ଭୁବନେଶ୍ୱର: ମାଟ୍ରିକ୍ ପରୀକ୍ଷାରେ ଫଳାଫଳକୁ ନେଇ ଆଶଙ୍କାରେ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ସୁଯୋଗ। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ଘୋଷଣା ହୋଇଛି ଯେ, ଆସନ୍ତା ମେ ୧୧ ଠାରୁ ମାଟ୍ରିକ୍ ଉତ୍ତରପତ୍ର ରି-ଚେକିଂ ଓ ଫୋଟୋକପି ପାଇଁ ଆବେଦନ ଆରମ୍ଭ ହେବ।
ଯେଉଁ ଛାତ୍ରଛାତ୍ରୀ ନିଜର ମାର୍କ୍ସ ନେଇ ସନ୍ଦେହରେ ଅଛନ୍ତି, ସେମାନେ ଏହି ସୁଯୋଗରେ ନିଜ ଉତ୍ତରପତ୍ରକୁ ପୁନଃ ଯାଞ୍ଚ କରାଇ ପାରିବେ। ସେଥିପାଇଁ ସେମାନେ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ ଏବଂ ଚାହିଲେ ମୂଲ୍ୟାୟନ ହୋଇଥିବା ଉତ୍ତରପତ୍ରର ଫୋଟୋକପି ମଧ୍ୟ ପାଇପାରିବେ। ଆବେଦନ ପ୍ରକ୍ରିୟା ମେ ୧୧ ଠାରୁ ଆରମ୍ଭ ହୋଇ ମେ ୨୨ ମଧ୍ୟରାତ୍ରି ପର୍ଯ୍ୟନ୍ତ ଚାଲିବ। ୨୪ ଘଣ୍ଟା ଧରି ପୋର୍ଟାଲ୍ ଖୋଲା ରହିବାରୁ ଛାତ୍ରଛାତ୍ରୀ ନିଜ ସୁବିଧାନୁସାରେ ଆବେଦନ କରିପାରିବେ।
ରି-ଚେକିଂ ପରେ ଯଦି କୌଣସି ମାର୍କ୍ସ ପରିବର୍ତ୍ତନ ହୁଏ, ତେବେ ପରିଷଦ ପକ୍ଷରୁ ନୂତନ ମାର୍କଶିଟ୍ ଜାରି କରାଯିବ। ସେହିପରି ଛାତ୍ରଛାତ୍ରୀମାନେ ନିଜ ଉତ୍ତରପତ୍ରର ଫୋଟୋକପି ମଧ୍ୟ ଅନଲାଇନ୍ ଡାଉନଲୋଡ୍ କରିପାରିବେ। ଏହି ପଦକ୍ଷେପ ମାଧ୍ୟମରେ ଶିକ୍ଷା ପରିଷଦ ମୂଲ୍ୟାୟନ ପ୍ରକ୍ରିୟାରେ ସ୍ପଷ୍ଟତା ଓ ପାରଦର୍ଶିତା ଆଣିବାକୁ ଚେଷ୍ଟା କରୁଛି।
ଅଧିକ ପଢନ୍ତୁ: ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ରେଜଲ୍ଟ; ଚଳିତ ବର୍ଷ ପାସ୍ ହାର ୯୫.୩୩ ପ୍ରତିଶତ, ଏମିତି କରନ୍ତୁ ଚେକ୍