ଭୁବନେଶ୍ୱର: ମେ ମାସର ଦ୍ୱିତୀୟ ସପ୍ତାହରେ ବଙ୍ଗୋପସାଗରର ଦକ୍ଷିଣ-ପୂର୍ବ ଅଞ୍ଚଳରେ ଗୋଟିଏ ନୂତନ ଲୋ-ପ୍ରେସର ଏରିଆ ଗଠିତ ହେବାର ସମ୍ଭାବନା ରହିଛି। ଗ୍ଲୋବାଲ୍ ଫୋରକାଷ୍ଟ ସିଷ୍ଟମ୍ (GFS)ର ପୂର୍ବାନୁମାନ ଅନୁସାରେ, ମେ ୧୧ରୁ ୧୫ ମଧ୍ୟରେ ବଙ୍ଗୋପସାଗର ଓ ଏହା ନିକଟସ୍ଥ ଅଞ୍ଚଳରେ ପ୍ରଥମେ ଗୋଟିଏ ସାଇକ୍ଲୋନିକ ସର୍କୁଲେସନ ଗଠିତ ହେବ। ପରବର୍ତ୍ତୀ କିଛି ଦିନରେ ଏହା ଦୀର୍ଘସ୍ଥାୟୀ ଭାବେ ଶକ୍ତିଶାଳୀ ହୋଇ ଲୋ-ପ୍ରେସରରେ ପରିଣତ ହେବାର ଆଶା କରାଯାଉଛି।
ତେବେ ଏହି ପୂର୍ବାନୁମାନକୁ ନେଇ ଏପର୍ଯ୍ୟନ୍ତ ଭାରତୀୟ ଆବହାବିଜ୍ଞାନ ବିଭାଗ (IMD) ପକ୍ଷରୁ କୌଣସି ଆନୁଷ୍ଠାନିକ ଭାବେ ସୂଚନା ଜାରି ହୋଇନାହିଁ। ତଥାପି ଏହି ପରିସ୍ଥିତିକୁ ନଜରରେ ରଖି ଓଡ଼ିଶା ସରକାର ସତର୍କ ରହିଛି। ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖି କହିଛନ୍ତି, "ବାତ୍ୟା, ବନ୍ୟା ଏବଂ ହିଟ୍ ୱେଭ ପ୍ରବଣ ରାଜ୍ୟ ହେଉଛି ଓଡ଼ିଶା। ଏପ୍ରିଲ ମାସ ସନ୍ଧ୍ୟାରେ ଝଡ଼ ବି ହୁଏ, ମେ’ରେ ବାତ୍ୟା ହେବାର ସମ୍ଭାବନା ଥାଏ। ବନ୍ୟା, ବାତ୍ୟା ଆସିଲେ ମୁକାବିଲା ପାଇଁ ଆମେ ପ୍ରସ୍ତୁତ ଅଛୁ। ବାତ୍ୟା ଆକଳନ କରିଥିବା ଏଜେନ୍ସି ବିଶ୍ୱାସ ଯୋଗ୍ୟ ନହେଲେ ମଧ୍ୟ ଆମେ ପ୍ରସ୍ତୁତ"।
ସୂଚନାଯୋଗ୍ୟ, ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ ବା ଜିଏଫଏସର ଆକଳନ ଅନୁଯାୟୀ, ମେ ୧୧ରୁ ୧୫ ତାରିଖ ବେଳକୁ ଦକ୍ଷିଣ-ପୂର୍ବ-ବଙ୍ଗୋପସାଗର ଏବଂ ତା ଆଖପାଖ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ପରେ ତାହା ଘନୀଭୂତ ହୋଇ ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ତାହା ଅଧିକ ଘନୀଭୂତ ହୋଇ ସାଇକ୍ଲୋ ଜେନିସିସର ରୂପ ନେବାର ସମ୍ଭାବନା ରହିଛି। କିନ୍ତୁ ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା ମିଳିନାହିଁ। ଏହି ପରିସ୍ଥିତିରେ ସାଧାରଣ ଲୋକଙ୍କୁ ଆତଙ୍କିତ ନହୋଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଆଗାମୀ କିଛି ଦିନରେ IMD ପକ୍ଷରୁ ଆସୁଥିବା ସୂଚନାକୁ ଧ୍ୟାନରେ ରଖିବା ଅତ୍ୟନ୍ତ ଜରୁରୀ।
ଅଧିକ ପଢନ୍ତୁ: ରାଜ୍ୟରେ କାଳବୈଶାଖୀର କହର: ୭ ତାରିଖ ଯାଏଁ ଝଡ଼-ବର୍ଷା ସତର୍କତା, ୮ ଜିଲ୍ଲାକୁ ରେଡ୍ ଆଲର୍ଟ