ଭାରତୀୟ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଜାଲିଆତି ମାମଲାରେ ସାମିଲ ଥିବା ଟଙ୍କାର ପରିମାଣରେ ଏକ ବଡ଼ ଧରଣର ଉଛାଳ ଦେଖିବାକୁ ମିଳିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ର ବାର୍ଷିକ ରିପୋର୍ଟ ଅନୁଯାୟୀ, ଆର୍ଥିକ ବର୍ଷ ୨୦୨୫-୨୬ ରେ ବ୍ୟାଙ୍କ ଜାଲିଆତି ସହ ଜଡ଼ିତ ରକମ ପ୍ରାୟ ୪୬ ପ୍ରତିଶତ ବୃଦ୍ଧି ପାଇ ୪୮,୦୨୧ କୋଟି ଟଙ୍କାରେ ପହଞ୍ଚିଛି। ଗତ ଆର୍ଥିକ ବର୍ଷରେ ଏହି ଆକଳନ ୩୨,୮୦୩ କୋଟି ଟଙ୍କା ଥିଲା। ତେବେ ସବୁଠାରୁ ଆଶ୍ୱସ୍ତିକର କଥା ହେଉଛି ଯେ, ଫ୍ରଡ୍ ମାମଲାର ସଂଖ୍ୟାରେ ପୂର୍ବ ଅପେକ୍ଷା ଯଥେଷ୍ଟ ହ୍ରାସ ଘଟିଛି।
ମାମଲା କମିଲା, କିନ୍ତୁ ବଢ଼ିଲା ଜାଲିଆତିର ରକମ:
ଆରବିଆଇ ରିପୋର୍ଟ ମୁତାବକ, ୨୦୨𝟓-୨୬ ରେ ସମୁଦାୟ ୧୦,୧୧୪ଟି ଜାଲିଆତି ମାମଲା ସାମ୍ନାକୁ ଆସିଛି, ଯାହା ଗତ ବର୍ଷ ୨୩,୭୨୨ ଥିଲା। ଅର୍ଥାତ୍ ମାମଲାର ସଂଖ୍ୟା ପ୍ରାୟ ଅଧାରୁ ଅଧିକ କମିଛି, କିନ୍ତୁ ବଡ଼ ବଡ଼ ଋଣ ଜାଲିଆତି ଯୋଗୁଁ ଠକେଇର ମୋଟ ଅଙ୍କ ବହୁତ ବଢ଼ିଯାଇଛି। ସରକାରୀ ବ୍ୟାଙ୍କଗୁଡ଼ିକରେ ଫ୍ରଡ୍ ରକମ ୩୫,୭୦୯ କୋଟି ଟଙ୍କାରେ ପହଞ୍ଚିଥିବା ବେଳେ ବେସରକାରୀ ବ୍ୟାଙ୍କଗୁଡ଼ିକରେ ଏହା ୧୧,୩୯୯ କୋଟି ଟଙ୍କା ଛୁଇଁଛି।
ପୁରୁଣା ମାମଲାର ପୁନର୍ବାର ଯାଞ୍ଚ ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ:
ଚଳିତ ବର୍ଷର ଆକଳନରେ ୩୧୪ଟି ଏଭଳି ପୁରୁଣା ମାମଲାକୁ ମଧ୍ୟ ସାମିଲ କରାଯାଇଛି, ଯାହାର ସମୁଦାୟ ରକମ ୩୦,୧୯୯ କୋଟି ଟଙ୍କା ଅଟେ। ସୁପ୍ରିମକୋର୍ଟଙ୍କ ୨୭ ମାର୍ଚ୍ଚ ୨୦୨୩ ର ଏକ ଗୁରୁତ୍ୱପୂର୍ଣ୍ଣ ସେଟଲମେଣ୍ଟ ରାୟ ଏବଂ ପୁନଃ-ଯାଞ୍ଚ ନିର୍ଦ୍ଦେଶ ପରେ ଏଗୁଡ଼ିକୁ ପୁଣିଥରେ ରିପୋର୍ଟ କରାଯାଇଛି। ଆରବିଆଇ ଅନୁଯାୟୀ, ଅନେକ ସମୟରେ ଠକେଇ ପୂର୍ବରୁ ହୋଇଥାଏ କିନ୍ତୁ ବ୍ୟାଙ୍କିଙ୍ଗ୍ ସିଷ୍ଟମରେ ତାହା ବହୁତ ପରେ ଧରାପଡ଼ିଥାଏ।
ସବୁଠାରୁ ଅଧିକ ହୋଇଛି ଲୋନ୍ ଫ୍ରଡ୍:
ରିପୋର୍ଟ ଅନୁସାରେ, ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ସବୁଠାରୁ ବଡ଼ ସମସ୍ୟା ସାଜିଛି ବଡ଼ ବଡ଼ କର୍ପୋରେଟ୍ ଲୋନ୍ ଏବଂ ନକଲି ଦସ୍ତାବିଜ୍ ଜରିଆରେ କରାଯାଉଥିବା ଠକେଇ। କେବଳ ଆଡଭାନ୍ସ ବା ଲୋନ୍ କାଟେଗୋରୀରେ ୮,୬୪୦ଟି ମାମଲାରେ ୪୦,୭୭୪ କୋଟି ଟଙ୍କାର ଜାଲିଆତି ସାମ୍ନାକୁ ଆସିଛି, ଯାହା ଗତ ବର୍ଷ ୩୦,୩୬୭ କୋଟି ଟଙ୍କା ଥିଲା।
ଡିଜିଟାଲ୍ ଓ କାର୍ଡ ପେମେଣ୍ଟ ଫ୍ରଡ୍ରେ ବଡ଼ ହ୍ରାସ:
ଯେଉଁଠି ବଡ଼ ବଡ଼ ଲୋନ୍ ଜାଲିଆତି ବଢ଼ିଛି, ସେଠାରେ ସାଧାରଣ ଜନତାଙ୍କ ସହ ଜଡ଼ିତ କାର୍ଡ ଏବଂ ଡିଜିଟାଲ୍ ପେମେଣ୍ଟ ଫ୍ରଡ୍ରେ ବହୁତ ବଡ଼ ସୁଧାର ଦେଖିବାକୁ ମିଳିଛି। ୨୦୨𝟓-୨୬ ରେ ଏଭଳି ମାମଲାର ମୋଟ ରକମ ୫୧୭ କୋଟିରୁ କମି ମାତ୍ର ୨୯ କୋଟି ଟଙ୍କା ହୋଇଯାଇଛି। ଏଥିସହ ମାମଲାର ସଂଖ୍ୟା ମଧ୍ୟ ୧୩,୩୩୨ ରୁ ହ୍ରାସ ପାଇ ମାତ୍ର ୨୯୩ ହୋଇଯାଇଛି। ଡିଜିଟାଲ୍ ସୁରକ୍ଷା ବ୍ୟବସ୍ଥା ଏବଂ କ୍ରମାଗତ ମନିଟରିଂ ଯୋଗୁଁ ଏହା ସମ୍ଭବ ହୋଇଛି।
ଖୁବ୍ ଶୀଘ୍ର ଆସୁଛି ‘କିଲ୍ ସୁଇଚ୍ ସିଷ୍ଟମ୍:
ସାଇବର ଏବଂ ଡିଜିଟାଲ୍ ଠକେଇକୁ ସମ୍ପୂର୍ଣ୍ଣ ରୋକିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏବେ ଏକ ଅତ୍ୟାଧୁନିକ ‘କିଲ୍ ସୁଇଚ୍’ ସୁବିଧା ଉପରେ କାମ କରୁଛି। ଏହି ସିଷ୍ଟମ୍ ଜରିଆରେ କୌଣସି ଜରୁରୀକାଳୀନ ପରିସ୍ଥିତି କିମ୍ବା ଆଶଙ୍କା ଦେଖାଦେଲେ, ଗ୍ରାହକମାନେ ନିଜ ମୋବାଇଲ୍ରୁ ତୁରନ୍ତ ନିଜ ବ୍ୟାଙ୍କ ଆକାଉଣ୍ଟର ସମସ୍ତ ଟ୍ରାଞ୍ଜାକ୍ସନକୁ ଏକାଥରକେ ବନ୍ଦ କରିପାରିବେ। ଏହା ବ୍ୟତୀତ ସାଇବର ସୁରକ୍ଷାକୁ ଅଧିକ ମଜବୁତ କରିବା ପାଇଁ ଆରବିଆଇ .bank.in ନାମକ ଏକ ସୁରକ୍ଷିତ ଡୋମେନ୍ ମଧ୍ୟ ଆରମ୍ଭ କରିଛି, ଯାହା ବିଶ୍ୱରେ ପ୍ରଥମ।