ଚେନ୍ନାଇ: ଆଇପିଏଲ ୨୦୨୬ ସିଜନରେ ନିଜର ଚିରପ୍ରତିଦ୍ୱନ୍ଦ୍ୱୀ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ କ୍ଲିନ୍ ସୁଇପ୍ କରିଛି ଚେନ୍ନାଇ ସୁପର କିଙ୍ଗସ। ପ୍ରଥମେ ୱାଙ୍ଖଡେରେ ହରାଇବା ପରେ ଏବେ ନିଜ ଘରୋଇ ଗ୍ରାଉଣ୍ଡ ଚେପକ୍ରେ ମଧ୍ୟ ମୁମ୍ବାଇକୁ ଶୋଚନୀୟ ଭାବେ ପରାସ୍ତ କରିଛି ଚେନ୍ନାଇ। ଶନିବାର ଖେଳାଯାଇଥିବା ସିଜନର ୪୪ତମ ମ୍ୟାଚରେ ଅଂଶୁଲ କାମ୍ବୋଜ, ନୂର ଅହମ୍ମଦ ଏବଂ ଅଧିନାୟକ ଋତୁରାଜ ଗାୟକୱାଡ୍ଙ୍କ ଦମଦାର ପ୍ରଦର୍ଶନ ବଳରେ ଚେନ୍ନାଇ ୮ ୱିକେଟରେ ବିଜୟୀ ହୋଇଛି। ଅନ୍ୟପଟେ ମୁମ୍ବାଇ ଚଳିତ ସିଜନରେ ତାର ୭ମ ପରାଜୟ ବରଣ କରିଛି। ପରାଜୟ ସହ ମୁମ୍ବାଇର ପ୍ଲେ ଅଫ ଆଶା ଆପାତତଃ ମଉଳି ଯାଇଛି।
ମୁମ୍ବାଇର ବ୍ୟାଟିଂ ବିପର୍ଯ୍ୟୟ
ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ମାତ୍ର ୧୫୯ ରନ୍ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ନମନ ଧୀର ସର୍ବାଧିକ ୫୭ ରନ୍ କରିଥିବା ବେଳେ ଓପନର ରାୟନ ରିକଲଟନ ୩୭ ରନ୍ର ଦ୍ରୁତ ଇନିଂସ ଖେଳିଥିଲେ। କିନ୍ତୁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୨୩ଟି ବଲ୍ ଖେଳି ମାତ୍ର ୧୮ ରନ୍ କରି ଦଳକୁ ନିରାଶ କରିଥିଲେ। ଚେନ୍ନାଇ ପକ୍ଷରୁ ଦ୍ରୁତ ବୋଲର ଅଂଶୁଲ କାମ୍ବୋଜ ୩୨ ରନ୍ ଦେଇ ୩ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇଥିବା ବେଳେ ସ୍ପିନର ନୂର ଅହମ୍ମଦ ୨୬ ରନ୍ ଦେଇ ୨ଟି ୱିକେଟ୍ ଅକ୍ତିଆର କରିଥିଲେ।
ଗାୟକୱାଡ୍ ଓ କାର୍ତ୍ତିକଙ୍କ ବିଜୟୀ ପାର୍ଟନରସିପ୍
୧୬୦ ରନ୍ର ପିଛା କରୁଥିବା ଚେନ୍ନାଇ ଦ୍ୱିତୀୟ ଓଭରରେ ଷ୍ଟାର ବ୍ୟାଟର ସଞ୍ଜୁ ସାମସନଙ୍କ (୧୧) ୱିକେଟ୍ ହରାଇଥିଲା। ତେବେ ଅଧିନାୟକ ଋତୁରାଜ ଗାୟକୱାଡ୍ ଏବଂ ଉର୍ଭିଲ ପଟେଲ (୨୪) ଇନିଂସକୁ ସମ୍ଭାଳିଥିଲେ। ଏହାପରେ ମୈଦାନକୁ ଓହ୍ଲାଇଥିଲେ ଇମ୍ପାକ୍ଟ ପ୍ଲେୟାର କାର୍ତ୍ତିକ ଶର୍ମା।
ଗାୟକୱାଡ୍ ଏବଂ କାର୍ତ୍ତିକଙ୍କ ମଧ୍ୟରେ ହୋଇଥିବା ୯୮ ରନ୍ର ଅପରାଜିତ ପାର୍ଟନରସିପ୍ ମୁମ୍ବାଇ ହାତରୁ ମ୍ୟାଚ୍ ଛଡ଼ାଇ ନେଇଥିଲା। ଋତୁରାଜ ଅପରାଜିତ ୬୭ ରନ୍ କରି ନିଜର ଲଗାତାର ଦ୍ୱିତୀୟ ଅର୍ଦ୍ଧଶତକ ପୂରଣ କରିଥିବା ବେଳେ ଯୁବ ଖେଳାଳି କାର୍ତ୍ତିକ ଶର୍ମା ଅପରାଜିତ ୫୪ ରନ୍ କରି ନିଜ ଆଇପିଏଲ କ୍ୟାରିୟରର ପ୍ରଥମ ଅର୍ଦ୍ଧଶତକ ହାସଲ କରିଛନ୍ତି। ଚେନ୍ନାଇ ୧୮.୧ ଓଭରରେ ମାତ୍ର ୨ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା।