ନୂଆଦିଲ୍ଲୀ: ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ୍ର ୪୮ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ଏକତରଫା ବିଜୟ ହାସଲ କରିଛି। ଋତୁରାଜ ଗାୟକୱାଡଙ୍କ ନେତୃତ୍ୱାଧୀନ CSK ଦଳ ଉଭୟ ବୋଲିଂ ଏବଂ ବ୍ୟାଟିଂରେ ଦମଦାର ପ୍ରଦର୍ଶନ କରି ଦିଲ୍ଲୀକୁ ତା’ରି ଘରେ ପରାସ୍ତ କରିଛି। ବିଶେଷ କରି ବୋଲରଙ୍କ ପରେ ସଞ୍ଜୁ ସାମସନଙ୍କ ଅପରାଜିତ ୮୭ ରନର ଇନିଂସ ବଲରେ ଚେନ୍ନାଇ ପଞ୍ଚମ ବିଜୟ ହାସଲ କରି ପ୍ଲେ ଅଫ ଦୌଡ଼ରେ ନିଜକୁ ରଖି ପାରିଛି। ଅନ୍ୟପଟେ ଦିଲ୍ଲୀ ୧୦ମ ମ୍ୟାଚରୁ ଷଷ୍ଠ ପରାଜୟ ଭୋଗିଛି।
ସ୍ପିନରଙ୍କ ଜାଲରେ ଫସିଲା ଦିଲ୍ଲୀ
ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ଚେନ୍ନାଇର ସ୍ପିନରମାନଙ୍କ ସାମ୍ନାରେ ଆତ୍ମସମର୍ପଣ କରିଥିଲା। ବିଶେଷ କରି ନୂର ଅହମ୍ମଦ ୨ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇ ଦିଲ୍ଲୀର ବ୍ୟାଟିଂ ଲାଇନଅପ୍କୁ ଧ୍ୱସ୍ତ କରିଦେଇଥିଲେ। ଦିଲ୍ଲୀ ପକ୍ଷରୁ ସମୀର ରିଜଭୀ ସର୍ବାଧିକ ୪୦ ରନର ପାରି ଖେଳିଥିଲେ। ତାଙ୍କ ସହ ଟ୍ରିଷ୍ଟନ ଷ୍ଟବସ୍ ମିଶି ୬୫ ରନର ଭାଗିଦାରୀ କରିବା ଫଳରେ ଦଳ ୧୫୫ ରନର ସମ୍ମାନଜନକ ସ୍କୋର କରିବାକୁ ସକ୍ଷମ ହୋଇଥିଲା।
ଚେନ୍ନାଇ ଇନିଂସ
୧୫୬ ରନର ପିଛା କରୁଥିବା ଚେନ୍ନାଇ ପ୍ରଥମରୁ ୨ଟି ଓ୍ଵିକେଟ୍ ହରାଇଥିଲା। ହେଲେ ସଞ୍ଜୁ ସାମସନ ପୁଣିଥରେ 'ସଙ୍କଟମୋଚକ' ସାଜିଥିଲେ। ସେ ମାତ୍ର ୫୨ ବଲରୁ ୭ଟି ଚୌକା ଓ ୬ଟି ଛକା ସହାୟତାରେ ୮୭ ରନର ଅପରାଜିତ ପାରି ଖେଳିଥିଲେ। ସେ ମାତ୍ର ୩୨ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଯୁବ ବ୍ୟାଟର କାର୍ତ୍ତିକ ଶର୍ମା ୪୧ ରନର ଅପରାଜିତ ପାରି ଖେଳି ସଞ୍ଜୁଙ୍କୁ ଭରପୂର ସହଯୋଗ କରିଥିଲେ। ଉଭୟଙ୍କ ମଧ୍ୟରେ ତୃତୀୟ ୱିକେଟ୍ ପାଇଁ ୧୧୪ ରନର ଅପରାଜିତ ପାର୍ଟନରସିପ୍ ହୋଇଥିଲା। ଉଭୟଙ୍କ ଏହି ଇନିଂସ ଦମରେ ଚେନ୍ନାଇ ୧୭.୩ ଓଭରରେ ୨ ଓ୍ଵିକେଟ୍ ହରାଇ ମ୍ୟାଚ୍ ଜିତି ନେଇଛି।
ପଏଣ୍ଟ ଟେବୁଲ ଓ ପ୍ଲେ-ଅଫ୍ ସ୍ଥିତି
ଚେନ୍ନାଇ ୧୦ଟି ମ୍ୟାଚରୁ ୫ମ ବିଜୟ ସହ ଚେନ୍ନାଇର ୧୦ ପଏଣ୍ଟ ହୋଇଛି। ପ୍ଲେ-ଅଫ୍ ରେସରେ ଦଳ ଏବେ ଅତି ମଜବୁତ ସ୍ଥିତିରେ ଅଛି। ଅନ୍ୟପଟେ ଦିଲ୍ଲୀ ୧୦ଟି ମ୍ୟାଚରୁ ୬ଷ୍ଠ ପରାଜୟ ସହ ଦିଲ୍ଲୀର ପ୍ଲେ-ଅଫ୍ ରାସ୍ତା ଅତି କଷ୍ଟକର ହୋଇପଡ଼ିଛି। ଦଳର ମାତ୍ର ୮ ପଏଣ୍ଟ ରହିଛି ଏବଂ ଆଗକୁ ସବୁ ମ୍ୟାଚ୍ ଜିତିବା ସହ ଅନ୍ୟ ଦଳର ଫଳାଫଳ ଉପରେ ନିର୍ଭର କରିବାକୁ ପଡ଼ିବ।