ଆଇପିଏଲର ପ୍ରଥମ ସିଜିନ ଅର୍ଥାତ ୨୦୦୮ ରେ ଖେଳିଥିବା କିଛି ଖେଳାଳି ଚଳିତ ସିଜିନ ପର୍ଯ୍ୟନ୍ତ ଖେଳୁଛନ୍ତି । ଏହି ତାଲିକାରେ ରୋହିତ ଶର୍ମା, ବିରାଟ କୋହଲି ଓ ମହେନ୍ଦ୍ର ସିଂ ଧୋନିଙ୍କ ନାମ ସାମିଲ ରହିଛି । ଏହା ବ୍ୟତୀତ ଆଉ ଜଣେ ଖେଳାଳି ଅଛନ୍ତି ଯିଏ ୨୦୦୮ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଆଇପିଏଲ ଖେଳୁଛନ୍ତି ଓ ଆଇପିଏଲରେ ଶତକ ମାରିଥିବା ପ୍ରଥମ ଭାରତୀୟ । ସେହି ଖେଳାଳି ହେଉଛନ୍ତି ମନିଶ ପାଣ୍ଡେ । ତେବେ ଅଭିଜ୍ଞତା ସତ୍ୱେ ମନିଶ ପାଣ୍ଡେ ଆଜି ୨୦୨୬ ଆଇପିଏଲର ପ୍ରଥମ ମ୍ୟାଚ ଖେଳିବାକୁ ଯାଉଛନ୍ତି ।
ଆଇପିଏଲ ୨୦୨୬ ର ୪୫ ତମ ମ୍ୟାଚରେ କୋଲକାତା ନାଇଟ ରାଇଡ଼ର୍ସ ବିପକ୍ଷ ମ୍ୟାଚରେ ମନିଶ ପାଣ୍ଡେଙ୍କୁ ପ୍ଲେଇଂ ୧୧ ରେ ସାମିଲ କରାଯାଇଛି । ଟସ୍ ହାରିବା ପରେ, କୋଲକାତାର ଅଧିନାୟକ ଅଜିଙ୍କ୍ୟ ରାହାଣେ କହିଥିଲେ, "ଆମେ ମଧ୍ୟ ପ୍ରଥମେ ବ୍ୟାଟିଂ କରିବାକୁ ଚାହୁଁଥିଲୁ। ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ବିରତିରେ ଆମକୁ ଯଥେଷ୍ଟ ସାହାଯ୍ୟ ମିଳିଛି, ଯାହାଫଳରେ ଆମେ ଦଳଗତ ଭାବେ ଭଲ ରଣନୀତି କରିଛୁ ଓ ଏହାକୁ କାର୍ଯ୍ୟରେ ଲଗାଇବାକୁ ଚେଷ୍ଟା କରିବୁ ଏବଂ ଯେଉଁ କ୍ଷେତ୍ରରେ କିଛି ଉନ୍ନତିର ଆବଶ୍ୟକତା ଅଛି ତାହା ମଧ୍ୟ ପୂରଣ କରିବାକୁ ଚେଷ୍ଟା କରିବୁ ।"
ରାହାଣେ ଆହୁରି ମଧ୍ୟ କହିଛନ୍ତି, "ମୁଁ ପୂର୍ବ ମ୍ୟାଚରେ ମଧ୍ୟ କହିଥିଲି, ଟି-୨୦ ଫାର୍ମଟରେ ଛୋଟ ମୁହୂର୍ତ୍ତ ଜିତିବା ବହୁତ ଗୁରୁତ୍ୱପୂର୍ଣ୍ଣ। ମ୍ୟାଚ ଗୋଟିଏ ଓଭରରେ ପରିବର୍ତ୍ତନ ହୋଇପାରେ। ଆମେ ଲାଇନଅପ୍ରେ ଦୁଇଟି ପରିବର୍ତ୍ତନ ହୋଇଛି। ଫିନ୍ ଆଲେନଙ୍କ ସ୍ଥାନରେ ଦଳକୁ ଫେରିଛନ୍ତି ଟିମ୍ ସାଇଫର୍ଟ ଓ ରମନଦୀପ ସିଂହଙ୍କ ସ୍ଥାନରେ ମନିଶ ପାଣ୍ଡେ ଦଳକୁ ଆସିଛନ୍ତି। ମନିଶ ଚଳିତ ସିଜିନର ତାଙ୍କ ପ୍ରଥମ ମ୍ୟାଚ ଖେଳୁଛନ୍ତି।"