ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜୟକୁ ଗ୍ରହଣ କରିପାରୁ ନାହାନ୍ତି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ। ବଙ୍ଗଲାରେ ନିର୍ବାଚନ ଫଳାଫଳ ଆସିବା ପରେ ପ୍ରଥମ ଥର ପାଇଁ ସେ ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ କଡା ସମାଲୋଚନା କରିଛନ୍ତି। ନିର୍ବାଚନରେ ହାରିବା ପରେ ବିଜେପି ବିରୋଧରେ ଭୋଟ ଚୋରି ଅଭିଯୋଗକୁ ତୀବ୍ର କରିଛନ୍ତି ମମତା। ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ସେ ବେଙ୍ଗଲରେ ନିର୍ବାଚନ ହାରି ନାହାନ୍ତି, ବରଂ ଜନାଦେଶକୁ ବଳପୂର୍ବକ ଲୁଟ କରି ନିଆଯାଇଛି।
ନିର୍ବାଚନରେ ହାରି ନଥିବାରୁ ସେ ପରମ୍ପରା ଅନୁସାରେ ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ସେ କହିଛନ୍ତି, “ଆମେ ହାରି ନାହୁଁ। ମୁଁ ହାରି ନାହିଁ। ତେଣୁ ରାଜଭବନ ଯିବି ନାହିଁ। ମୁଁ ଇସ୍ତଫା ଦେବି ନାହିଁ। ବିଜେପି ଲୁଟ କରି ଏହି ବିଜୟ ହାସଲ କରିଛି"। ବେଙ୍ଗଲରେ ବିଜେପି ୧୦୦ ସିଟ ଲୁଟ କରିଥିବା କଥା ଦୋହରାଇଛନ୍ତି ଦିଦି।
ସେ ଆହୁରି ମଧ୍ୟ କହିଛନ୍ତି, ଗଣତନ୍ତ୍ର ଏମିତି କାମ କରେ ନାହିଁ। ଯେତେବେଳେ ନିର୍ବାଚନ କମିଶନ ପକ୍ଷପାତିତା କରୁଛନ୍ତି ଓ ସରକାର ଗୋଟିଏ ଦଳର ଶାସନ ଚାହୁଁଛନ୍ତି ସେତେବେଳେ ଗୋଟିଏ ଖରାପ ବାର୍ତ୍ତା ପୂରା ବିଶ୍ୱକୁ ଯାଉଛି। ମମତା ବାନାର୍ଜୀ ପରାଜୟର ସବୁ ଦୋଷ ଭାରତୀୟ ନିର୍ବାଚନ କମିଶନ ଓ କେନ୍ଦ୍ରୀୟ ସୁରକ୍ଷା ବଳ ଉପରେ ଲଦିଛନ୍ତି। ନିର୍ବାଚନ କମିଶନ ଅତ୍ୟନ୍ତ ଖରାପ ଖେଳ ଖେଳିଛନ୍ତି କହି ଆରୋପ ଲଗାଇଛନ୍ତି।
ଅଧିକ ପଢନ୍ତୁ: ବିଧାୟକ ହେଲେ ଅଟୋଚାଳକ; ହାରିଲେ ମନ୍ତ୍ରୀଙ୍କ ପୁଅ