କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ଏକ ବଡ଼ ଧରଣର ବିପର୍ଯ୍ୟୟ ଘଟିଛି। ରାଜ୍ୟ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (BJP) ପ୍ରଚଣ୍ଡ ବହୁମତ ସହ ଏକ ଐତିହାସିକ ସଫଳତା ହାସଲ କରିଛି। ୨୯୪ ଆସନ ବିଶିଷ୍ଟ ବଙ୍ଗଳା ବିଧାନସଭାରେ ବିଜେପି ଏକାକୀ ୨୦୮ଟି ଆସନରେ ବିଜୟୀ ହୋଇଛି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ ଖବର ହେଉଛି, ଦୀର୍ଘ ୧୫ ବର୍ଷ ଧରି ଶାସନ ଗାଦିରେ ଥିବା ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ନିଜ ଆସନ ବଞ୍ଚାଇବାରେ ବିଫଳ ହୋଇଛନ୍ତି। ହାତରୁ ତ କ୍ଷମତା ଗଲା, ଏହା ପରେ ବି ନିଜ ସିଟ୍ ବି ବଞ୍ଚାଇ ପାରିଲେନି ତିନି ଥରର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।
ଭବାନୀପୁରରେ ମମତାଙ୍କୁ ହରାଇଲେ ଶୁଭେନ୍ଦୁ
ଭବାନୀପୁର ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୧୫,୧୦୫ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି।ରାଉଣ୍ଡ ପରେ ରାଉଣ୍ଡ ଶେଷରେ ୧୫,୧୦୫ ଭୋଟରେ ଶୁଭେନ୍ଦୁ ଅଧିକାରୀ ବିଜୟୀ ହୋଇଥିବା ଘୋଷଣା କରାଯାଇଛି।
ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ସିପିଏମ୍ ସମର୍ଥକମାନେ ମୋତେ ଭୋଟ ଦେଇଥିଲେ। ଭବାନୀପୁରରେ ସିପିଏମର ୧୩,୦୦୦ ଭୋଟ ଥିଲା ଏବଂ ମୁଁ ସେମାନଙ୍କ ମଧ୍ୟରୁ ଅତି କମରେ ୧୦,୦୦୦ ଭୋଟ ପାଇଥିଲି। ମୁଁ ସେଠାକାର ସିପିଏମ୍ ଭୋଟରଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରୁଛି। ସମସ୍ତ ବଙ୍ଗାଳୀ ହିନ୍ଦୁ ମୋତେ ଖୋଲାଖୋଲି ଭାବରେ ଭୋଟ ଦେଇଥିଲେ। ସେମାନଙ୍କ ସହିତ, ଗୁଜରାଟୀ, ଜୈନ, ମାରୱାଡି, ପୂର୍ବାଞ୍ଚଳୀ ଏବଂ ଶିଖ ସମ୍ପ୍ରଦାୟ ମଧ୍ୟ ମୋତେ ଖୋଲାଖୋଲି ଭାବରେ ଭୋଟ ଦେଇଥିଲେ।
କାହାକୁ ମିଳିଲା କେତେ ଭୋଟ୍?
ଭବାନୀପୁର ଆସନରେ ହୋଇଥିବା କଡ଼ା ମୁକାବିଲାର ପରିସଂଖ୍ୟାନ
ଶୁଭେନ୍ଦୁ ଅଧିକାରୀ (ବିଜେପି): ୭୩,୯୧୭ ଭୋଟ୍ ପାଇଛନ୍ତି।
ମମତା ବାନାର୍ଜୀ (ଟିଏମସି): ୫୮,୮୧୨ ଭୋଟ୍ ପାଇବାରେ ସକ୍ଷମ ହୋଇଛନ୍ତି।
ମମତାଙ୍କ ପାଇଁ ଶକ୍ତ ଧକ୍କା
ଏହି ନିର୍ବାଚନ ଫଳାଫଳ ମମତା ବାନାର୍ଜୀଙ୍କ ପାଇଁ ଏକ ବଡ଼ ଧକ୍କା ସାବ୍ୟସ୍ତ ହୋଇଛି। ୨୦୧୧ ମସିହାରେ ସେ ପ୍ରଥମ ଥର ପାଇଁ ବଙ୍ଗଳାର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାପରେ ୨୦୧୬ ଏବଂ ୨୦୨୧ରେ ମଧ୍ୟ ସେ ନିର୍ବାଚନ ଜିତି ମୁଖ୍ୟମନ୍ତ୍ରୀ ଭାବେ ହ୍ୟାଟ୍ରିକ୍ ସଫଳତା ପାଇଥିଲେ। ମାତ୍ର ଚତୁର୍ଥ ଥର ପାଇଁ କ୍ଷମତାକୁ ଫେରିବା ସ୍ଵପ୍ନ ଏହି ପରାଜୟ ସହ ଭାଙ୍ଗିଯାଇଛି। ରାଜ୍ୟରେ ବିଜେପି ଏବେ ସରକାର ଗଢ଼ିବାକୁ ଯାଉଥିବା ବେଳେ ବଙ୍ଗଳା ରାଜନୀତିରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି।