ଶୁକ୍ରବାର ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ମାତ୍ର ୪ ରନ କରି ଆଉଟ ହୋଇଯାଇଥିଲେ ବୈଭବ ସୂର୍ଯ୍ୟବଂଶୀ । ଇନିଂସର ଦ୍ଵିତୀୟ ଓଭରରେ ବୈଭବଙ୍କୁ ୟର୍କର୍ ବଲ ପକାଇ କ୍ଲିନ ବୋଲ୍ଡ କରିଦେଇଥିଲେ କାଇଲ୍ ଜେମିସନ୍ । କିନ୍ତୁ ବୈଭବଙ୍କୁ ଆଉଟ କରିବା ପରେ ଜେମିସନ୍ ଯେଉଁଭଳି ପ୍ରତିକ୍ରିୟା ଦେଇଥିଲେ, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ଜେମିସନ୍ ଦ୍ଵିତୀୟ ଓଭରର ଶେଷ ବଲରେ ବୈଭବଙ୍କୁ ବୋଲ୍ଡ କରିଥିଲେ। ଏହା ପରେ ସେ ଅତ୍ୟଧିକ ଉତ୍ସାହିତ ହେବା ସହ ବୈଭବଙ୍କ ଆଖିରେ ଆଖି ମିଶାଇ ବୈଭବଙ୍କ ୱିକେଟ୍ କୁ ସେଲିବ୍ରେଟ କରିଥିଲେ । ଯାହାକୁ ଦେଖି ଭାରତୀୟ ପୂର୍ବତନ କ୍ରିକେଟର ପ୍ରିୟାଙ୍କ ପାଞ୍ଚାଲ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି । କେବଳ ଜେମିସନଙ୍କ ତୀବ୍ର ପ୍ରତିକ୍ରିୟା ଉପରେ ମତ ରଖିନାହାନ୍ତି ପ୍ରିୟାଙ୍କ ପାଞ୍ଚାଲ ବରଂ ବୈଭବଙ୍କ ବ୍ୟାଟିଂ ଶୈଳୀ ପ୍ରତିଦ୍ୱନ୍ଦୀଙ୍କୁ ଭୟବିତ୍ତ କରିଛି ବୋଲି କହିବା ସହ ବୈଭବଙ୍କ ୱିକେଟ୍ କେତେ ଗୁରୁତ୍ୱପୂର୍ଣ୍ଣ ତାହା ମଧ୍ୟ କହିଛନ୍ତି ।
ପ୍ରିୟାଙ୍କ ପାଞ୍ଚାଲ ନିଜ X ରେ ଲେଖିଛନ୍ତି "୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ଆଉଟ କରି ପ୍ୟାଭିଲିଅନ ପଠାଇଥିବା ଦର୍ଶାଇଛନ୍ତି ୩୧ ବର୍ଷୀୟ ଜେମିସନ୍ । ଯାହା ଦେଖିବା ଗୋଟେ ସୁନ୍ଦର ଦୃଶ୍ୟ ନୁହେଁ । କିନ୍ତୁ ଏହା ମଧ୍ୟ ଦର୍ଶାଉଛି ଯେ ବୈଭବ ତାଙ୍କ ପ୍ରତିଦ୍ୱନ୍ଦୀଙ୍କ ମଧ୍ୟରେ କେତେ ପ୍ରଭାବ ଓ ଭୟ ସୃଷ୍ଟି କରିସାରିଛନ୍ତି।"