ହାଇଦ୍ରାବାଦ: ଆଇପିଏଲ୍ ୨୦୨୬ରେ ସନରାଇଜର୍ସ ହାଇଦ୍ରାବାଦ (ଆଇପିଏଲ)ରେ ନିଜର ଦବଦବା ଜାରି ରଖିଛି। ବୁଧବାର ଖେଳାଯାଇଥିବା ଏକ ହାଇ-ସ୍କୋରିଂ ମ୍ୟାଚ୍ରେ ହାଇଦ୍ରାବାଦ ୩୩ ରନରେ ପଞ୍ଜାବ କିଙ୍ଗସ (ପିବିକେଏସ) କୁ ପରାସ୍ତ କରି ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ଦଖଲ କରିଛି। ଏହି ପରାଜୟ ସହ ପଞ୍ଜାବ ତା’ର ଶୀର୍ଷ ସ୍ଥାନ ହରାଇ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି। ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୪ ୱିକେଟ୍ ହରାଇ ୨୩୫ ରନ୍ର ଏକ ବିଶାଳ ସ୍କୋର ଛିଡ଼ା କରିଥିଲା। ଜବାବରେ ପଞ୍ଜାବ କୁପରକୋନୋଲିଙ୍କ ଶତକ ବଳରେ ୨୦୨ ରନ କରି ପାରିଥିଲା ।
ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ଦଳ ପାଇଁ ଇଶାନ କିଷାନ ଏବଂ ହେନରିକ୍ କ୍ଲାସେନ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଥିଲେ। କିନ୍ତୁ ଏହି ପାଳି ମଧ୍ୟରେ ପଞ୍ଜାବର ଖେଳାଳିମାନେ ଅନେକ ସହଜ କ୍ୟାଚ୍ ଛାଡ଼ିଥିଲେ। ଏହି ଜୀବନଦାନର ସମ୍ପୂର୍ଣ୍ଣ ଫାଇଦା ଉଠାଇ SRH ଦଳ ୨୩୫ ରନର ବିଶାଳ ସ୍କୋର ଛିଡ଼ା କରିବାରେ ସଫଳ ହୋଇଥିଲା।
କୁପର କୋନୋଲିଙ୍କ ଶତକ ବୃଥା
୨୩୬ ରନର ପିଛା କରିବାକୁ ଓହ୍ଲାଇଥିବା ପଞ୍ଜାବ କିଙ୍ଗସର ଆରମ୍ଭ ଅତି ଶୋଚନୀୟ ଥିଲା। ମାତ୍ର ୪ ରନ୍ ସ୍କୋରରେ ଦଳ ତା’ର ଦୁଇ ଓପନରଙ୍କୁ ହରାଇଥିଲା। ଦ୍ୱିତୀୟ ଓଭରରେ ବ୍ୟାଟିଂ କରିବାକୁ ଆସିଥିବା କୁପର କୋନୋଲି ଶେଷ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିଥିଲେ। ସେ ମାତ୍ର ୫୯ ବଲ୍ରେ ୧୦୭ ରନ୍ କରି ଅପରାଜିତ ରହିଥିଲେ, ଯେଉଁଥିରେ ୭ଟି ଚୌକା ଓ ୮ଟି ବିଶାଳ ଛକା ସାମିଲ ଥିଲା। କୋନୋଲି ପଞ୍ଜାବକୁ ଜିତାଇ ପାରିନଥିଲେ ମଧ୍ୟ ତାଙ୍କର ଏହି ଶତକୀୟ ପାଳି ଯୋଗୁଁ ଦଳର 'ନେଟ୍ ରନ୍ ରେଟ୍' (NRR) ଅଧିକ ତଳକୁ ଖସିବାରୁ ବଞ୍ଚିଯାଇଥିଲା।
ପଞ୍ଜାବ ପକ୍ଷରୁ ଅଧିନାୟକ ଶ୍ରେୟସ ଆୟର ପୁଣିଥରେ ଫ୍ଲପ୍ ସାବ୍ୟସ୍ତ ହୋଇଥିଲେ (୫ ରନ୍)। ମାର୍କସ ଷ୍ଟୋଇନିସ (୨୮ ରନ୍) ଏବଂ ସୂର୍ଯ୍ୟାଂଶ ଶେଡ୍ଗେ (୨୫ ରନ୍) ସାମାନ୍ୟ ସଂଘର୍ଷ କରିଥିଲେ ମଧ୍ୟ କୋନୋଲିଙ୍କୁ ଅନ୍ୟ କୌଣସି ବ୍ୟାଟରଙ୍କ ସାଥ୍ ମିଳିନଥିଲା। ଫଳସ୍ୱରୂପ, ପଞ୍ଜାବକୁ ଏହି ମ୍ୟାଚ୍ରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା।
ହାଇଦ୍ରାବାଦ ବୋଲରଙ୍କ ଦମଦାର ପ୍ରଦର୍ଶନ
ଅଧିନାୟକ ପ୍ୟାଟ୍ କମିନ୍ସ ୪ ଓଭରରେ ୩୪ ରନ୍ ଦେଇ ୨ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇଥିଲେ। ସ୍ପିନର ଶିବାଙ୍ଗ କୁମାର ମଧ୍ୟ ୨ଟି ୱିକେଟ୍ ଅକ୍ତିଆର କରିଥିଲେ। ନୀତିଶ ରେଡ୍ଡୀ, ଇଶାନ ମାଲିଙ୍ଗା ଏବଂ ସାକିବ ହୁସେନଙ୍କୁ ୧-୧ ୱିକେଟ୍ ମିଳିଥିଲା।
ପଏଣ୍ଟ ଟେବୁଲ୍ ସ୍ଥିତି
ଏହି ବିଜୟ ପରେ ହାଇଦ୍ରାବାଦ ୧୧ଟି ମ୍ୟାଚରୁ ୧୪ ପଏଣ୍ଟ ସହ ପ୍ରଥମ ସ୍ଥାନକୁ ଉଠିଛି। ପଞ୍ଜାବ ୧୩ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି। ତୃତୀୟ ଓ ଚତୁର୍ଥ ସ୍ଥାନରେ ଯଥାକ୍ରମେ ଆରସିବି (୧୨ ପଏଣ୍ଟ) ଏବଂ ରାଜସ୍ଥାନ ରୟାଲ୍ସ (୧୨ ପଏଣ୍ଟ) ରହିଛନ୍ତି।