ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜନୀତିରେ ଚାଲିଥିବା ହାଇଡ୍ରାମା ଏବେ ଏକ ବଡ଼ ମୋଡ଼ ନେଇଛି। ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନର ଚର୍ଚ୍ଚା ଭିତରେ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ଜୁନ୍ ୩ ତାରିଖରେ କଂଗ୍ରେସର ସଂକଟମୋଚକ ତଥା ପ୍ରଭାବଶାଳୀ ନେତା ଡିକେ ଶିବକୁମାର କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି। କେବଳ ସେତିକି ନୁହେଁ, ଶପଥ ଗ୍ରହଣ ସମାରୋହରେ ତାଙ୍କ ସହିତ ପ୍ରାୟ ୧୦ ଜଣ ନୂଆ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି।
କଂଗ୍ରେସ ବିଧାୟକ ଦଳ ବୈଠକ ଉପରେ ନଜର
କର୍ଣ୍ଣାଟକ ସରକାରରେ ଚାଲିଥିବା ଏହି ବଡ଼ ପରିବର୍ତ୍ତନ ପ୍ରକ୍ରିୟା ମଧ୍ୟରେ ଆଜି କଂଗ୍ରେସ ବିଧାୟକ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି। କଂଗ୍ରେସ ହାଇକମାଣ୍ଡଙ୍କ ନିର୍ଦ୍ଦେଶ ପରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ନିଜ ପଦରୁ ଇସ୍ତଫା ଦେଇସାରିଛନ୍ତି ଏବଂ ରାଜ୍ୟପାଳ ଥାୱରଚନ୍ଦ ଗେହଲଟ୍ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି। ଆଜି ସନ୍ଧ୍ୟା ସୁଦ୍ଧା ହାଇକମାଣ୍ଡଙ୍କ ତରଫରୁ ଆନୁଷ୍ଠାନିକ ଭାବେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବାର ସମ୍ଭାବନା ରହିଛି। ଏହି ବୈଠକରେ ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ଏବଂ ରଣଦୀପ ସୁରଜେୱାଲା ଉପସ୍ଥିତ ରହିବେ।
କ୍ୟାବିନେଟରେ ୫୦ ପ୍ରତିଶତ ନୂଆ ଚେହେରା!
ଡିକେ ଶିବକୁମାରଙ୍କ ନୂଆ ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ଅଦଳବଦଳ ଦେଖିବାକୁ ମିଳିବ। ରାଜ୍ୟ ବିଧାନ ପରିଷଦର ମୁଖ୍ୟ ସଚେତକ ସଲିମ୍ ଅହମ୍ମଦଙ୍କ ସୂଚନା ଅନୁଯାୟୀ,ନୂଆ କ୍ୟାବିନେଟରେ ପ୍ରାୟ ୫୦% ନୂଆ ଚେହେରାଙ୍କୁ ସୁଯୋଗ ମିଳିପାରେ। ଜୁନ୍ ୩ ତାରିଖରେ ଡିକେ ଶିବକୁମାରଙ୍କ ସହ ପ୍ରାୟ ୧୦ ଜଣ ମନ୍ତ୍ରୀ ଶପଥ ନେବେ। ଏହାପରେ ଆସନ୍ତା ଜୁନ୍ ୧୮ ତାରିଖରେ ରାଜ୍ୟସଭା ନିର୍ବାଚନ ଶେଷ ହେବା ପରେ କ୍ୟାବିନେଟ୍ର ପୂର୍ଣ୍ଣାଙ୍ଗ ସମ୍ପ୍ରସାରଣ କରାଯିବ।
ଜାତି ଓ ଆଞ୍ଚଳିକ ସମୀକରଣ
ନୂଆ କ୍ୟାବିନେଟ ଗଠନ ବେଳେ ଆଞ୍ଚଳିକ, ସାମାଜିକ ଏବଂ ଜାତିଗତ ପ୍ରତିନିଧିତ୍ୱ ପ୍ରତି ସ୍ୱତନ୍ତ୍ର ନଜର ରଖାଯିବ। ଏହାସହ ଏକାଧିକ ଉପ-ମୁଖ୍ୟମନ୍ତ୍ରୀ (Deputy CM) ନିଯୁକ୍ତି ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ରାଜନୈତିକ ସମୀକ୍ଷକଙ୍କ ମତରେ, ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ମଧ୍ୟ ରାଜ୍ୟ ରାଜନୀତିରେ ତାଙ୍କ ପ୍ରଭାବ କମିବ ନାହିଁ। ବିଧାୟକ, ପଛୁଆ ବର୍ଗ ଏବଂ କଂଗ୍ରେସର ତୃଣମୂଳ ସ୍ତରର କର୍ମୀଙ୍କ ଉପରେ ତାଙ୍କର ଦୃଢ଼ ପକଡ଼ ରହିଛି।
ସୂଚନାଯୋଗ୍ୟ ଯେ, ସିଦ୍ଧରମୈୟାଙ୍କୁ ଦିଲ୍ଲୀ ରାଜନୀତିରେ ବଡ଼ ଦାୟିତ୍ୱ ସହ ରାଜ୍ୟସଭା ଆସନର ଅଫର ଦିଆଯାଇଥିଲା, କିନ୍ତୁ ସେ କେନ୍ଦ୍ରୀୟ ରାଜନୀତିକୁ ନଯାଇ କର୍ଣ୍ଣାଟକରେ ହିଁ ସକ୍ରିୟ ରହିବାକୁ ସ୍ପଷ୍ଟ ସଙ୍କେତ ଦେଇଛନ୍ତି। ଏଭଳି ପରିସ୍ଥିତିରେ ଡିକେ ଶିବକୁମାରଙ୍କ ପାଇଁ ସରକାର ଚଲାଇବା ଏକ ବଡ଼ ଆହ୍ୱାନ ହେବ।