କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନରେ ପରାଜିତ ହେବା ପରେ ବି ମମତା ବାନାର୍ଜୀଙ୍କ ଆଭିମୁଖ୍ୟରେ ବଦଳିନି। ଫଳାଫଳକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ବୁଧବାର ଟିଏମସି ମୁଖ୍ୟ ମମତା ବାନାର୍ଜୀ ନିଜ ଜିଦରେ ଅଟଳ ରହିଛନ୍ତି। ସେ କହିଛନ୍ତି ସେ ଇସ୍ତଫା ଦେବେ ନାହିଁ। ତାଙ୍କୁ ବରଖାସ୍ତ କରିବାର ଅଛି ତ କରା ଯାଉ। କିନ୍ତୁ ସେ ନିଜ ନିଷ୍ପତ୍ତିରେ ଅଟଳ ରହିବେ। ତାଙ୍କ ପ୍ରାର୍ଥୀମାନଙ୍କୁ ଏକ ଷଡ଼ଯନ୍ତ୍ର କରି ଜବରଦସ୍ତି ହରାଇ ଦିଆଯାଇଛି। ଏଥିପାଇଁ ସେ ନିର୍ବାଚନ କମିଶନ, ପୋଲିସ ଏବଂ CRPF କୁ ଦାୟୀ କରିଛନ୍ତି।
ନବନିର୍ବାଚିତ ବିଧାୟକମାନଙ୍କ ସହ ବୈଠକ କରି ମମତା କହିଛନ୍ତି, କେନ୍ଦ୍ର ଚାହିଁଲେ ମୋତେ ବହିଷ୍କାର କରିପାରନ୍ତି, କିନ୍ତୁ ମୁଁ ନିଜଆଡ଼ୁ ଇସ୍ତଫା ଦେବି ନାହିଁ। ବିଧାନସଭାର ପ୍ରଥମ ଦିନରେ ସମସ୍ତ TMC ବିଧାୟକ କଳା ପୋଷାକ ପିନ୍ଧି ଏହି 'କଳା ଦିବସ'ର ପ୍ରତିବାଦ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ମମତାଙ୍କ କହିବା କଥା, ସେ ବିଜେପିକୁ ନୈତିକ ଭାବେ ହରାଇଛନ୍ତି ଏବଂ ଜଣେ ମୁକ୍ତ ବିହଙ୍ଗ ଭଳି ସେ ଆଗକୁ ମଧ୍ୟ ଲଢ଼େଇ ଜାରି ରଖିବେ। ଦଳ ସହ ଯେଉଁମାନେ ବିଶ୍ଵାସଘାତକତା କରିଛନ୍ତି, ସେମାନଙ୍କୁ ତୁରନ୍ତ ଦଳରୁ ବାହାର କରାଯିବ।
ଟିଏମସିର ଅଭିଯୋଗ
ଦଳୀୟ ପ୍ରବକ୍ତା କୁନାଲ ଘୋଷ କହିଛନ୍ତି ଯେ ରାଜ୍ୟରେ ହେଉଥିବା ହିଂସା ପାଇଁ ନିର୍ବାଚନ କମିଶନ ଦାୟୀ। ମମତା ବାନାର୍ଜୀଙ୍କ ଇସ୍ତଫା ନଦେବା ହେଉଛି ବିଜେପି ଦ୍ଵାରା ହୋଇଥିବା 'ସିଟ୍ ଲୁଟ୍' ବିରୋଧରେ ଏକ ପ୍ରତୀକାତ୍ମକ ପ୍ରତିବାଦ।
ରାଷ୍ଟ୍ରପତି ଶାସନ ପାଇଁ ଚ୍ୟାଲେଞ୍ଜ
ମମତା ସ୍ପଷ୍ଟ କରିଛନ୍ତି ଯେ ଯଦି କେନ୍ଦ୍ର ସରକାର ଚାହିଁବେ ତେବେ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ କରିପାରନ୍ତି। ଟିଏମସି ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ମଧ୍ୟ ନେତାମାନଙ୍କୁ ନିଜ ପଦରୁ ଇସ୍ତଫା ନଦେବାକୁ କହିଛନ୍ତି। ପଦବୀରେ ରହିବା ହିଁ ଏହି "ରିଗିଂ" ବିରୋଧରେ ପ୍ରକୃତ ପ୍ରତିବାଦ ହେବ ବୋଲି ଅଭିଷେକ କହିଛନ୍ତି।
ସାମ୍ବିଧାନିକ ସ୍ଥିତି
ଅନ୍ୟପଟେ ରାଜ୍ୟରେ ନୂଆ ସରକାର ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ମୁଖ୍ୟ ନିର୍ବାଚନ ଅଧିକାରୀ ମନୋଜ କୁମାର ଅଗ୍ରୱାଲ ସ୍ପଷ୍ଟ କରିଛନ୍ତି ଯେ, କମିଶନଙ୍କ କାମ କେବଳ ନିର୍ବାଚନ କରିବା ଏବଂ ଫଳାଫଳ ଘୋଷଣା କରିବା ଥିଲା। ଏବେ ଆଗକୁ ଯାହା ହେବ ତାହା ସମ୍ବିଧାନ ଅନୁଯାୟୀ ହେବ।