ମୁମ୍ବାଇ: ଲଗାତାର ୪ଟି ପରାଜୟ ପରେ ଶେଷରେ ବିଜୟ ପଥକୁ ଫେରିଛି ମୁମ୍ବାଇ ଇଣ୍ଡିଆନ୍ସ। ନିଜ ଘରୋଇ ମୈଦାନ ୱାଙ୍ଖେଡ଼େ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ୨୦୨୬ର ଏକ 'କର ବା ମର' ମୁକାବିଲାରେ ମୁମ୍ବାଇ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ପରାସ୍ତ କରିଛି। ନିୟମିତ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ଦଳ ଏହି ସଫଳତା ପାଇଛି। ଏହି ହାଇସ୍କୋରିଂ ମ୍ୟାଚରେ ରିୟାନ ରିକଲଟନ ଓ ରୋହିତ ଶର୍ମାଙ୍କ ବିସ୍ପୋରକ ବ୍ୟାଟିଂ ବଳରେ ମୁମ୍ବାଇ ଲକ୍ଷ୍ନୌ ଦ୍ଵାରା ଧାର୍ଯ୍ୟ ୨୨୯ ରନର ବିଜୟ ଲକ୍ଷ୍ୟକୁ ୪ ଓ୍ଵିକେଟ୍ ହରାଇ ୧୮.୪ ଓଭରରେ ହାସଲ କରି ନେଇଛି। ଏହି ବିଜୟ ସହ ମୁମ୍ବାଇ ପୁଣି ଥରେ ପ୍ଲେ-ଅଫ୍ ଦୌଡ଼ରେ ନିଜକୁ ବଞ୍ଚାଇ ରଖିଛି।
ରୋହିତ ଶର୍ମାଙ୍କ ଦମଦାର ପ୍ରତ୍ୟାବର୍ତ୍ତନ
୨୨୯ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ମୁମ୍ବାଇକୁ ରୋହିତ ଓ ରିକଲଟନ ଦମଦାର ଆରମ୍ଭ ଦେଇଥିଲେ। ଉଭୟ ପ୍ରଥମ ୱିକେଟ ପାଇଁ ୬୫ଟି ବଲରେ ୧୪୩ ରନର ଭାଗିଦାରୀ କରି ମ୍ୟାଚକୁ ଏକତରଫା କରିଦେଇଥିଲେ। ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କ ପ୍ରତ୍ୟାବର୍ତ୍ତନ ଦଳ ପାଇଁ ବରଦାନ ସଦୃଶ ହୋଇଛି। ରୋହିତ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିବା ସହ ରିୟାନ ରିକଲଟନଙ୍କ ସହ ମିଶି ଶତକୀୟ ଭାଗିଦାରୀ କରିଥିଲେ। ରୋହିତ ୪୪ ବଲରୁ ୬ ଚୌକା ଓ ୭ ଛକା ସହ ୮୪ ରନ କରିଥିଲେ। ରିକଲଟନ ୩୨ ବଲରୁ ୬ ଚୌକା ଓ ୮ ଛକା ସହ ୮୩ ରନ କରିଥିଲେ। ଏହି ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ୨୨୯ ରନର ବିଶାଳ ଲକ୍ଷ୍ୟକୁ ୮ଟି ବଲ୍ ବାକି ଥାଇ ହାସଲ କରି ନେଇଥିଲା।
ଲକ୍ଷ୍ନୌର ବ୍ୟାଟିଂ ଓ ମୁମ୍ବାଇ ବୋଲରଙ୍କ ପ୍ରତ୍ୟାବର୍ତ୍ତନ
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ସୁପର ଜାଏଣ୍ଟସ ନିର୍ଦ୍ଧାରିତ ୨୦ ଓଭରରେ ୨୨୮ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ମିଚେଲ ମାର୍ଶ, ନିକୋଲାସ ପୁରନ ଏବଂ ଜଶ ଇଂଲିସ ବିସ୍ଫୋରକ ବ୍ୟାଟିଂ କରି ପ୍ରଥମ ୧୦ ଓଭରରେ ୧୪୧ ରନ୍ ସଂଗ୍ରହ କରିଥିଲେ।ନିକୋଲାସ ପୁରନ ମାତ୍ର ୧୭ଟି ବଲରେ ୮ଟି ଛକା ସହ ଏକ ଦ୍ରୁତ ଅର୍ଦ୍ଧଶତକ ହାସଲ କରିଥିଲେ। ହେଲେ ମୁମ୍ବାଇ ଶେଷ ୧୦ ଓଭରରେ ମୁମ୍ବାଇ ବୋଲରମାନେ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ମାତ୍ର ୮୭ ରନ୍ ଦେଇଥିଲେ। କର୍ବିନ ବସ ମୁମ୍ବାଇ ପାଇଁ ସର୍ବାଧିକ ୨ଟି ୱିକେଟ ନେଇଥିଲେ।