IPL 2026 GT vs PBKS: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL 2026) ର ୪୬ତମ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ଏକ ସ୍ମରଣୀୟ ବିଜୟ ହାସଲ କରିଛି। ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଏହା ପୂର୍ବରୁ ଖେଳାଯାଇଥିବା ଦୁଇଟି ମ୍ୟାଚ୍ରେ ପଞ୍ଜାବ କିଙ୍ଗସ ବିଜୟୀ ହୋଇଥିବା ବେଳେ, ଚଳିତ ସିଜିନରେ ଗୁଜରାଟ ସେହି ଧାରାକୁ ଭାଙ୍ଗିବାରେ ସଫଳ ହୋଇଛି। ପ୍ରଥମ ଥର ପାଇଁ ନିଜ ଘରୋଇ ମଇଦାନରେ ପଞ୍ଜାବକୁ ୪ ୱିକେଟରେ ପରାସ୍ତ କରିଛି ଶୁଭମନ ଗିଲ୍ଙ୍କ ଦଳ। ଆଉ ଦଳ ହ୍ୟାଟ୍ରିକ ବିଜୟ ହାସଲ କରିଛି। ଅନ୍ୟପଟେ ପଞ୍ଜାବ ଲଗାତର ୬ଟି ମ୍ୟାଚ୍ ଜିତିବା ପରେ କ୍ରମାଗତ ୨ୟ ମ୍ୟାଚ୍ ହାରିଛି।
ଟୁର୍ଣ୍ଣାମେଣ୍ଟର ୪୬ତମ ମ୍ୟାଚ୍ରେ ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ୧୬୩ ରନ୍ କରିଥିଲା। ଜବାବରେ, ଗୁଜରାଟ ଶେଷ ଓଭରରେ ହାତରେ ଚାରି ୱିକେଟ୍ ଥାଇ ମ୍ୟାଚ୍ ଜିତିଥିଲା। ଜାସନ ହୋଲଡରଙ୍କ ଚାରି ୱିକେଟ୍ ଏବଂ ସାଇ ସୁଦର୍ଶନଙ୍କ ଅର୍ଦ୍ଧଶତକ ଗୁଜରାଟ ଟାଇଟନ୍ସ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା।
ସୁଦର୍ଶନଙ୍କ ଜବରଦସ୍ତ ବ୍ୟାଟିଂ
୧୬୪ ରନ୍ର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିବା ଗୁଜରାଟର ଆରମ୍ଭ ଖରାପ ରହିଥିଲା। ଅଧିନାୟକ ଗିଲ୍ ଶୀଘ୍ର ଆଉଟ୍ ହୋଇଥିଲେ ମଧ୍ୟ ସାଇ ସୁଦର୍ଶନ ଏବଂ ଜୋସ୍ ବଟଲର (୨୬ ରନ୍) ୫୩ ରନ୍ର ଗୁରୁତ୍ୱପୂର୍ଣ୍ଣ ପାର୍ଟନରସିପ୍ କରି ଦଳକୁ ସମ୍ଭାଳିଥିଲେ। ସାଇ ସୁଦର୍ଶନ ଏହି ସିଜିନର ତୃତୀୟ ଅର୍ଦ୍ଧଶତକ ହାସଲ କରି ୫୭ ରନ୍ର ଏକ ଲଢୁଆ ପାଳି ଖେଳିଥିଲେ। ଡେବ୍ୟୁ କରିଥିବା ନିଶାନ୍ତ ସିନ୍ଧୁ (୧୫ ରନ୍) ବିଶେଷ କିଛି କରିପାରିନଥିଲେ।
ୱାଶିଂଟନ ସୁନ୍ଦରଙ୍କ ‘ଫିନିସିଂ ଟଚ୍’
ସୁଦର୍ଶନ ଆଉଟ୍ ହେବା ପରେ ମ୍ୟାଚ୍ ରୋମାଞ୍ଚକର ମୋଡ଼କୁ ଆସିଥିଲା। କିନ୍ତୁ ୱାଶିଂଟନ ସୁନ୍ଦର ଶେଷ ପର୍ଯ୍ୟନ୍ତ କ୍ରିଜରେ ରହି ଦଳକୁ ଜିତାଇଥିଲେ। ସୁନ୍ଦର ମାତ୍ର ୨୩ ବଲ୍ରୁ ୪୦ ରନ୍ କରିବା ସହ ଏକ ଦମଦାର ଛକା ମାରି ବିଜୟ ମୁଣ୍ଡି ମାରିଥିଲେ। ବୋଲିଂରେ ଜେସନ ହୋଲ୍ଡର ୪ଟି ୱିକେଟ୍ ନେଇ ବିଜୟର ମୂଳଦୁଆ ପକାଇଥିଲେ।