ନାଗପୁର: ଚର୍ଚ୍ଚାରେ ଥିବା 'କକରୋଚ୍ ଜନତା ପାର୍ଟି'କୁ ନେଇ ପ୍ରଥମ ଥର ପାଇଁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ପକ୍ଷରୁ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଆରଏସଏସର ଅଖିଳ ଭାରତୀୟ ପ୍ରଚାର ପ୍ରମୁଖ ସୁନୀଲ ଆମ୍ବେକର ଏହାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଭାରତୀୟ ଗଣତନ୍ତ୍ର ଏତେ ମଜବୁତ ଯେ ଏଠାରେ ସବୁ ପ୍ରକାର ସ୍ୱର ଏବଂ ଭାବନାକୁ ସ୍ଥାନ ମିଳିଥାଏ। ଏହାସହ ଦେଶର 'ଜେନ୍-ଜି' ଅର୍ଥାତ୍ ୧୯୯୭ରୁ ୨୦୧୨ ମଧ୍ୟରେ ଜନ୍ମଗ୍ରହଣ କରିଥିବା ଯୁବପିଢ଼ିଙ୍କର ଦେଶର ବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ ଭରସା ରହିଛି।
ଭାରତର ଗଣତାନ୍ତ୍ରିକ ସଂସ୍ଥା ଦୁର୍ବଳ ନୁହେଁ
ନାଗପୁରରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଆମ୍ବେକର କହିଛନ୍ତି ଯେ ଭାରତ ସଦାସର୍ବଦା ଗଣତାନ୍ତ୍ରିକ ପ୍ରକ୍ରିୟାକୁ ପାଳନ କରିଆସୁଛି। ଏଠାରେ ସ୍ୱଚ୍ଛ ନିର୍ବାଚନ ହୁଏ ଏବଂ ସୋସିଆଲ ମିଡିଆ ସମେତ ସମସ୍ତ ଗଣମାଧ୍ୟମ ସମ୍ପୂର୍ଣ୍ଣ ସ୍ୱାଧୀନ।ଗଣତନ୍ତ୍ରରେ ବିଭିନ୍ନ ପ୍ରକାରର ଆଲୋଚନା ଓ ଭିନ୍ନ ମତ ପ୍ରକାଶ ପାଇବା ଏକ ସାଧାରଣ କଥା, ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଭାରତର କୌଣସି ବି ସାମ୍ବିଧାନିକ କିମ୍ବା ଗଣତାନ୍ତ୍ରିକ ସଂସ୍ଥା ଦୁର୍ବଳ ନୁହେଁ। ମିଡିଆ ଏବଂ ରାଜନୈତିକ ଦଳଗୁଡ଼ିକ ଏଭଳି ପରିସ୍ଥିତିକୁ ସମ୍ଭାଳିବା ପାଇଁ ସମ୍ପୂର୍ଣ୍ଣ ସକ୍ଷମ।
ଦେଶର ଯୁବପିଢ଼ି ଅତ୍ୟନ୍ତ ଆଶାବାଦୀ ଏବଂ ସେମାନେ ସମ୍ବିଧାନର ପରିସର ମଧ୍ୟରେ ରହି କାର୍ଯ୍ୟ କରିବାକୁ ପସନ୍ଦ କରନ୍ତି।ଆରଏସଏସର ସରକାର୍ଯ୍ୟବାହ ଦତ୍ତାତ୍ରେୟ ହୋସବାଲେଙ୍କ ପାକିସ୍ତାନ ସହ ଆଲୋଚନା ବୟାନ ଉପରେ ମଧ୍ୟ ସୁନୀଲ ଆମ୍ବେକର ସ୍ପଷ୍ଟୀକରଣ ରଖିଛନ୍ତି। ସେ କହିଛନ୍ତି ସଂଘ ସର୍ବଦା ବିଶ୍ୱାସ କରେ ଯେ ପରସ୍ପର ମଧ୍ୟରେ ଆଲୋଚନା ଦ୍ୱାରା ହିଁ ସମସ୍ୟାର ସମାଧାନ ହୋଇପାରିବ।
ସରକାରୀ ସ୍ତରରେ ଆଲୋଚନା କରିବା ଏକ ରାଜନୈତିକ ଏବଂ କୂଟନୈତିକ ନିଷ୍ପତ୍ତି। କିନ୍ତୁ ଯେତେବେଳେ ସରକାରୀ ସ୍ତରରେ କଥାବାର୍ତ୍ତା ବନ୍ଦ ଥାଏ, ସେତେବେଳେ ଦୁଇ ଦେଶର ସାଧାରଣ ଜନତାଙ୍କ ମଧ୍ୟରେ ସମ୍ପର୍କ ଓ ବ୍ୟାପାର ଚାଲୁ ରହିବା ଦରକାର, ଯଦ୍ଦ୍ୱାରା ସମ୍ପର୍କ ମଜବୁତ ହେବ ଏବଂ ଧୀରେ ଧୀରେ ସମସ୍ୟା ସୁଧୁରିବ।
ଏହା ସହିତ ସେ କହିଛନ୍ତି ଯେ ଆରଏସଏସ କେବେ ବି ଭାରତ ବିଭାଜନକୁ ସମର୍ଥନ କରିନଥିଲା। ଯଦି ସେହି ସମୟରେ ସଂଘ ଆହୁରି ଶକ୍ତିଶାଳୀ ଥାଆନ୍ତା, ତେବେ ଦେଶର ବିଭାଜନ କେବେ ବି ହୋଇନଥାନ୍ତା।