ଓଡିଶା କ୍ରିକେଟ ଆସୋସିଏସନ ଦ୍ୱାରା ଆୟୋଜିତ ଓସିଏ (ଜୁନିଅର ମେନ) ଅଣ୍ଡର-୧୬ ଆନ୍ତଃଜିଲ୍ଲା କ୍ରିକେଟ୍ ପ୍ରତିଯୋଗିତା ଶନିବାର ଶେଷ ହୋଇଛି । ଫାଇନାଲରେ ଖୋର୍ଦ୍ଧା ଓ ଭୁବନେଶ୍ୱର-ଏ ମୁହାଁମୁହିଁ ହୋଇଥିବାବେଳେ ଭୁବନେଶ୍ୱର-ଏ ୧୦ ୱିକେଟ୍ ରେ ମ୍ୟାଚ ଜିତିଛି । ଏହି ମ୍ୟାଚ ରେଭେନ୍ସା କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିଲା । ୫୦ ଓଭର ବିଶିଷ୍ଟ ଏହି ମ୍ୟାଚରେ ଭୁବନେଶ୍ୱର-ଏ ପ୍ରଥମେ ଟସ୍ ଜିତି ବୋଲିଂର ନିଷ୍ପତି ନେଇଥିଲା ।
ଖୋର୍ଦ୍ଧା ପ୍ରଥମେ ବ୍ୟାଟିଂ କରି ୨୮.୧ ଓଭରରେ ସମସ୍ତ ୱିକେଟ୍ ହରାଇ ୬୬ ରନ ସଂଗ୍ରହ କରିଥିଲା । ପ୍ରଥମ ଇନିଂସରେ ଭୁବନେଶ୍ୱର-ଏ ର ଶୁଭମ ପରିଡା ସର୍ବାଧିକ ୬ ଟି ୱିକେଟ୍ ନେଇଥିଲେ, ଶ୍ଳୋକ ନାୟକ ୨ ଟି, ନୀଲେଶ ଦାଶ ଓ ଓଁକାର ସଙ୍କେତ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଦ୍ଵିତୀୟ ଇନିଂସରେ ଭୁବନେଶ୍ୱର-ଏ ଏକ ସହଜ ବିଜୟ ହାସଲ କରିଥିଲା, ୯.୪ ଓଭରରେ ବିନା କୌଣସି ୱିକେଟ୍ ହରାଇ ନିର୍ଧାରିତ ଟାର୍ଗେଟକୁ ଚେଜ କରିଥିଲେ ।
ଫାଇନାଲରେ ସର୍ବାଧିକ ୬ ୱିକେଟ୍ ନେଇ ଭୁବନେଶ୍ୱର-ଏ କୁ ମ୍ୟାଚ ଜିତାଇଥିବା ଶୁଭମ ପରିଡାଙ୍କୁ ପ୍ଲେଆର ଅଫ ଦ ମ୍ୟାଚ ଘୋଷଣା କରାଯାଇଥିଲା । ମ୍ୟାଚ ପରେ ହୋଇଥିବା ପୁରସ୍କାର ବିତରଣ ସମାରୋହରେ କଟକ-ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ, ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ଓସିଏ ଟ୍ରେଜରର ବିକାଶ ପ୍ରଧାନ ଓ ଓସିଏ ଅନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ ।