ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ନିର୍ବାଚନର ଫଳାଫଳ ବାହାରିବାର ଠିକ୍ ପୂର୍ବରୁ ଭାରତୀୟ ନିର୍ବାଚନ ଆୟୋଗ ବଡ ନିଷ୍ପତ୍ତି ନେଇଛନ୍ତି । ଇସିଆଇଙ୍କ ଆଦେଶ ମୁତାବକ ମେ ୨ରେ ୧୫ ପୋଲିଂ ଷ୍ଟେସନରେ ପୁଣି ଥରେ ଭୋଟିଂ ହେବ । ଏହି ୧୫ ବୁଥରୁ ୧୧ଟି ବୁଥ ୧୪୨-ମଗରହଟ ପଶ୍ଚିମ ବିଧାନସଭା କ୍ଷେତ୍ରରେ ରହିଛି । ଅନ୍ୟ ୪ଟି ପୋଲିଂ ବୁଥ ୧୪୩ ଡାଏମଣ୍ଡ ହାର୍ବର ବିଧାନସଭା କ୍ଷେତ୍ରରେ ରହିଛି । ଭୋଟିଂ ସକାଳ ୭ଟାରୁ ୬ଟା ପର୍ଯ୍ୟନ୍ତ ଚାଲିବ । ଏହି ସବୁ ବୁଥରେ ଏପ୍ରିଲ ୨୯ରେ ମତଦାନ କରାଯାଇଥିଲା । ହେଲେ ନିର୍ବାଚନ ଆୟୋଗ ମାନବ ପ୍ରତିନିଧି ଅଧିନିୟମ, ୧୯୫୧ର ଧାରା ୫୮(୨) ଆଧାରରେ ମେ ୨୯ରେ ନିର୍ବାଚନକୁ ରଦ୍ଦ ଘୋଷିତ କରାଯାଇଛି ।
ରିପୋର୍ଟ ଆଧାରରେ ନିଷ୍ପତ୍ତି
ନିର୍ବାଚନ ଆୟୋଗଙ୍କ ଠାରେ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ୪ ବିଧାନସଭା କ୍ଷେତ୍ରର ୭୭ ବୁଥରେ ପୁଣି ଥରେ ଭୋଟିଂ ପାଇଁ ଦାବି କରାଯାଇଥିଲା । ତେବେ ଏହା ସ୍ପଷ୍ଟ ହୋଇ ନାହିଁ ଯେ, ବାକି ୬୨ ବୁଥରେ କେବେ ଭୋଟିଂ ହେବ । ଇସିଆଇଙ୍କ ଆଦେଶ ମୁତାବକ ପ୍ରଭାବିତ ବୁଥଗୁଡିକୁ ନିର୍ବାଚନ ରିଟର୍ଣ୍ଣିଂ ଅଫିସର ଏବଂ ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ ଆଧାରରେ ଶୂନ୍ୟ ଘୋଷିତ କରାଯାଇଛି । ଅନ୍ୟପଟେ ନିର୍ବାଚନ କ୍ଷେତ୍ରର ଅନ୍ୟ ରିପୋର୍ଟକୁ ଅପେକ୍ଷା କରିଛନ୍ତି ଇସିଆଇ ।
ବିଜେପି ଟିଏମସିର ରାଷ୍ଟ୍ରୀୟ ସାଧାରଣ ସଂପାଦକ ଅଭିଷେକ ବାନାର୍ଜୀଙ୍କ ସଂସଦୀୟ କ୍ଷେତ୍ର ଡାଏମଣ୍ଡ ହାର୍ବରର ଦୁଇଟି ବିଧାନସଭାର କିଛି ମତଦାନ କେନ୍ଦ୍ରରେ ବ୍ୟାପକ ମାତ୍ରାରେ ନିର୍ବାଚନୀ ଅନିୟମିତତା ହୋଇଥିବା ଅଭିଯୋଗ କରିଥିଲା । ଇସିଆଇ ଅଭିଯୋଗର ତଦନ୍ତ ପାଇଁ ନିଜର ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ସୁବ୍ରତ ଗୁପ୍ତାଙ୍କୁ ନିଯୁକ୍ତ କରିଥିଲା । ଅନ୍ୟପଟେ ମେ ୪ରେ ମତଗଣନା ହେବାକୁ ଯାଉଛି ।