ନୂଆଦିଲ୍ଲୀ: ଇରାନ ଯୁଦ୍ଧ ଓ ହର୍ମୁଜ ବନ୍ଦ ହେବା କାରଣରୁ ଦେଶରେ ଏଲପିଜି ଗ୍ୟାସର ଅଭାବ ଲାଗି ରହିଛି । ଗତ ଦିନରେ ସରକାର ୫ କିଲୋର ଛୋଟ ଗ୍ୟାସ ସିଲିଣ୍ଡର ଦାମରେ ୨୬୧ ଟଙ୍କା ବୃଦ୍ଧି କରିଛନ୍ତି । ପୁଣି କମର୍ସିଆଲ ସିଲିଣ୍ଡର ପାଖାପାଖି ହଜାରେ ଟଙ୍କା ବୃଦ୍ଧି କରିଛନ୍ତି । ଏବେ ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିକୁ ନେଇ ସମ୍ଭାବନା ବଢି ଯାଇଛି । ଏହି ସବୁ ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ବ୍ଲୁମର୍ଗର ରିପୋର୍ଟ ମୁତାବକ ଭାରତର ଏକ ସୁପର ଟ୍ୟାଙ୍କର ଅତି କମରେ ୪୫ ହଜାର ଟନ ଏଲପିଜି ଗ୍ୟାସ ସହ ହର୍ମୁଜ ଅତିକ୍ରମ କରୁଛି । ଏହ ଗ୍ୟାସ ଭାରତ ପହଞ୍ଚିଲେ ଲୋକଙ୍କୁ ବଡ ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଛି ।
ସୂଚନା ଅନୁଯାୟୀ, ସର୍ବ ଶକ୍ତି ଟ୍ୟାଙ୍କର ସମୁଦ୍ର ରାସ୍ତା ଦେଇ ଉତ୍ତର ଆଡକୁ ଅଗ୍ରସର ହେଉଛି । ଶନିବାର ଏହା ଲାରକ ଓ କେସମ ଦ୍ୱୀପ ନିକଟରେ ଥିଲା । ସିପ ଟ୍ରାକିଂର ଡାଟା ଅନୁସାରେ ଓମାନ ଉପସାଗର ଦେଇ ଜାହାଜ ଭାରତ ପହଞ୍ଚିପାରେ । ଉଲ୍ଲେଖନୀୟ ଆମେରିକାର ଅବରୋଧ ଓ ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ ରଖିବାରୁ ଏହି ଜଳମାର୍ଗ ଦେଇ ଜାହାଜ ଅତିକ୍ରମ କରି ପାରୁ ନାହିଁ । ଏପ୍ରିଲ ୧୩ରୁ ଏଠାରେ ଆମେରିକାର ନାକାବନ୍ଦୀ ଜାରି ରହିଛି ।
ପାରସ୍ୟ ଉପସାଗରରେ ଭାରତର ୧୪ ଜାହାଜ
ଋିପୋର୍ଟ ଅନୁଯାୟୀ, ନାକାବନ୍ଦୀ କାରଣରୁ ଭାରତର ଅତି କମରେ ୧୪ ଜାହାଜ ପାରସ୍ୟ ଉପସାଗରୀୟ ଅଞ୍ଚଳରେ ଅଟକି ରହିଛି । ଦୁଇଟି ଜାହାଜ ହର୍ମୁଜ ଅତିକ୍ରମ କରିବାକୁ ଚେଷ୍ଟା କରିଥିଲା, ମାତ୍ର ଇରାନର ଚେତାବନୀ ପରେ ଫେରିବାକୁ ପଡିଛି । ତେବେ ଏକ ବିକଳ୍ପ ସମୁଦ୍ର ମାର୍ଗ ଦେଇ ଜାହାଜ ଅତିକ୍ରମ କରୁଛନ୍ତି । ଇରାନ ସହ ସମ୍ବନ୍ଧିତ ଅନ୍ୟୁନ ୩୪ ଟ୍ୟାକ୍ସର ଆମେରିକାର ନାକାବନ୍ଦୀକୁ ଚକମା ଦେଇ ସାରିଛନ୍ତି । ଯଦି ଭାରତର ଏହି ୧୪ ଜାହାଜ ଦେଶରେ ପହଞ୍ଚି ଯାଆନ୍ତା ତେବେ ଗ୍ୟାସ ସମସ୍ୟା କିଛି ମାତ୍ରାରେ ହ୍ରାସ ପାଆନ୍ତା ।
Also Read: ପାକିସ୍ତାନର ଲଢୁଆ ବିମାନକୁ ଶକ୍ତିଶାଳୀ କରୁଛି ଆମେରିକା, ଘୋଷଣା କଲା ବହୁତ ବଡ କଣ୍ଟ୍ରାକ୍ଟ