ପୁରୀ: ଚଳିତ ଆଇପିଏଲ୍ ସିଜିନରେ ଇତିହାସ ରଚିଥିବା ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀକୁ ବାଲୁକା କଳାରେ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ଏକ ବିଶାଳ ବାଲୁକା କଳାରେ ସୁଦର୍ଶନ ଏହି ଶୁଭେଚ୍ଛା ଜଣାଇଛନ୍ତି ।
ଗୁରୁବାର ପୁରୀ ବେଳାଭୂମିରେ ପ୍ରସିଦ୍ଧ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ଏବଂ ପଦ୍ମଶ୍ରୀ ସମ୍ମାନିତ ସୁଦର୍ଶନ ପଟ୍ଟନାୟକ ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ଐତିହାସିକ ଏବଂ ପ୍ରେରଣାଦାୟକ ପାରି ପାଇଁ ଏକ ସୁନ୍ଦର ବାଲୁକା ଭାସ୍କର୍ଯ୍ୟ ନିର୍ମାଣ କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ବାଲୁକା କଳାରେ “A truly historic and inspiring knock! Congratulations to Vaibhav Sooryavanshi” ବାର୍ତ୍ତା ଲେଖାଯାଇଥିଲା। ଏହି ବାଲୁକାକଳାର ଉଚ୍ଚତା ୫ ଫୁଟ୍ ରହିଛି ।
ସୁଦର୍ଶନ ପଟ୍ଟନାୟକ କହିଛନ୍ତି, “ବୈଭବଙ୍କ ଏହି ପାଳି କେବଳ ତାଙ୍କର ପ୍ରତିଭାର ପ୍ରଦର୍ଶନ ନୁହେଁ, ବରଂ ଆତ୍ମବିଶ୍ୱାସ, ନିଷ୍ଠା ଏବଂ ନିର୍ଭୀକ ମନୋଭାବର ଏକ ପ୍ରତୀକ । ତାଙ୍କର ଏହି ଅଦ୍ଭୁତ ପ୍ରଦର୍ଶନ ସମଗ୍ର ଦେଶକୁ ଗର୍ବିତ କରିଛି ଏବଂ ଅନେକ ଯୁବ କ୍ରିକେଟରଙ୍କୁ ବଡ଼ ସ୍ୱପ୍ନ ଦେଖିବାକୁ ପ୍ରେରଣା ଦେଇଛି।”
ବିସ୍ଫୋରକ ବ୍ୟାଟିଂ ପାଇଁ ସବୁବେଳେ ଚର୍ଚ୍ଚାରେ ଥିବା ବୈଭବ ଆଇପିଏଲ୍ ଏଲିମିନେଟର୍ ମ୍ୟାଚ୍ରେ କେବଳ ୨୯ଟି ବଲ୍ରେ ୯୭ ରନ୍ର ଏକ ଅସାଧାରଣ ପାଳି ଖେଳିଥିଲେ । ତାଙ୍କ ବ୍ୟାଟର ଗର୍ଜନ ପ୍ରତିପକ୍ଷ ବୋଲିଂ ଆକ୍ରମଣକୁ ଧ୍ୱଂସ କରିଦେଇଥିଲା ।