ଗଜପତି: ଦୃଢ଼ ଇଚ୍ଛାଶକ୍ତି, କଠିନ ପରିଶ୍ରମ ଓ ପରିବାରର ସମର୍ଥନ ଥିଲେ ସଫଳତା ନିଶ୍ଚିତ ମିଳେ। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅନ୍ତର୍ଗତ ବେତାରସିଂ ଗାଁର ଝିଅ ନୈଷ୍ମିତା ସାହୁ। +୨ ବିଜ୍ଞାନ ପରୀକ୍ଷାରେ ସେ ଜିଲ୍ଲା ଟପ୍ପର୍ ହୋଇ ପରିବାର ସହ ଗଜପତି ଜିଲ୍ଲା ପାଇଁ ଗର୍ବର କାରଣ ପାଲଟିଛନ୍ତି।
ମୋହନା ସ୍ଥିତ ଏସ୍ସି-ଏସ୍ଟି ବିଭାଗ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ନୈଷ୍ମିତା ୬୦୦ରୁ ୫୬୦ ନମ୍ବର ରଖି ୯୩.୦୩ ପ୍ରତିଶତ ମାର୍କ ହାସଲ କରିଛନ୍ତି। ତାଙ୍କ ଏହି ସଫଳତା ଆହୁରି ସ୍ୱତନ୍ତ୍ର କାରଣ ସେ ଏକ ସାଧାରଣ ପରିବାରରୁ ଆସିଛନ୍ତି। ତାଙ୍କ ବାପା ଜଣେ ପରିବା ବିକ୍ରେତା। ବିଭିନ୍ନ ହାଟବଜାରକୁ ଯାଇ ପରିବା ବିକ୍ରି କରି ପରିବାର ଚଳାଇବା ସହ ଝିଅର ପାଠପଢ଼ା ଖର୍ଚ୍ଚ ବହନ କରୁଥିଲେ।
ଆର୍ଥିକ ସମସ୍ୟା ଥିଲେ ମଧ୍ୟ ସେ କେବେ ହାର ମାନିନଥିଲେ। କଲେଜ ସମୟ ବ୍ୟତୀତ ପ୍ରତିଦିନ ପ୍ରାୟ ୮ ଘଣ୍ଟା ନିଜେ ପାଠ ପଢ଼ୁଥିଲେ। ପରିବାରର ସହଯୋଗ ଓ ଶିକ୍ଷକମାନଙ୍କ ପ୍ରେରଣା ତାଙ୍କୁ ଆଗକୁ ବଢ଼ିବାର ଶକ୍ତି ଦେଇଥିଲା।
ତେବେ ଫଳାଫଳ ଆସିବା ପରେ ନୈଷ୍ମିତା କହିଛନ୍ତି, “ମୋ ସଫଳତା ପାଇଁ ପରିବାର ଓ ଶିକ୍ଷକଙ୍କ ଅବଦାନ ଅନେକ ରହିଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ପଢ଼ୁଥିବା ବେଳେ ମା’ ମୋ ସହ ଜଗି ରହୁଥିଲେ। ଶିକ୍ଷକମାନେ ଆବଶ୍ୟକ ବହି ଓ ମାର୍ଗଦର୍ଶନ ଦେଇ ସହାୟତା କରିଥିଲେ। ଭବିଷ୍ୟତରେ ମୁଁ ଡାକ୍ତର ହେବାକୁ ଚାହୁଁଛି।”
ଝିଅର ସଫଳତାରେ ପରିବାର ମଧ୍ୟ ବେଶ ଖୁସି। ନୈଷ୍ମିତାଙ୍କ ମା’ କହିଛନ୍ତି, “ସେ ଛୋଟବେଳୁ ପାଠପଢ଼ାରେ ଆଗ୍ରହୀ ଥିଲା। ଆଜି ତା’ର ସଫଳତା ଆମକୁ ଗର୍ବିତ କରିଛି।” ସେହିପରି ବାପା କହିଛନ୍ତି, “ପରିବା ବିକ୍ରି କରି ଝିଅର ପଢ଼ା ଖର୍ଚ୍ଚ ଉଠାଇଛି। ତା’ ଉପରେ ସବୁବେଳେ ବିଶ୍ୱାସ ଥିଲା। ସେ ଡାକ୍ତର ହେବାର ସ୍ୱପ୍ନ ଦେଖୁଛି, ଭଗବାନ ତା’ର ସ୍ୱପ୍ନ ପୂରଣ କରନ୍ତୁ।”
ନୈଶ୍ମିତାଙ୍କ ଏହି ସଫଳତା ଅନେକ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ପାଲଟିଛି। ପ୍ରତିକୂଳ ପରିସ୍ଥିତି ଭିତରେ ମଧ୍ୟ ଦୃଢ଼ ସଂକଳ୍ପ ଥିଲେ ସଫଳତାର ଶିଖର ଛୁଇଁହେବ ବୋଲି ସେ ପ୍ରମାଣ କରିଛନ୍ତି।