ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ 'ସୁପ୍ରିମକୋର୍ଟ ସଂଶୋଧନ ବିଧେୟକ, ୨୦୨୬'କୁ ମଞ୍ଜୁରୀ ମିଳିଛି। ଏହି ବିଧେୟକ ଅନୁଯାୟୀ, ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରପତିଙ୍କ ସଂଖ୍ୟା ୩୪ରୁ ୩୮କୁ ବୃଦ୍ଧି କରାଯିବ। ସୁପ୍ରିମକୋର୍ଟରେ ବର୍ତ୍ତମାନ ମୁଖ୍ୟ ବିଚାରପତି (CJI)ଙ୍କ ସମେତ ମୋଟ ୩୪ ଜଣ ବିଚାରପତି ଅଛନ୍ତି। କ୍ୟାବିନେଟ୍ ମଞ୍ଜୁରୀ ପରେ ଏହି ସଂଖ୍ୟା ୩୮କୁ ବୃଦ୍ଧି ପାଇବ।
କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ସୁପ୍ରିମକୋର୍ଟରେ ୪ ଜଣ ନୂଆ ବିଚାରପତି ନିଯୁକ୍ତି ପାଇଁ ସଂସଦର ଆଗାମୀ ଅଧିବେଶନରେ ଏକ ବିଲ୍ ଅଣାଯିବ। ସଂସଦର ଅନୁମୋଦନ ପରେ ଏହା କାର୍ଯ୍ୟକାରୀ ହେବ। କୋର୍ଟରେ ବଢ଼ୁଥିବା ମାମଲାର ଚାପ ଏବଂ ନ୍ୟାୟ ପ୍ରଦାନରେ ହେଉଥିବା ବିଳମ୍ବକୁ ଦୂର କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ବିଶେଷ କରି 'ସାମ୍ବିଧାନିକ ପୀଠ'ରେ ଥିବା ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡ଼ିକର ଶୀଘ୍ର ସମାଧାନ ହୋଇପାରିବ ବୋଲି ଆଶା କରାଯାଉଛି।
ଜାଣନ୍ତୁ କେବେ କେବେ ବଢ଼ିଛି ଜଜ୍ ସଂଖ୍ୟା
ସୁପ୍ରିମକୋର୍ଟର ଇତିହାସରେ ସମୟ ସମୟରେ ବିଚାରପତିଙ୍କ ସଂଖ୍ୟା ପରିବର୍ତ୍ତନ କରାଯାଇଛି। ୧୯୫୬ ମୂଳ ଅଧିନିୟମରେ ମୁଖ୍ୟ ବିଚାରପତିଙ୍କ ବ୍ୟତୀତ ମାତ୍ର ୧୦ ଜଣ ଜଜ୍ ଥିଲେ। ୧୯୬୦ ଓ ୧୯୭୭ରେ ପର୍ଯ୍ୟାୟକ୍ରମେ ଏହି ସଂଖ୍ୟା ୧୩ ଏବଂ ପରେ ୧୭କୁ ବୃଦ୍ଧି କରାଯାଇଥିଲା। ୧୯୮୬ରେ ବିଚାରପତିଙ୍କ ସଂଖ୍ୟା ୧୭ରୁ ୨୫କୁ ବୃଦ୍ଧି ପାଇଥିଲା। ୨୦୦୯ରେ ଆଇନରେ ସଂଶୋଧନ କରାଯାଇ ଏହି ସଂଖ୍ୟା ୨୫ରୁ ୩୦ କରାଯାଇଥିଲା।୨୦୧୯ରେ ଶେଷଥର ପାଇଁ ସଂଖ୍ୟା ୩୦ରୁ ୩୩କୁ (ମୁଖ୍ୟ ବିଚାରପତିଙ୍କୁ ଛାଡ଼ି) ବୃଦ୍ଧି କରାଯାଇଥିଲା, ଯାହା ଫଳରେ ମୋଟ ସଂଖ୍ୟା ୩୪ ହୋଇଥିଲା। ବର୍ତ୍ତମାନ ଏହାକୁ ୩୮କୁ ବୃଦ୍ଧି କରିବା ପାଇଁ ପ୍ରସ୍ତୁତି ଶେଷ ହୋଇଛି।
Also Read: ପଶ୍ଚିମବଙ୍ଗ ପରାଜୟକୁ ଗ୍ରହଣ କରିପାରୁ ନାହାନ୍ତି ମମତା; କହିଲେ "ମୁଁ ହାରିନି, ଦେବିନି ଇସ୍ତଫା"...