ନିଟ୍ ପରୀକ୍ଷାକୁ ନେଇ ଦେଶଜୁଡ଼ା ବିବାଦ ଓ ପେପର ଲିକ୍ ଅଭିଯୋଗ ପରେ କେନ୍ଦ୍ର ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି। ଏଣିକି ଆସନ୍ତା ବର୍ଷରୁ ନିଟ୍ ପରୀକ୍ଷା ଅନଲାଇନ୍ ମୋଡ୍ରେ ହେବ। ଅର୍ଥାତ୍ ଓଏମଆର ସିଟ୍ ବଦଳରେ କମ୍ପ୍ୟୁଟର-ଭିତ୍ତିକ ଟେଷ୍ଟ (CBT) ମାଧ୍ୟମରେ ପରୀକ୍ଷା ହେବ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ସାମ୍ବାଦିକ ସମ୍ମିଳନୀରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “ଓଏମଆର ଅପେକ୍ଷା CBT ଅଧିକ ସୁରକ୍ଷିତ ଓ ସ୍ୱଚ୍ଛ ପ୍ରଣାଳୀ।” ପେପର ଲିକ୍ ଭଳି ଘଟଣାକୁ ରୋକିବା ଓ ପରୀକ୍ଷାରେ ସ୍ୱଚ୍ଛତା ଆଣିବା ପାଇଁ ଏହି ବଡ଼ ପଦକ୍ଷେପ ନିଆଯାଇଥିବା ସେ କହିଛନ୍ତି।
ଏହି ବର୍ଷର ନିଟ୍ ପରୀକ୍ଷାକୁ ନେଇ ମଧ୍ୟ ମନ୍ତ୍ରୀ କିଛି ବଡ଼ ଘୋଷଣା କରିଛନ୍ତି। ପରୀକ୍ଷାର୍ଥୀଙ୍କୁ ଅତିରିକ୍ତ ୧୫ ମିନିଟ୍ ସମୟ ମିଳିବ। ପରୀକ୍ଷା ଅପରାହ୍ନ ୨ଟାରୁ ସନ୍ଧ୍ୟା ୫ଟା ୧୫ ପର୍ଯ୍ୟନ୍ତ ଚାଲିବ। ଜୁନ୍ ୨୧ରେ ହେବାକୁ ଥିବା ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଜୁନ୍ ୧୪ ସୁଦ୍ଧା ଉପଲବ୍ଧ ହେବ ବୋଲି ସୂଚନା ମିଳିଛି।
ପେପର ଲିକ୍ ବିବାଦକୁ ନେଇ ଶିକ୍ଷାମନ୍ତ୍ରୀ କହିଛନ୍ତି, ୭ ମେ’ରେ ଖବର ପ୍ରକାଶ ପାଇବା ପରେ ତୁରନ୍ତ ତଦନ୍ତ ଆରମ୍ଭ ହୋଇଥିଲା। ପରେ ମାମଲାକୁ ତଦନ୍ତ ଏଜେନ୍ସିଙ୍କୁ ହସ୍ତାନ୍ତର କରାଯାଇଥିଲା ଏବଂ ସିବିଆଇ ଏବେ ଏହାର ତଦନ୍ତ କରୁଛି। “ଶିକ୍ଷା ମାଫିଆଙ୍କୁ କେବେ ବି ଛାଡ଼ାଯିବନି,” ବୋଲି ସେ କଠୋର ଚେତାବନୀ ଦେଇଛନ୍ତି।
ସେହିପରି ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଏନଟିଏ ଫିସ୍ ଫେରସ୍ତ କରିବା ସହ ପସନ୍ଦର ସହର ବାଛିବାର ସ୍ୱାଧୀନତା ମଧ୍ୟ ଦେବାକୁ ନିଷ୍ପତ୍ତି ନେଇଛି। ନିଟ୍ର ନୂଆ ରୂପରେ ଏବେ ପ୍ରଯୁକ୍ତି ହେବ ଛାତ୍ରଛାତ୍ରୀଙ୍କ ଭରସା ଓ ସ୍ୱଚ୍ଛତାର ନୂଆ ଅସ୍ତ୍ର।