ଚଳିତ ଆଇପିଏଲରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସର ପ୍ରଦର୍ଶନ ଫ୍ୟାନ୍ସଙ୍କୁ ବେଶ ନିରାଶ କରିଛି । ବର୍ତ୍ତମାନ ସୁଦ୍ଧା ୮ ଟି ମ୍ୟାଚ ଖେଳିଥିବାବେଳେ କେବଳ ୨ ମ୍ୟାଚରେ ବିଜୟ ହାସଲ କରିବାରେ ସଫଳ ହୋଇଛନ୍ତି । ଯାହାଫଳରେ ପଏଣ୍ଟ ଟେବୁଲର ଦଶମ ସ୍ଥାନରେ ରହିଛି ଲକ୍ଷ୍ନୌ । ଲକ୍ଷ୍ନୌର ୪ ମଇରେ ନିଜ ପରବର୍ତ୍ତୀ ମ୍ୟାଚ ମୁମ୍ବାଇ ବିପକ୍ଷରେ ଖେଳିବ । ଏହି ମ୍ୟାଚ ପୂର୍ବରୁ ଲକ୍ଷ୍ନୌ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର ସାମ୍ନାକୁ ଆସିଛି ।
ଅଷ୍ଟ୍ରେଲିଆର ୱିକେଟକିପର-ବ୍ୟାଟ୍ସମ୍ୟାନ ଜଶ ଇଙ୍ଗଲିସ୍ ଚଳିତ ସିଜିନରେ ପ୍ରଥମ ଥର ପାଇଁ ଲକ୍ଷ୍ନୌ କ୍ୟାମ୍ପକୁ ଫେରୁଛନ୍ତି । ବ୍ୟକ୍ତିଗତ କାରଣ ଦର୍ଶାଇ ଚଳିତ ସିଜିନରେ ଗୋଟିଏ ବି ମ୍ୟାଚ ଖେଳିନଥିଲେ ଇଙ୍ଗଲିସ୍ । ଏହି ଖବର ଶୁଣିବା ପରେ ଲକ୍ଷ୍ନୌ ଫ୍ୟାନ୍ସଙ୍କୁ ସାମାନ୍ୟ ଆଶ୍ଵସ୍ତି ମିଳିଛି । ଅଧିନାୟକ ରିଷଭ ପନ୍ତଙ୍କ ସମେତ ମିଚିଲ ମାର୍ଶ, ନିକୋଲାସ୍ ପୁରନ୍ ଓ ଏଇଡେନ୍ ମାର୍କରମ, ସମସ୍ତେ ବଡ ସ୍କୋର କରିବାରେ ବିଫଳ ହୋଇଛନ୍ତି। ଲକ୍ଷ୍ନୌର ବ୍ୟାଟିଂ ଲାଇନଅପ୍ ସଂଘର୍ଷ କରୁଥିବାବେଳେ ଇଙ୍ଗଲିସ୍ ଙ୍କ ଉପସ୍ଥିତି ଦଳକୁ ନୂଆ ଆରମ୍ଭ ଦେଇପାରେ ।
ସିଜିନ ଆରମ୍ଭ ହେବା ପୂର୍ବରୁ, ଇଙ୍ଗଲିସ୍ ଚଳିତ ଆଇପିଏଲ ସିଜିନର ଆରମ୍ଭରୁ ଉପସ୍ଥିତ ରହିବେ ନାହିଁ ବୋଲି ସୂଚନା ଦେଇଥିଲେ । ଏପ୍ରିଲ ୧୮ ରେ ତାଙ୍କ ବିବାହ ଥିବା କାରଣରୁ ସେ ଆଇପିଏଲ ୨୦୨୬ର ପ୍ରଥମ ପର୍ଯ୍ୟାୟରେ ଯୋଗ ଦେଇପାରିନଥିଲେ । ସିଜିନ ପୂର୍ବରୁ ଏହି ସୂଚନା ଥିବା ସତ୍ୱେ ତାଙ୍କ ଫର୍ମକୁ ଦୃଷ୍ଟିରେ ରଖି ଲକ୍ଷ୍ନୌ ତାଙ୍କୁ ୮.୬ କୋଟି ଟଙ୍କାରେ କିଣିଥିଲା । ବର୍ତ୍ତମାନ ଦଳର ଏଭଳି ସ୍ଥିତିରେ ଇଙ୍ଗଲିସ୍ ଙ୍କ ଆଗମନ ପରେ ଲକ୍ଷ୍ନୌ କିଛି ଚମତ୍କାର ଆଶା କରିବ ।