ନୂଆଦିଲ୍ଲୀ: ଏସିଆନ୍ ଗେମ୍ସ ୨୦୨୬ ଚୟନ ପ୍ରକ୍ରିୟା ପାଇଁ ଆଜି ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଆୟୋଜିତ ଟ୍ରାୟଲ୍ସରେ ହାଇଡ୍ରାମା ଦେଖିବାକୁ ମିଳିଛି। ଷ୍ଟାର୍ ମହିଳା ପହିଲବାନ୍ ବିନେଶ ଫୋଗାଟ୍ ଟ୍ରାୟଲ୍ ଦେବାକୁ ପହଞ୍ଚିବା ପରେ ଓଜନକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ତେବେ ଭାରତୀୟ କୁସ୍ତି ମହାସଂଘ (WFI)ର ହସ୍ତକ୍ଷେପ ପରେ ଏହି ବିବାଦର ସମାଧାନ ହୋଇଛି ଏବଂ ବିନେଶଙ୍କୁ ୫୩ କେଜି ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଗ୍ରୀନ୍ ସିଗନାଲ୍ ମିଳିଛି।
ଓଜନ ମାପକୁ ନେଇ କାହିଁକି ବଢ଼ିଲା ବିବାଦ?
ଶନିବାର ସକାଳେ ଯେତେବେଳେ ବିନେଶ ଫୋଗାଟ୍ଙ୍କ ଓଜନ କରାଯାଇଥିଲା, ସେତେବେଳେ ତାଙ୍କୁ କେବଳ ୫୦ କେଜି ବର୍ଗରେ ଭାଗ ନେବାକୁ କୁହାଯାଇଥିଲା। ଏହାକୁ ନେଇ ବିନେଶ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ କୁସ୍ତି ମହାସଂଘ ତାଙ୍କ ସହ ପାତରଅନ୍ତର କରୁଥିବା ଅଭିଯୋଗ ଆଣିଥିଲେ। ପରିସ୍ଥିତି ଜଟିଳ ହେବାରୁ WFI ସଭାପତି ସଞ୍ଜୟ ସିଂହ ମଧ୍ୟସ୍ଥତା କରିଥିଲେ।
୫୩ କେଜି ବର୍ଗରେ ଏଣ୍ଟ୍ରି: ଓଜନ ମାପ ବେଳେ ବିନେଶଙ୍କ ଓଜନ ୫୩.୯ କେଜି ରହିଥିଲା। ଏହାକୁ ଆଧାର କରି ତାଙ୍କୁ ୫୩ କେଜି କାଟେଗୋରୀରେ ସାମିଲ କରାଯାଇଛି।
ମହାସଂଘର ସ୍ପଷ୍ଟୀକରଣ: ଏହି ପ୍ରସଙ୍ଗରେ WFI ସଭାପତି ସଞ୍ଜୟ ସିଂହ କହିଛନ୍ତି, "ଆମେ କାହା ପ୍ରତି ଭେଦଭାବ କରିବାକୁ ଚାହୁଁନାହୁଁ। ବିନେଶ ପୂର୍ବରୁ ସ୍ପଷ୍ଟ କରିନଥିଲେ ଯେ ସେ କେଉଁ ବର୍ଗରେ ଲଢ଼ିବେ, ତଥାପି ଆମେ ତାଙ୍କ ଆପତ୍ତି ଶୁଣି ତାଙ୍କୁ ୫୩ କେଜି ବର୍ଗରେ ସୁଯୋଗ ଦେଇଛୁ। ଟ୍ରାୟଲ୍ସ ବେଳେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଷ୍ଟାଡିୟମ ପରିସରରେ ମହିଳା ସିଆରପିଏଫ୍ (CRPF) ଏବଂ ଆରଏଏଫ୍ (RAF) ଯବାନଙ୍କୁ ମୁତୟନ କରାଯାଇଛି।
ଏବେ ଅନ୍ତିମ ପଙ୍ଘାଲଙ୍କ ସହ ହୋଇପାରେ ମହାମୁକାବିଲା
୫୩ କେଜି ବର୍ଗରେ ଅନୁମତି ମିଳିବା ପରେ ଏବେ ଟ୍ରାୟଲ ମ୍ୟାଚ୍ଗୁଡ଼ିକ ବେଶ୍ ରୋମାଞ୍ଚକର ହେବାକୁ ଯାଉଛି। ବିନେଶ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ସମେତ ତାଙ୍କର ଗତ କିଛି ଇଭେଣ୍ଟ ୫୦ କେଜି ବର୍ଗରେ ଖେଳିଥିଲେ। କିନ୍ତୁ ଏବେ ବର୍ଗ ବଦଳିବା ପରେ ମ୍ୟାଟ୍ରେ ତାଙ୍କର ସାମ୍ନା ଅଭିଜ୍ଞ ପହିଲବାନ୍ ଅନ୍ତିମ ପଙ୍ଘାଲ ଏବଂ ଉଦୀୟମାନ ଖେଳାଳି ମୀନାକ୍ଷୀ ଗୋୟତଙ୍କ ସହ ହେବାର ସମ୍ଭାବନା ରହିଛି।