କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ଦୀର୍ଘ ୧୫ ବର୍ଷର ଟିଏମସି (TMC) ଶାସନର ଅନ୍ତ ଘଟାଇ ବିଜେପି ଐତିହାସିକ ବିଜୟ ସହ ସରକାର ଗଢିବାକୁ ଯାଉଛି। ଏହି ପରାଜୟ ପରେ ପ୍ରଥମ ଥର ପାଇଁ ଟିଏମସି ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ସାର୍ବଜନୀନ ଭାବେ ନିଜର ପ୍ରତିକ୍ରିୟା ରଖିଛନ୍ତି।
ଲୋକଙ୍କ ନିଷ୍ପତ୍ତି ଶିରୋଧାର୍ଯ୍ୟ
ନିର୍ବାଚନ ଫଳାଫଳ ଉପରେ ମତ ରଖି ଅଭିଷେକ କହିଛନ୍ତି ଯେ, ଏକ ସଭ୍ୟ ସମାଜରେ ଜନତା ଯେଉଁ ନିଷ୍ପତ୍ତି ଶୁଣାନ୍ତି, ତାହାକୁ ସମସ୍ତେ ସ୍ୱୀକାର କରିବା ଉଚିତ। କିନ୍ତୁ ଏହା ସହ ସେ ଭୋଟ ଗଣତି ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଅଭିଷେକଙ୍କ ଅନୁଯାୟୀ, ଗଣତି ପ୍ରକ୍ରିୟା ଅତି ଧୀର ଗତିରେ ଚାଲିଛି। ୨୦୨୧ରେ ଯେଉଁଠି ୮ ଘଣ୍ଟା ମଧ୍ୟରେ ୯୦ ପ୍ରତିଶତ ଗଣତି ସରିଥିଲା, ଏଥର ସମାନ ସମୟ ମଧ୍ୟରେ ମାତ୍ର ୬ ରୁ ୮ ରାଉଣ୍ଡ ଗଣତି ଶେଷ ହୋଇଛି।
ଗଣତି କେନ୍ଦ୍ର ନ ଛାଡ଼ିବାକୁ କର୍ମକର୍ତ୍ତାଙ୍କୁ ଅପିଲ
ଅଭିଷେକ ଦଳୀୟ କର୍ମକର୍ତ୍ତା ଓ କାଉଣ୍ଟିଂ ଏଜେଣ୍ଟମାନଙ୍କୁ ଧୈର୍ଯ୍ୟ ଧରିବାକୁ କହିବା ସହ କୌଣସି ପରିସ୍ଥିତିରେ ଗଣତି କେନ୍ଦ୍ର ନଛାଡ଼ିବାକୁ ଅନୁରୋଧ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଅନେକ ସ୍ଥାନରେ ଫଳାଫଳ ଗଣମାଧ୍ୟମକୁ ଜଣାଯାଉ ନାହିଁ। ବର୍ଦ୍ଧମାନ ଦକ୍ଷିଣ ଆସନରେ ଟିଏମସି ଜିତି ସାରିଥିଲେ ମଧ୍ୟ ପୁଣି ଥରେ ଭୋଟ ଗଣତି କରାଯାଉଛି।ପ୍ରାୟ ୮ଟି ଇଭିଏମ୍ (EVM) ଡାଟାରେ ତ୍ରୁଟି ଥିବା ସେ ଦାବି କରିଛନ୍ତି।
ଟିଏମସି ଗଡ଼ରେ ବିଜେପିର ସେନ୍ଧି
ଏହି ନିର୍ବାଚନରେ ବିଜେପି ଟିଏମସିର ଗଡ଼ କୁହାଯାଉଥିବା ମାଲଦା, ମୁର୍ଶିଦାବାଦ ଏବଂ ଉତ୍ତର ବଙ୍ଗଳାରେ ବଡ଼ ସଫଳତା ପାଇଛି। ଅନ୍ୟପଟେ ହେଷ୍ଟିଙ୍ଗ୍ସ କାଉଣ୍ଟିଂ ସେଣ୍ଟର ପରିଦର୍ଶନରେ ଯାଇଥିବା ଅଭିଷେକ ବାନାର୍ଜୀଙ୍କୁ ନିର୍ବାଚନ କମିଶନ ବାହାରକୁ ଯିବାକୁ କହିଥିଲେ, କାରଣ ସେ ଜଣେ ପ୍ରାର୍ଥୀ ନୁହନ୍ତି।
ରାଜ୍ୟପାଳଙ୍କୁ ଭେଟିପାରନ୍ତି ମମତା
ବର୍ତ୍ତମାନର ସ୍ଥିତିକୁ ଦେଖି ମମତା ବାନାର୍ଜୀ ଖୁବଶୀଘ୍ର ରାଜ୍ୟପାଳଙ୍କୁ ଭେଟିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ମମତା ବର୍ତ୍ତମାନ ବି ଗଣତି କେନ୍ଦ୍ରରେ ଉପସ୍ଥିତ ଅଛନ୍ତି ଏବଂ ବିଜେପି ସେମାନଙ୍କ କାଉଣ୍ଟିଂ ସେଣ୍ଟର ଲୁଟ୍ କରୁଥିବା ସେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ବର୍ତ୍ତମାନ ପଶ୍ଚିମବଙ୍ଗରେ ରାଜନୈତିକ ବାତାବରଣ ବେଶ୍ ସରଗରମ ରହିଛି।