଫାଇନାଲିଷ୍ଟ ଭାବେ ଟ୍ରଫି ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସହ ଲଢ଼େଇ କରିବ। ଶୁଭମନ ଗିଲ୍ଙ୍କ ଅଧିନାୟକତ୍ୱରେ ଜିଟି ଗତ ମ୍ୟାଚ୍ରେ ପରାଜୟର ସ୍ୱାଦ ଚାଖିଥିବା ବେଳେ ରିୟାନ ପରାଗଙ୍କ ଆରଆର୍ ଦଳ ଏଲିମିନେଟରରେ ଏକ ଦମଦାର ବିଜୟ ସହ ଆତ୍ମବିଶ୍ୱାସରେ ଭରପୂର ରହିଛି। ଗତ ମ୍ୟାଚ୍ରେ ରାଜସ୍ଥାନର ବୈଭବ ସୂର୍ଯ୍ୟବଂଶୀ ମାତ୍ର ୨୯ ବଲ୍ରେ ୯୭ ରନ୍ର ଏକ ବିସ୍ଫୋରକ ଇନିଂସ ଖେଳି ଚର୍ଚ୍ଚାକୁ ଆସିଛନ୍ତି।
ଆଜିର ଏହି ହାଇଭୋଲ୍ଟେଜ୍ ମ୍ୟାଚ୍ ନ୍ୟୁ ଚଣ୍ଡୀଗଡ଼ର ମୁଲ୍ଲାନପୁର ଷ୍ଟାଡିୟମରେ ଖେଳାଯିବ। ଏହି ଗ୍ରାଉଣ୍ଡରେ ହିଁ ରାଜସ୍ଥାନ ଦଳ ଏଲିମିନେଟର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଥିଲା। ଚଳିତ ସିଜନରେ ଉଭୟ ଦଳ ମଧ୍ୟରେ ଏହା ତୃତୀୟ ମୁକାବିଲା ହେବ। ଏହାପୂର୍ବରୁ ଖେଳାଯାଇଥିବା ଦୁଇଟି ମ୍ୟାଚ୍ରେ ଉଭୟ ଟିମ୍ ୧-୧ ମ୍ୟାଚ୍ ଜିତି ବରାବର ସ୍ଥିତିରେ ଅଛନ୍ତି।
‘ହେଡ୍ ଟୁ ହେଡ୍’ ରେକର୍ଡ
ଯଦି ଆମେ ଆଇପିଏଲ୍ ଇତିହାସରେ ଦୁଇ ଦଳର ପରସ୍ପର ବିରୋଧୀ ରେକର୍ଡକୁ ଦେଖିବା, ତେବେ ଗୁଜରାଟ ଟାଇଟନ୍ସର ପଲା ବେଶ୍ ଭାରି ରହିଛି।ସୂଚନାଯୋଗ୍ୟ ଯେ, ୨୦୨୨ ମସିହାର ଆଇପିଏଲ୍ ଫାଇନାଲ୍ରେ ଗୁଜରାଟ ଟାଇଟନ୍ସ ଏହି ରାଜସ୍ଥାନ ରୟାଲ୍ସକୁ ହରାଇ ନିଜର ପ୍ରଥମ ଟ୍ରଫି ଜିତିଥିଲା।
ମୋଟ ମ୍ୟାଚ୍: ୧୦
ଗୁଜରାଟର ବିଜୟ: ୦୭
ରାଜସ୍ଥାନର ବିଜୟ: ୦୩
ଲିଗ୍ ପର୍ଯ୍ୟାୟରେ ଗୁଜରାଟ ଦଳ ମୋଟ ୧୪ଟି ମ୍ୟାଚ୍ରୁ ୯ଟିରେ ବିଜୟ ହାସଲ କରିଥିଲା। +୦.୦୯୫ ନେଟ୍ ରନ୍ ରେଟ୍ ସହ ଟିମ୍ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହି ପ୍ଲେ-ଅଫ୍କୁ ଯୋଗ୍ୟତା ଅର୍ଜନ କରିଥିଲା। ଦ୍ୱିତୀୟ ସ୍ଥାନରେ ଥିବାରୁ ଗୁଜରାଟକୁ ଫାଇନାଲ୍ରେ ପହଞ୍ଚିବା ପାଇଁ ଦୁଇଟି ସୁଯୋଗ (କ୍ୱାଲିଫାୟର୍-୧ ଏବଂ କ୍ୱାଲିଫାୟର୍-୨) ମିଳିଛି। ତେବେ ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ରେ ଆରସିବି (RCB) ହାତରୁ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା।
ଅନ୍ୟପଟେ ରାଜସ୍ଥାନ ରୟାଲ୍ସ ନିଜର ଶେଷ ଲିଗ୍ ମ୍ୟାଚ୍ରେ ବିଜୟୀ ହୋଇ ନାଟକୀୟ ଭାବେ ପ୍ଲେ-ଅଫ୍ ଟିକେଟ୍ କାଟିଥିଲା। ୧୪ଟି ମ୍ୟାଚ୍ରୁ ୮ଟି ଜିତି ଦଳ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଥିଲା। କିନ୍ତୁ ଏଲିମିନେଟର ମ୍ୟାଚ୍ରେ ଦଳ ସନ୍ରାଇଜର୍ସ ହାଇଦ୍ରାବାଦ (SRH)କୁ ସୋଚନୀୟ ଭାବେ ପରାସ୍ତ କରି କ୍ୱାଲିଫାୟର୍-୨ରେ ପ୍ରବେଶ କରିଛି।