ଭୁବନେଶ୍ୱର: ଆଜି ଆପଣଙ୍କ ମୋବାଇଲରେ ହଠାତ୍ ଏକ ଜୋରରେ ଆଲର୍ଟ ସାଉଣ୍ଡ ଆସିଛି କି? କିନ୍ତୁ ଏଥିପାଇଁ ଭୟଭୀତ ହେବାର କିଛି ଆବଶ୍ୟକତା ନାହିଁ। ଏହା କୌଣସି ବାସ୍ତବ ଜରୁରୀ ସ୍ଥିତି ନୁହେଁ, ବରଂ ଦେଶବ୍ୟାପୀ ଏକ ଡିଜାଷ୍ଟର ପ୍ରସ୍ତୁତି ଅଭ୍ୟାସର ଅଂଶ ଭାବେ ପଠାଯାଉଥିବା ଏକ ଟ୍ରାଏଲ୍ ମେସେଜ୍। ତେଣୁ ବର୍ତମାନ ସ୍ଥିତିରେ ଏଭଳି ମେସେଜକୁ ଅଣଦେଖା କରିବାକୁ ଟେଲିକମ ବିଭାଗର ସୂଚନା ଦେଇଛି, ତେବେ ଜରୁରୀକାଳୀନ ସ୍ଥିତିରେ ଏଭଳି ମେସେଜ୍ ଆସିବ ବୋଲି କୁହାଯାଇଛି।
‘Cell Broadcast Alert’ ନାମରେ ପରିଚିତ ଏହି ବ୍ୟବସ୍ଥା ଆପତ୍କାଳୀନ ସମୟରେ ଲୋକଙ୍କୁ ତୁରନ୍ତ ସଚେତନ କରିବା ପାଇଁ ତିଆରି ହୋଇଛି। ଶନିବାର ହଠାତ୍ ମୋବାଇଲ୍ରେ ଟିକ୍-ଟିକ୍ ଧ୍ୱନି ସହିତ ଜୋରଦାର ଆଲାର୍ମ ଏବଂ ଫ୍ଲାଶ ମେସେଜ୍ ଦେଖି ଅନେକ ଭୟଭୀତ ହୋଇଥିଲେ। କିନ୍ତୁ ଟେଲିକମ୍ ବିଭାଗ ସ୍ପଷ୍ଟ କରିଛି, “ଏହା ଏକ ପରୀକ୍ଷା, କୌଣସି କାର୍ଯ୍ୟ ଆବଶ୍ୟକ ନାହିଁ, ଦୟାକରି ଭୟ କରନ୍ତୁ ନାହିଁ।”
ଏହି ଆଲର୍ଟ୍ ପଠାଇଥିଲା ଜାତୀୟ ବିପଦ ପ୍ରବନ୍ଧନ କର୍ତ୍ତୃପକ୍ଷ (NDMA)। ଦେଶୀୟ ଟେକ୍ନୋଲୋଜିରେ ତିଆରି ‘SACHET’ ନାମକ ଇଣ୍ଟିଗ୍ରେଟେଡ୍ ଆଲର୍ଟ ସିଷ୍ଟମ୍ ମାଧ୍ୟମରେ ଏହା ପ୍ରେଷଣ କରାଯାଇଥିଲା, ଯାହାକି C-DOT ଦ୍ୱାରା ଉନ୍ନତ କରାଯାଇଛି। ଭୂକମ୍ପ, ସୁନାମି, ବଜ୍ରପାତ, ଗ୍ୟାସ ଲିକ୍ ଭଳି ଅପରିହାର୍ଯ୍ୟ ସ୍ଥିତିରେ ଏହି ପ୍ରଣାଳୀ ମୋବାଇଲ୍ ମାଧ୍ୟମରେ ତୁରନ୍ତ ସତର୍କ ସନ୍ଦେଶ ପହଞ୍ଚାଇବ। ଏହା ଦ୍ୱାରା ସଠିକ ସମୟରେ ସଚେତନତା ବଢ଼ି ଅନେକ ଜୀବନ ରକ୍ଷା ପାଇପାରିବ।
ଜାତୀୟ ବିପଦ ପରିଚାଳନା କର୍ତ୍ତୃପକ୍ଷ (NDMA), ଟେଲିକମ୍ ବିଭାଗ ଓ ସି-ଡଟ୍ (C-DOT) ମିଶି ଏହାର ପରୀକ୍ଷଣ କରିଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ଦେଶର ମୋବାଇଲ ଆଧାରିତ ଜରୁରୀ ସତର୍କତା ବ୍ୟବସ୍ଥାକୁ ଆହୁରି ଶକ୍ତିଶାଳୀ କରିବା। ଏହି ଆଲର୍ଟ ‘ସେଲ୍ ବ୍ରଡକାଷ୍ଟ ଟେକ୍ନୋଲୋଜି’ ମାଧ୍ୟମରେ ପଠାଯାଉଛି, ଯାହା ଏକାସାଥିରେ ଅନେକ ମୋବାଇଲ ଉପଭୋକ୍ତାଙ୍କୁ ସନ୍ଦେଶ ପହଞ୍ଚାଇପାରେ। ପ୍ରାକୃତିକ ବିପଦ ଭଳି ଜରୁରୀ ସମୟରେ ଲୋକଙ୍କୁ ତୁରନ୍ତ ସୂଚନା ଦେବା ପାଇଁ ଏହା ବହୁତ ଉପକାରୀ ହେବ। ଏହି ପରୀକ୍ଷାରେ ବେଙ୍ଗାଲୁରୁ ସହ ଦେଶବ୍ୟାପୀ କିଛି ସହରକୁ ଅନ୍ତର୍ଭୁକ୍ତ କରାଯାଇଛି।
ତେବେ ଏନେଇ ପ୍ରଶାସନ ସ୍ପଷ୍ଟ କରିଛି ଯେ, ଏହା କେବଳ ଏକ ପରୀକ୍ଷା। ସରଳ କଥାରେ କହିବାକୁ ଗଲେ, ଏହି ଆଲର୍ଟ ଭବିଷ୍ୟତରେ ବିପଦ ସମୟରେ ଆପଣଙ୍କ ଜୀବନ ବଞ୍ଚାଇପାରିବ, ସେଥିପାଇଁ ଏହାକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ, ଏହା କେବଳ ସଚେତନତା ଉଦେଶ୍ୟରେ ପଠାଯାଇଛି।