ବେଙ୍ଗାଲୁରୁ: କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ସେ ନେଇ ଚାଲିଥିବା ସସ୍ପେନ୍ସ ଉପରୁ ଶେଷରେ ପରଦା ହଟିଛି। ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି କଂଗ୍ରେସର ସଂକଟମୋଚକ କୁହାଯାଉଥିବା ଡି.କେ ଶିବକୁମାର। ଆସନ୍ତା ଜୁନ୍ ୩ ତାରିଖରେ ସେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏଥିପାଇଁ ରାଜ୍ୟପାଳ ଥାୱରଚନ୍ଦ ଗେହଲଟ୍ ତାଙ୍କୁ ବିଧିବଦ୍ଧ ଭାବେ ନିମନ୍ତ୍ରଣ ପଠାଇଛନ୍ତି।
୩ ବର୍ଷର କ୍ଷମତା ଯୁଦ୍ଧରେ ପଡ଼ିଲା ପୂର୍ଣ୍ଣଚେଦ
କର୍ଣ୍ଣାଟକରେ କଂଗ୍ରେସ ସରକାର ଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଗାଦିକୁ ନେଇ ଦୀର୍ଘ ୩ ବର୍ଷ ହେବ ଭିତରେ ଭିତରେ ଟଣାଓଟରା ଚାଲିଥିଲା। ପୂର୍ବରୁ ସିଦ୍ଧାରାମୈୟା ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳୁଥିବା ବେଳେ ଦଳ ମଧ୍ୟରେ କ୍ଷମତା ପରିବର୍ତ୍ତନ ପାଇଁ ଦାବି ଜୋର ଧରିଥିଲା। ଗତ ଗୁରୁବାର ସିଦ୍ଧାରାମୈୟା ନିଜ ପଦରୁ ଇସ୍ତଫା ଦେବା ପରେ ଶିବକୁମାରଙ୍କ ପାଇଁ ରାସ୍ତା ସଫା ହୋଇଥିଲା। ଶୁକ୍ରବାର ରାଜ୍ୟପାଳ ଏହି ଇସ୍ତଫାପତ୍ରକୁ ଗ୍ରହଣ କରିବା ସହ ପୁରୁଣା ମନ୍ତ୍ରୀମଣ୍ଡଳକୁ ଭଙ୍ଗ କରିଥିଲେ। ଏବେ ବେଙ୍ଗାଲୁରୁରେ ନୂଆ ସରକାର ଗଠନ ପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।
ସିଏଲପି ବୈଠକରେ ମୋହର, ରାଜ୍ୟପାଳଙ୍କୁ ଭେଟିଲେ ଶିବକୁମାର
ଶନିବାର ବେଙ୍ଗାଲୁରୁ ବିଧାନସଭାରେ କଂଗ୍ରେସ ବିଧାୟକ ଦଳ (CLP)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏହି ବୈଠକରେ କେସି ବେଣୁଗୋପାଳ ଏବଂ ରଣଦୀପ ସିଂ ସୁରଜେୱାଲାଙ୍କ ଭଳି କେନ୍ଦ୍ରୀୟ ନେତାଙ୍କ ଉପସ୍ଥିତିରେ ଡି.କେ ଶିବକୁମାରଙ୍କୁ ସର୍ବସମ୍ମତି କ୍ରମେ ବିଧାୟକ ଦଳର ନେତା ନିର୍ବାଚିତ କରାଯାଇଥିଲା।
ନେତା ନିର୍ବାଚିତ ହେବା ପରେ ଶିବକୁମାର ରାଜଭବନ ଯାଇ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ ଏବଂ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧାରାମୈୟା ଓ ଦଳର ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଶିବକୁମାରଙ୍କ ସହ ଉପସ୍ଥିତ ରହି ଦଳୀୟ ଏକତାର ବାର୍ତ୍ତା ଦେଇଥିଲେ।