ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟିକ ଆଲୋଚନା ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆଗାମୀ କିଛି ସପ୍ତାହ ମଧ୍ୟରେ ଦୁଇ ଦେଶ ମଧ୍ୟରେ ଏକ ବଡ଼ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ହେବାକୁ ଯାଉଛି। ଶୁକ୍ରବାର ଦିନ ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତସର୍ଜିଓ ଗୋର୍ ଏହି ସୂଚନା ଦେଇଛନ୍ତି। ନୂଆଦିଲ୍ଲୀ ଏବଂ ୱାଶିଂଟନ୍ ମଧ୍ୟରେ ଥିବା ସମ୍ପର୍କକୁ ସେ ଏକବିଂଶ ଶତାବ୍ଦୀର ସବୁଠାରୁ "ପ୍ରଭାବଶାଳୀ ଭାଗିଦାରୀ" ବୋଲତି ଅଭିହିତ କରିଛନ୍ତି, ଯାହା ମୁଖ୍ୟତଃ ପ୍ରଯୁକ୍ତିବିଦ୍ୟା, ରଣନୀତିକ ବିଶ୍ୱାସ ଏବଂ ଅର୍ଥନୈତିକ ସହଯୋଗ ଉପରେ ଆଧାରିତ।
ଆଇଆଇଟି ଦିଲ୍ଲୀ କାର୍ଯ୍ୟକ୍ରମରେ ପ୍ରଶଂସା
ଆଇଆଇଟି ଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଆମେରିକୀୟ ରାଷ୍ଟ୍ରଦୂତ ସର୍ଜିଓ ଗୋର୍ କହିଛନ୍ତି ଯେ, ବିଶେଷ କରି ଗୁରୁତ୍ୱପୂର୍ଣ୍ଣ ଏବଂ ନୂତନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆମେରିକା ଏବଂ ତାର ‘ଭରସାଯୋଗ୍ୟ ସହଯୋଗୀ’ ଭାରତ ମଧ୍ୟରେ ଥିବା ସମ୍ପର୍କ ସବୁଠାରୁ ଶକ୍ତିଶାଳୀ। ସେ ସ୍ପଷ୍ଟ ଭାବେ କହିଛନ୍ତି, "ଆମେରିକା ଭାରତକୁ ବିଶ୍ୱାସ କରେ ଏବଂ ଆମେ ଆପଣଙ୍କ ସରକାରଙ୍କୁ ମଧ୍ୟ ସମ୍ପୂର୍ଣ୍ଣ ଭରସା କରୁ। ଦୁଇ ଦେଶର ସମ୍ପର୍କକୁ ଆଗକୁ ନେବା ପାଇଁ ଅସୀମ ସମ୍ଭାବନା ରହିଛି।
ଆସନ୍ତା ମାସରେ ଭାରତ ଆସିବ ଉଚ୍ଚସ୍ତରୀୟ ଟିମ୍
ଏହି ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିର ସମସ୍ତ ବିବରଣୀ ଏବଂ ସର୍ତ୍ତାବଳୀକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ଆସନ୍ତା ମାସରେ ଆମେରିକାରୁ ଏକ ପ୍ରତିନିଧି ଦଳ ଭାରତ ଗସ୍ତରେ ଆସିବେ। ଯଦିଓ ଡୋନାଲ୍ଡ ଟ୍ରମ୍ପ ସରକାରଙ୍କ କେତେକ ଶୁଳ୍କ ନୀତି, ଆମଦାନୀ ଶୁଳ୍କ ଏବଂ ବଜାର ପ୍ରବେଶକୁ ନେଇ ପୂର୍ବରୁ କିଛି ମତଭେଦ ସାମ୍ନାକୁ ଆସିଥିଲା, ତଥାପି ଏବେ ଦୁଇ ଦେଶ ଚୁକ୍ତି ସ୍ୱାକ୍ଷର କରିବା ଦିଗରେ ବହୁତ ନିକଟତର ହୋଇଛନ୍ତି।
କଣ ଏହି ‘TRUST’ ଇନିସିଏଟିଭ୍ ?
ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରଦୂତ ଗୋର୍ ସମ୍ପ୍ରତି ଆରମ୍ଭ ହୋଇଥିବା "US-India TRUST" ଅଭିଯାନ ଉପରେ ଆଲୋକପାତ କରିଥିଲେ। ସେ କହିଛନ୍ତି ଯେ ଏହି ନୂତନ ବ୍ୟବସ୍ଥା ଦୁଇ ଦେଶ ମଧ୍ୟରେ ଥିବା ଗଭୀର ସମ୍ପର୍କର ପ୍ରମାଣ। ଏଭଳି ସହଯୋଗ ଆମେରିକା ସାରା ବିଶ୍ୱର ସବୁ ଦେଶ ସହ କରେ ନାହିଁ, ବରଂ କେବଳ ଭାରତ ଭଳି କିଛି ବିଶ୍ୱସ୍ତ ସହଯୋଗୀଙ୍କ ସହ ହିଁ ଏହାକୁ ସେୟାର କରାଯାଉଛି।