ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ବିଜେପିର ବମ୍ପର ବିଜୟ ପରେ ବିଶ୍ଵ ନେତାମାନଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନର ସୁଅ ଛୁଟିଛି। ଏହି କ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀଙ୍କୁ ଫୋନ କରି ଏହି ଐତିହାସିକ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି।
ଟ୍ରମ୍ପ କ’ଣ କହିଲେ ?
ନ୍ୟୁଜ୍ ଏଜେନ୍ସିର ରିପୋର୍ଟ ଅନୁଯାୟୀ, ହ୍ୱାଇଟ୍ ହାଉସ୍ ମୁଖପାତ୍ର କୁଶ ଦେଶାଇ କହିଛନ୍ତି ଯେ, ରାଷ୍ଟ୍ରପତି ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସା କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ, ଭାରତ ପ୍ରକୃତରେ ସୌଭାଗ୍ୟଶାଳୀ ଯେ ଆପଣଙ୍କ ଭଳି ଜଣେ ନେତା ଦେଶର ନେତୃତ୍ଵ ନେଉଛନ୍ତି। ଏହି ନିର୍ଣ୍ଣାୟକ ନିର୍ବାଚନୀ ବିଜୟ ପାଇଁ ସେ ମୋଦୀଙ୍କୁ ଅଭିନନ୍ଦନ ଜଣାଇବା ସହ ଭାରତ ସହ ବନ୍ଧୁତାକୁ ଆହୁରି ମଜବୁତ କରିବା ନେଇ ଆଶା ପ୍ରକଟ କରିଛନ୍ତି।
ବଙ୍ଗଳା ବିଜୟ ପରେ ପିଏମ ମୋଦୀଙ୍କ ପ୍ରତିକ୍ରିୟା
ପଶ୍ଚିମବଙ୍ଗରେ ବିଜେପି ପ୍ରଥମ ଥର ପାଇଁ ସରକାର ଗଢ଼ିବାକୁ ଯାଉଥିବା ବେଳେ ନୂଆଦିଲ୍ଲୀରେ ସମର୍ଥକଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହାକୁ ଏକ 'ନୂଆ ଯୁଗର ଆରମ୍ଭ' ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ, ଏହି ଜନାଦେଶ ଭୟମୁକ୍ତ, ବିକାଶମୂଳକ ଏବଂ ବିଶ୍ୱାସୀ ବଙ୍ଗଳା ଗଠନ ଦିଗରେ ଏକ ବଡ଼ ପଦକ୍ଷେପ। ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ସ୍ଵପ୍ନର ଉଲ୍ଲେଖ କରି ସେ କହିଛନ୍ତି ଯେ, ଦଶନ୍ଧି ଦଶନ୍ଧିର ଅପେକ୍ଷା ଏବେ ଶେଷ ହୋଇଛି।
ବିଶ୍ଵ ଗଣମାଧ୍ୟମର ନଜର
କେବଳ ଆମେରିକା ନୁହେଁ, ବ୍ରିଟେନ, ଜର୍ମାନୀ ଏବଂ ତୁର୍କୀ ଭଳି ଦେଶର ଗଣମାଧ୍ୟମ ମଧ୍ୟ ବିଜେପିର ଏହି ସଫଳତାକୁ ଗୁରୁତ୍ୱ ଦେଇଛନ୍ତି। BBC ଏହାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସବୁଠାରୁ କଷ୍ଟସାଧ୍ୟ ବିଜୟ ବୋଲି କହିଛି।
Reutersର ରିପୋର୍ଟ ଅନୁଯାୟୀ, ଏହି ବିଜୟ ଦ୍ଵାରା ୟୁନିଫର୍ମ ସିଭିଲ୍ କୋଡ୍ (UCC) ଏବଂ ଭିତ୍ତିଭୂମି ନିର୍ମାଣ ଭଳି ନୀତିଗୁଡ଼ିକ ଆହୁରି ଗତିଶୀଳ ହେବ। ଏହା ୨୦୨୯ ଲୋକସଭା ନିର୍ବାଚନ ପାଇଁ ବିଜେପିକୁ ଶକ୍ତି ଯୋଗାଇବ।
The Guardian: ବିଶ୍ଳେଷକଙ୍କ ମତରେ, ଏହା ବିଜେପି ନେତୃତ୍ଵଙ୍କ ଗତ ସାତ ବର୍ଷର ପରିଶ୍ରମର ଫଳ।
DW: ଜର୍ମାନ ବ୍ରୋଡକାଷ୍ଟର ଲେଖିଛି ଯେ, ମୋଦୀଙ୍କ ହିନ୍ଦୁ ଜାତୀୟତାବାଦୀ ଦଳ ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗରେ କ୍ଷମତାକୁ ଆସୁଛି।